32.1 C
Bhubaneswar
Saturday, September 21, 2024
Homeଓଡିଶାଭିଜିଲାନ୍ସ ଜାଲରେ ଆରଡି ମୁଖ୍ୟଯନ୍ତ୍ରୀ; ଶାଳକଙ୍କ ଘରୁ ମିଳିଲା ନଗଦ ୪୬.୪୫ ଲକ୍ଷ

ଭିଜିଲାନ୍ସ ଜାଲରେ ଆରଡି ମୁଖ୍ୟଯନ୍ତ୍ରୀ; ଶାଳକଙ୍କ ଘରୁ ମିଳିଲା ନଗଦ ୪୬.୪୫ ଲକ୍ଷ

ଭୁବନେଶ୍ୱର : ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବାଲେଶ୍ୱର ଗ୍ରାମ୍ୟ ନିର୍ମାଣ ମଣ୍ଡଳର ମୁଖ୍ୟଯନ୍ତ୍ରୀ ଏନଭି ହରିହର ରାଓଙ୍କ ଘରେ ଶୁକ୍ରବାର ଭିଜିଲାନ୍ସ ପକ୍ଷରୁ ଚଢ଼ଉ କରାଯାଇଛି । ତାଙ୍କ ପୈତୃକ ଘର, ଅଫିସ, ଭୁବନେଶ୍ୱର, ବ୍ରହ୍ମପୁର, ବାଲେଶ୍ୱର, କେନ୍ଦୁଝର ଓ ଫୁଲବାଣୀ ଥିବା ଘର ସମେତ ମୋଟ ୧୧ଟି ସ୍ଥାନରେ ଭିଜିଲାନ୍ସ ଚଢ଼ଉ କରିଛି । ମୁଖ୍ୟଯନ୍ତ୍ରୀଙ୍କର ବ୍ରହ୍ମପୁର ଭାବିନିପୁରରେ ଥିବା ଦୁଇ ମହଲା ବିଶିଷ୍ଟ ଘର, ଭୁବନେଶ୍ୱର ସ୍ଥିତ ପାତ୍ରପଡ଼ାରେ ଥିବା ବିଲଡିଂ, ବ୍ରହ୍ମପୁର କମାପଲ୍ଲୀରେ ଏକ ଥ୍ରୀ ବିଏଚ୍‌କେ ଫ୍ଲାଟ, ଫୁଲବାଣୀ ଓଲେନବାଚରେ ଥିବା ତାଙ୍କ ପୈତୃକ ଘର, ବାଲେଶ୍ୱର ଥିବା ସରକାରୀ ବାସଭବନ ଓ ଅଫିସ, କେନ୍ଦୁଝରରେ ଥିବା ଅଫିସ ଚାମ୍ବର, ବ୍ରହ୍ମପୁର ତୁଳସୀନଗର ଓ ଶାନ୍ତି ନଗରରେ ଥିବା ସଂପର୍କୀୟଙ୍କ ଘର ଓ କେନ୍ଦୁଝର ବଳଦେବଜିଉ କଲୋନୀରେ ଥିବା ତାଙ୍କର ଜଣେ ସହଯୋଗୀଙ୍କ ଘରେ ଏକ କାଳୀନ ଚଢ଼ଉ କରାଯାଇଛି । ଏହି ଚଢ଼ଉରେ ୧୧ ଜଣ ଡିଏସପି, ୭ ଜଣ ଇନସ୍ପେକ୍ଟର ଓ ୧୧ ଜଣ ଏଏସଆଇ ସାମିଲ୍ ହୋଇଛନ୍ତି ।
ମୁଖ୍ୟଯନ୍ତ୍ରୀ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗ ହୋଇଥିଲା । ଭିଜିଲାନ୍ସ ଘଟଣାର ତଦନ୍ତ କରି ଆଜି ସକାଳେ ଚଢ଼ଉ କରି ବିପୁଳ ସମ୍ପତ୍ତି ଠାବ କରିଛି । ତା’ ମଧ୍ୟରେ ରହିଛି ୨ଟି କୋଠା, ଗୋଟିଏ ଫ୍ଲାଟ ଓ ୪ଟି ପ୍ଲଟ୍ । ସେହିପରି ତାଙ୍କର ଦୁଇଟି ବେନାମୀ ଫ୍ଲାଟ ଠାବ କରାଯାଇଛି । ବ୍ୟାଙ୍କରେ ସେ ୧.୧୧ କୋଟି ଟଙ୍କା ଜମା ରଖିଥିବା ବେଳେ ତାଙ୍କର ଅନ୍ୟାନ୍ୟ ଜମା ଓ ନିବେଶ ନେଇ ଭିଜିଲାନ୍ସର ତଦନ୍ତ ଜାରି ରହିଛି । ମୁଖ୍ୟଯନ୍ତ୍ରୀ ଶ୍ରୀ ରାଓଙ୍କର ଗୋଟିଏ ଚାରି ଚକିଆ ଓ ଗୋଟିଏ ଦୁଇ ଚକିଆ ଗାଡ଼ି ଅଛି । ସେହିପରି ତାଙ୍କ ଶଳାଙ୍କ ଘରୁ ନଗଦ ୪୬.୪୫ ଲକ୍ଷ ଟଙ୍କା ଜବତ କରାଯାଇଛି । ମୁଖ୍ୟଯନ୍ତ୍ରୀ ଶ୍ରୀ ରାଓଙ୍କ ୨ଟି କୋଠା ମଧ୍ୟରୁ ଗୋଟିଏ ବ୍ରହ୍ମପୁରର ଭବାନୀପୁରରେ ରହିଛି । ତାହା ୨୧ଶହ ବର୍ଗଫୁଟ ଅଞ୍ଚଳରେ ଥିବା ବେଳେ ଅନ୍ୟ କୋଠାଟି ଭୁବନେଶ୍ୱରର ପାତ୍ରପଡ଼ାରେ ରହିଛି, ଯାହା ୩୦୦୦ ବର୍ଗ ଫୁଟ ଅଞ୍ଚଳରେ ନିର୍ମିତ ହୋଇଛି । ବ୍ରହ୍ମପୁରର ବୈଦ୍ୟନାଥପୁରର ସ୍ପେକ୍ଟ୍ରମ ଗ୍ରୀନ୍ ଆପାର୍ଟମେଣ୍ଟରେ ତାଙ୍କର ଏକ ଥିି-ବିଏଚ୍‌କେ ଫ୍ଲାଟ ଅଛି । ଏହା ସହିତ ତାଙ୍କର ୨ଟି ବେନାମୀ ଫ୍ଲାଟ ଥିବା ସନ୍ଦେହ କରାଯାଉଛି । ସେଥିରୁ ଗୋଟିଏ ଭୁବନେଶ୍ୱରର ସୁନ୍ଦରପଦାରେ ଓ ଅନ୍ୟଟି ବ୍ରହ୍ମପୁରର ବୈଦ୍ୟନାଥନଗରର ସ୍ୱସ୍ତିକ ଆପାର୍ଟମେଣ୍ଟରେ ରହିଛି । ଭିଜିଲାନ୍ସର ଏହା ମାଲିକ କିଏ, ତାହା ସ୍ପଷ୍ଟ କରିବାକୁ ଯାଞ୍ଚ ଜାରି ରଖିଛି । ଶ୍ରୀ ରାଓଙ୍କର ୪ଟି ପ୍ଲଟ୍ ମଧ୍ୟରୁ ୨ଟି ଭୁବନେଶ୍ୱରରେ ଓ ଗୋଟିଏ ବ୍ରହ୍ମପୁରରେ ଅଛି । ଆଉ ଗୋଟିଏ ଗଞ୍ଜାମ ଜିଲ୍ଲାର ବଡ଼ଗୁମୁଲାରେ ଅଛି । ତାଙ୍କର ସମସ୍ତ କୋଠା, ଫ୍ଲାଟ ଓ ପ୍ଳଟର ମାପଚୁପ ଓ ମୂଲ୍ୟାୟନ କାର୍ଯ୍ୟ ଜାରି ରଖିଛି ଭିଜିଲାନ୍ସର ବୈଷୟିକ ଟିମ୍ । ମୁଖ୍ୟଯନ୍ତ୍ରୀ ଶ୍ରୀ ରାଓଙ୍କ ଶାଳକଙ୍କ ଘରେ ମଧ୍ୟ ଭିଜିଲାନ୍ସ ପକ୍ଷରୁ ଚଢ଼ଉ କରାଯାଉଥିଲା । ସେଠାରୁ ଭିଜିଲାନ୍ସକୁ ନଗଦ ୪୬.୪୫ ଲକ୍ଷ ଟଙ୍କା ମିଳିଛି । ଶ୍ରୀ ରାଓଙ୍କ ଶାଳକ ବ୍ରହ୍ମପୁର ଜେଲରେ ଡାକ୍ତର ଅଛନ୍ତି । ଏତେ ପରିମାଣରେ ନଗଦ ଅର୍ଥ କେଉଁଠାରୁ ଆସିଲା, ସେ ନେଇ ଭିଜିଲାନ୍ସ ପକ୍ଷରୁ ତଦନ୍ତ ଜାରି ରହିଛି । ଏସ୍‌ବିଆଇର ବ୍ରହ୍ମପୁର ଶାଖାରେ ଶ୍ରୀ ରାଓଙ୍କ ପତ୍ନୀଙ୍କ ନାମରେ ଏକ ଲକର ଅଛି । ଭିଜିଲାନ୍ସ ପକ୍ଷରୁ ଏଯାଏଁ ଉକ୍ତ ଲକରକୁ ଖୋଲା ଯାଇନି । ତାଙ୍କର ଅନ୍ୟାନ୍ୟ ଜମା, ନିବେଶ ଓ ସଂପତ୍ତି ନେଇ ଭିଜିଲାନ୍ସର ଖୋଳତାଡ଼ ଜାରି ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking