22.1 C
Bhubaneswar
Friday, February 13, 2026
Homeଦେଶ ବିଦେଶଅମର ପ୍ରୀତ୍ ସିଂହ ବାୟୁସେନାର ନୂଆ ମୁଖ୍ୟ

ଅମର ପ୍ରୀତ୍ ସିଂହ ବାୟୁସେନାର ନୂଆ ମୁଖ୍ୟ

ନୂଆଦିଲ୍ଲୀ: ଏୟାର ମାର୍ଶଲ ପିଭିଏସଏମ,ଏଭିଏସଏମ୍ ଅମର ପ୍ରୀତ୍ ସିଂହ ବାୟୁସେନାର ନୂଆ ମୁଖ୍ୟ ହେବାକୁ ଯାଉଛନ୍ତି। ବର୍ତ୍ତମାନ ସେ ବାୟୁସେନାରେ ଉପମୁଖ୍ୟ ଭାବେ କାର୍ଯ୍ୟରତ ଅଛନ୍ତି। ଆସନ୍ତା ସେପ୍ଟେମ୍ବର ୩୦ରେ ବର୍ତ୍ତମାନର ବାୟୁସେନା ମୁଖ୍ୟ ଏୟାର ମାର୍ଶଲ ବିବେକ ରାମ ଚୌଧୁରୀ ଅବସର ନେବେ। ଶ୍ରୀ ଚୌଧୂରୀଙ୍କ କାର୍ଯ୍ୟକାଳ ଶେଷ ହେବା ପରେ ତାଙ୍କ ସ୍ଥାନରେ ଅମର ପ୍ରୀତ୍ ସିଂହଙ୍କୁ ଏହି ଗୁରୁ ଦାୟିତ୍ୱ ଦେବାକୁ କେନ୍ଦ୍ର କ୍ୟାବିନେଟ୍ ଚୟନ କମିଟି ନିଷ୍ପତ୍ତି ନେଇଛି। ଶ୍ରୀ ଚୌଧୂରୀଙ୍କ ଠାରୁ ସେପ୍ଟେମ୍ବର ୩୦ ଅପରାହ୍ନ ସୁଦ୍ଧା ଶ୍ରୀ ଅମର ପ୍ରୀତ୍ ସିଂ ଏହି ଦାୟିତ୍ୱ ଗ୍ରହଣ କରିବେ। ଏଥିସହ ସେ ଏୟାର ମାର୍ଶଲରୁ ଏୟାର ଚିଫ୍ ମାର୍ଶଲକୁ ପଦୋନ୍ନତି ପାଇବେ।

୨୭ ଅକ୍ଟୋବର ୧୯୬୪ରେ ଜନ୍ମ ହୋଇଥିବା ଏୟାର ମାର୍ଶଲ ଅମର ପ୍ରୀତ୍ ସିଂହ ୧୯୮୪ରୁ ଭାରତୀୟ ବାୟୁସେନାରେ କାର୍ଯ୍ୟ ଆରମ୍ଭ କରିଥିଲେ। ୨୦୨୩ ଫେବୃଆରୀ ୧ରେ ସେ ଭାରତୀୟ ବାୟୁସେନାର ଭାଇସ ଚିଫ୍ ଭାବେ ଦାୟିତ୍ୱ ନେଇଥିଲେ। ୧୯୮୪ରୁ ବାୟୁସେନାରେ କାର୍ଯ୍ୟ କରି ଆସୁଥିବା ଶ୍ରୀ ସିଂହ ଫ୍ଲାଇଟ୍ କମାଣ୍ଡର ଓ ମିଗ ୨୭ର କମାଣ୍ଡିଂ ଅଫିସର ଦାୟିତ୍ୱରେ ରହିଥିଲେ। ୫୦୦୦ ଘଣ୍ଟାରୁ ଅଧିକ ଉଡ଼ାଣ ଅଭିଜ୍ଞତା ଥିବା ଏୟାର ମାର୍ଶଲ ଅମର ପ୍ରୀତ୍ ସିଂହଙ୍କୁ ୨୦୧୯ରେ ଅତି ବିଶିଷ୍ଟ ସେବା ମେଡାଲ ଓ ୨୦୨୩ରେ ପରମ ବିଶିଷ୍ଟ ସେବା ମେଡାଲ ମିଳିଥିଲା। ଅମର ପ୍ରୀତ ସିଂ ନ୍ୟାସନାଲ ଡିଫେନ୍ସ ଏକାଡେମୀ (ଏନଡିଏ), ଏବଂ ଡିଫେନ୍ସ ସର୍ଭିସ ଷ୍ଟାଫ କଲେଜର ପୂର୍ବତନ ଟ୍ରେନି ଅଧିକାରୀ ରହିସାରିଛନ୍ତି।

ଏୟାର ମାର୍ଶଲ ଅମର ପ୍ରୀତ ସିଂ ଦକ୍ଷିଣ ପଶ୍ଚିମ ଏୟାର କମାଣ୍ଡରେ ଏୟାର ଡିଫେନ୍ସ କମାଣ୍ଡର ଏବଂ ଇଷ୍ଟର୍ଣ୍ଣ ଏୟାର କମାଣ୍ଡରେ ସିନିୟର ଏୟାର ଷ୍ଟାଫ୍ ଅଫିସର ପଦବୀରେ ରହିସାରିଛନ୍ତି। ବାୟୁସେନାର ଡେପୁଟି ଚିଫ୍ ଦାୟିତ୍ୱ ଗ୍ରହଣ କରିବା ପୂର୍ବରୁ ସେ ସେଣ୍ଟ୍ରାଲ୍ ଏୟାର କମାଣ୍ଡର ଏୟାର ଅଫିସର କମାଣ୍ଡିଂ-ଇନ୍‌-ଚିଫ୍ ଥିଲେ। ଜଣେ ଟେଷ୍ଟ ପାଇଲଟ୍ ଭାବରେ ସେ ଅନେକ ଗୁରୁତ୍ୱପୂର୍ଣ୍ଣ ପଦବୀରେ ରହିଛନ୍ତି। ସେ ରୁଷ୍‌ରେ ମିଗ୍‌-୨୯ ଅପଗ୍ରେଡ୍ ପ୍ରୋଜେକ୍ଟ ମ୍ୟାନେଜମେଣ୍ଟ ଦଳର ନେତୃତ୍ୱ ନେଇଛନ୍ତି। ସେ ଜାତୀୟ ଫ୍ଲାଇଟ୍ ଟେଷ୍ଟ ସେଣ୍ଟରରେ ପ୍ରୋଜେକ୍ଟ ଡାଇରେକ୍ଟର (ଫ୍ଲାଇଟ୍ ଟେଷ୍ଟ) ମଧ୍ୟ ଥିଲେ। ହାଲୁକା ଯୁଦ୍ଧ ବିମାନ ତେଜସ୍‌ର ବିମାନ ପରୀକ୍ଷା ଦାୟିତ୍ୱ ତାଙ୍କୁ ଦିଆଯାଇଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking