28.1 C
Bhubaneswar
Tuesday, September 24, 2024
Homeଓଡିଶାନକଲି କ୍ଷୀର କାରଖାନା ଠାବ, ମାଲିକ ଗିରଫ

ନକଲି କ୍ଷୀର କାରଖାନା ଠାବ, ମାଲିକ ଗିରଫ

କଟକ : ଜଗତପୁର ଥାନା ଅଞ୍ଚଳରେ ପୁଣି ନକଲି କାରଖାନା ଠାବ କରାଯାଇଛି। ପୁର୍ବରୁ ଗୁଣ୍ଡ ମସଲା, ତେଲ , ଘିଅ, ସସ୍‌, ଗୁଟଖା ପ୍ରସ୍ତୁତ କରୁଥିବା ନକଲି କାରଖାନା ଠାବ ହୋଇଥିଲା ବେଳେ ଏଥର ଅପମିଶ୍ରିତ କ୍ଷୀର କମ୍ପାନୀ ବା ମିଲ୍କ ପ୍ରୋସେସିଂ କମ୍ପାନୀକୁ ଚିହ୍ନଟ କରାଯାଇଛି। ଜଗତପୁର ଥାନା ଅନ୍ତର୍ଗତ ଆତୋଡା ନଦୀପଠାରେ ଥିବା ଜଙ୍ଗଲିଆସ୍ଥାନରେ ଏହି ନକଲି କ୍ଷୀର କାରଖାନାରେ ଅପମିଶ୍ରଣ କରାଯାଉଥିôଲା। ଏ ସଂପର୍କରେ ଜଗତପୁର ଥାନା ଅଧିକାରୀ ଓମ୍ ପ୍ରକାଶ ମହାନ୍ତିଙ୍କୁ ସୂଚନା ମିଳିବା ପରେ ଆଜି ପୂର୍ବାହ୍ନରେ ଏଡିସିପି ଅନୀଲ କୁମାର ମିଶ୍ର ଓ ଏସିପି ଅରୁଣ କୁମାର ସ୍ୱାଇଁଙ୍କ ନେତୃତ୍ୱରେ ଏକ ଟିମ୍ କାରଖାନା ଉପରେ ଅତର୍କୀତ ଚଢ଼ଉ କରିଥିଲା। ଦୁଇ ବର୍ଷରୁ ଅଧିକ ସମୟ ହେବ ଏହି କାରଖାନା ଚାଲିଥିଲା। ତେବେ ଏହି କାରଖାନାରେ ବିଭିନ୍ନ ରାସାୟନିକ ସାମଗ୍ରୀ ବ୍ୟବହାରକରି କ୍ଷୀର,ଦହି, ଲସି ଓ ରାବିଡ଼ ଆଦି ଦୁଗ୍ଧଜାତ ଖାଦ୍ୟ ପ୍ରସ୍ତୁତ କରାଯାଉଥିଲା। ଚଢ଼ଉ ବେଳେ ବିଶେଷକରି ଏଠାରୁ ବିଭିନ୍ନ ରାସାୟନିକ ଦ୍ରବ୍ୟ ସହ ଗୁଣ୍ଡ ମିଲ୍କ ପାଉଡର, ବେକିଂସୋଡା ଆଦି ବିପୁଳ ପରିମାଣର ମିଳିଥିଲା। ପୁଲିସ ଟିମ୍ କମ୍ପାନୀରେ ପ୍ରସ୍ତୁତ କରାଯାଉଥିବା ସାମଗ୍ରୀର ପରୀକ୍ଷା ପାଇଁ ସିଏମ୍‌ସିର ଫୁଡ ଅଧିକାରୀଙ୍କୁ ଡକାଇଥିଲେ। ସିଏମ୍‌ସିର ଫୁଡ୍ ଅଧିକାରୀ କମ୍ପାନୀର ପ୍ରସ୍ତୁତ ଦୁଗ୍ଧଜାତ ସାମଗ୍ରୀକୁ ତନଖି କରିବା ପରେ ଏହା ନକଲି ବୋଲି ଜାଣିବାକୁ ପାଇଥିଲେ। ଏସବୁ ସାମଗ୍ରୀର ଯାଞ୍ଚ ପାଇଁ ପରୀକ୍ଷାଗାରକୁ ନମୁନା ପଠାଯାଇଛି। ଆତୋଡା ନଦୀପଠାରେ ଥିବା ଜଙ୍ଗଲିଆ ତଥା ନିକାଞ୍ଚନ ସ୍ଥାନରେ ଦୀର୍ଘ ୨ବର୍ଷ ହେବ ଏକ ଅପରିସ୍କାର ଗୃହରେ ନକଲି କ୍ଷୀର ପ୍ରସ୍ତୁତ କମ୍ପାନୀ ଖୋଲାଯାଇଥିଲା। କମ୍ପାନୀର ମାଲିକ ୨୦୨୨ମସିହାରେ ଫୁଡ୍ ସାର୍ଟିଫିକେଟ ହାସଲ କରିଥିଲେ। ନକଲି ସାମଗ୍ରୀକୁ ରୋହିଣୀ ନାମରେ ବିକ୍ରି କରାଯାଉଥିଲା। ତେବେ ରୋହିଣୀ ନାମରେ ଟ୍ରେଡ ସାର୍ଟିଫିକେଟ ନଥିବା ତଦନ୍ତରୁ ଜଣାପଡିଛି। କମ୍ପାନୀରେ ଲ୍ୟାବେଟୋରୀ ନଥିଲା। ବିନା ପରୀକ୍ଷାରେ ଅପରିସ୍କାର ପାଣି ସହ ବିନା ପ୍ରୋସେସିଂରେ କ୍ଷୀର ପ୍ରସ୍ତୁତ କରାଯାଉଥିଲା। ନକଲି ପ୍ରସ୍ତୁତ ସାମଗ୍ରୀକୁ କେନ୍ଦ୍ରପଡା, କଟକ, ଜଗତସିଂହପୁର, ପୁରୀ, ଭୁବନେଶ୍ୱର, ଢେଙ୍କାନାଳରେ କମ୍ପାନୀ ପକ୍ଷରୁ ବିକ୍ରି କରାଯାଉଥିଲା ବୋଲି ଅନୁସଂଧାନରୁ ଜଣାପଡିଛି। ପୁଲିସ ନକଲି ପ୍ରସ୍ତୁତକାରୀ କମ୍ପାନୀର ମାଲିକ ସାଲେପୁର ନିକଟସ୍ଥ ଜଳହରି ଗ୍ରାମର ପ୍ରଦୀପ୍ତ କୁମାର ପରିଡାକୁ ଗିରଫ କରିଛି। ଯାଞ୍ଚ ରିପୋର୍ଟ ମିଳିବା ପରେ ଏନେଇ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ବୋଲି କଟକ ଅତିରିକ୍ତ ଡିସିପି ଅନୀଲ କୁମାର ମିଶ୍ର ସୂଚନା ଦେଇଛନ୍ତି। ଅସ୍ୱାସ୍ୟ୍ଥକର ପରିବେଶରେ ମିଲ୍କ ପାଉଡର ସହ କେମିକାଲ ,ସୋଡା ଏବଂ ଲୁଣ ମିଶ୍ରଣ କରି ନକଲି କ୍ଷୀର ପ୍ରସ୍ତୁତ କରାଯାଇଥିଲା ବୋଲି କଟକ ମହାନଗର ନିଗମ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ସତ୍ୟବ୍ରତ ମହାପାତ୍ର ସୂଚନା ଦେଇଛନ୍ତି। ପ୍ରସ୍ତୁତ କରାଯାଉଥିବା ନକଲି ସମାଗ୍ରୀକୁ ଖାଦ୍ୟଭାବେ ଗ୍ରହଣ କରିଲେ ଜଣ୍ଡିସ, ଡାଇବେଟିସ୍ ଭଳି ମାରାତ୍ମକ ରୋଗ ହେବାର ଆଶଙ୍କା ରହିଛି। ନକଲି କ୍ଷୀର,ଦହି, ଲସିକୁ ରୋଗୀ, ଶିଶୁ ଓ ବୟସ୍କ ବ୍ୟକ୍ତି ପାନୀୟ ବା ଖାଦ୍ୟ ଭାବେ ଗ୍ରହଣ କରୁଥିବାରୁ ସେମାନଙ୍କ ଶାରୀରିକ ସହ ମାନସିକ ବିକାଶରେ ବାଧାସୃଷ୍ଟି କରିଥାଏ । ଏଥି ସହିତ ଏହା ଶିଶୁମାନଙ୍କ ପାଇଁ ଅତ୍ୟନ୍ତ କ୍ଷତିକାରକ ବୋଲି ସିଏମ୍‌ସି ସ୍ୱାସ୍ଥ୍ୟ ଅଧିକାରୀ ଶ୍ରୀ ମିଶ୍ର ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking