28.1 C
Bhubaneswar
Friday, September 20, 2024
Homeଓଡିଶାବର୍ଷା ଓ ସମ୍ଭାବ୍ୟ ବନ୍ୟା ପରିସ୍ଥିତି ସମ୍ପର୍କରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀଙ୍କ ସମୀକ୍ଷା

ବର୍ଷା ଓ ସମ୍ଭାବ୍ୟ ବନ୍ୟା ପରିସ୍ଥିତି ସମ୍ପର୍କରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀଙ୍କ ସମୀକ୍ଷା

ଭୁବନେଶ୍ୱର: ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ବାଲେଶ୍ୱର, ମୟୂରଭଞ୍ଜ, ଭଦ୍ରକ, କେନ୍ଦୁଝର, ଯାଜପୁର ଓ ସୁନ୍ଦରଗଡ଼ ଜିଲ୍ଲାର ଜିଲ୍ଲାପାଳମାନଙ୍କ ସହ ଲଗାଣ ବର୍ଷା ଓ ସମ୍ଭାବ୍ୟ ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ଆଗୁଆ ପ୍ରସ୍ତୁତି ସଂପର୍କରେ ସମୀକ୍ଷା କରିଥିଲେ । ଭାରତୀୟ ପାଣିପାଗ କେନ୍ଦ୍ରର ପୂର୍ବାନୁମାନ ଅନୁଯାୟୀ ଗତକାଲିର ଗଭୀର ଅବପାତ ଦୁର୍ବଳ ହୋଇ ଅବପାତରେ ପରିଣତ ହେବା ସହ ଏହା ଛତିଶଗଡ଼ ଓ ଝାରଖଣ୍ଡ ମୁହାଁ ହୋଇଛି । ଏହାର ପ୍ରଭାବରେ ଗତ ୪ ଦିନ ଧରି ବାଲେଶ୍ୱର ଓ ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳ ବର୍ଷା ହୋଇଥିବାବେଳେ ଏବେ ଯାଜପୁର ଓ ଭଦ୍ରକ ଜିଲ୍ଲାରେ ମଧ୍ୟ ଭଲ ବର୍ଷା ହୋଇଅଛି । ଏହା ଫଳରେ ବୈତରଣୀ ନଦୀର ଆଖୁଆପଦାଠାରେ ବିପଦ ସଂକେତ ୧୮.୩୩ ମିଟର ଥିବାବେଳେ ଏବେ ୧୮ ମିଟରରେ ଜଳ ପ୍ରବାହ ହେଉଛି । ତେବେ ଏହି ଜଳସ୍ତର ହ୍ରାସ ପାଉଅଛି ।

ସେହିପରି ବୁଢ଼ାବଳଙ୍ଗ ନଦୀର ଜାତୀୟ ରାଜପଥ ନଂ-୫, ଗୋବିନ୍ଦପୁରଠାରେ ବିପଦ ସଂକେତ ୮.୧୩ ମିଟର ଥିବାବେଳେ ଏବେ ଜଳସ୍ତର ୭.୫୨ ମିଟରରେ ପ୍ରବାହିତ ହେଉଛି । ସୁବର୍ଣ୍ଣରେଖା ନଦୀର ରାଜଘାଟଠାରେ ବିପଦସଂକେତ ୧୦.୩୬ ମିଟର ଥିବାବେଳେ ଏବେ ଜଳସ୍ତର ୧୦.୭୦ ମିଟର ରହିଛି । ଜଳକା ନଦୀର ମଥାନୀଠାରେ ବିପଦ ସଂକେତ ୬.୫୦ ମିଟର ଥିବାବେଳେ ଏବେ ଜଳସ୍ତର ୬.୭୬ ମିଟର ରହିଛି ଓ ଏହା ହ୍ରାସ ପାଇବାରେ ଲାଗିଛି । ସେଣ୍ଟ୍ରାଲ୍‌ ୱାଟର କମିଶନର ପୂର୍ବାନୁମାନ ଅନୁଯାୟୀ ସୁବର୍ଣ୍ଣରେଖା ନଦୀରେ ୧୦.୯୫ ମିଟର ସ୍ତରରେ ଜଳ ପ୍ରବାହିତ ହୋଇପାରେ, ଯାହାକି ସର୍ବୋଚ୍ଚ ଜଳପ୍ରବାହ ସ୍ତର ଅଟେ ଓ ଏହାର ପ୍ରଭାବରେ ବାଲେଶ୍ୱର ଜିଲ୍ଲାର ବସ୍ତା, ଭୋଗରାଇ ଓ ବାଲିଆପାଳ ଅଞ୍ଚଳରେ ବନ୍ୟା ଆଶଙ୍କା ସୃଷ୍ଟି ହୋଇପାରେ । ଅନ୍ୟ ପକ୍ଷରେ ସୁନ୍ଦରଗଡ଼ ଓ କେନ୍ଦୁଝର ଜିଲ୍ଲାପାଳଙ୍କ ସୂଚନା ଅନୁଯାୟୀ ଏହିସବୁ ଜିଲ୍ଲାରେ ସେଭଳି କିଛି ବନ୍ୟାର ଆଶଙ୍କା ନାହିଁ । ତଥାପି ଜିଲ୍ଲା ପ୍ରଶାସନଙ୍କୁ ପରିବର୍ତ୍ତୀ ୨୪ ଘଣ୍ଟା ସତର୍କ ରହିବା ପାଇଁ ସୂଚାଇ ଦିଆଯାଇଛି । ଭଦ୍ରକ ଜିଲ୍ଲାପାଳଙ୍କ ସୂଚନା ଅନୁଯାୟୀ ଆଖୁଆପଦାଠାରେ ଜଳସ୍ତର ହ୍ରାସ ପାଇଥିବାବେଳେ ଜିଲ୍ଲରେ ବିଶେଷ ବର୍ଷା ହୋଇନାହିଁ । ତେବେ ଜିଲ୍ଲାରେ ବନ୍ୟା ପରିସ୍ଥିତିର ସମ୍ଭାବନା ନାହିଁ । ପରବର୍ତ୍ତୀ ୨୪ ଘଣ୍ଟା ସତର୍କ ରହିବା ପାଇଁ କୁହାଯାଇଛି ।

ମୟୂରଭଞ୍ଜ ଜିଲ୍ଲାର ଜିଲ୍ଲାପାଳଙ୍କ ସୂଚନା ଅନୁଯାୟୀ ଜିଲ୍ଲାରେ ଗତ ତିନିଦିନ ମଧ୍ୟରେ ହାରାହାରି ବୃଷ୍ଟିପାତ ଭଲ ରହିଛି (୨୦୩.୩ ମିଲିମିଟର) । ବୁଢ଼ାବଳଙ୍ଗ ଓ ସୁବର୍ଣ୍ଣରେଖା ଉଭୟ ନଦୀ ଜିଲ୍ଲା ପାଇଁ ବିପଦ । ଆଜି ଜିଲ୍ଲାରେ ସେଭଳି କୌଣସି ବର୍ଷା ନାହିଁ । ବାଲେଶ୍ୱର ଜିଲ୍ଲାପାଳଙ୍କ ସୂଚନା ଅନୁଯାୟୀ ସୁବର୍ଣ୍ଣରେଖା, ବୁଢ଼ାବଳଙ୍ଗ ଓ ଜଳକା ନଦୀ ଜିଲ୍ଲା ମଧ୍ୟ ଦେଇ ପ୍ରବାହିତ ହେଉଥିବାବେଳେ ଏବେ ଏସବୁ ଜିଲ୍ଲା ପାଇଁ ଚିନ୍ତାର ବିଷୟ । ବର୍ତ୍ତମାନ ସୁଦ୍ଧା ଭୋଗରାଇ ବ୍ଲକ୍‌ର ୪୦୦ ଜଣଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ସେହିପରି ଯାଜପୁର ଜିଲ୍ଲାପାଳଙ୍କ ସୂଚନା ଅନୁଯାୟୀ ଜିଲ୍ଲାରେ ବନ୍ୟାର କୌଣସି ଆଶଙ୍କା ନାହିଁ । ଯଦିଓ ଆଖୁଆପଦାଠାରେ ବୈତରଣୀ ନଦୀର ଜଳସ୍ତର ହ୍ରାସ ପାଉଛି । ତେବେ ବିrାରପୁର ଓ ଦଶରଥପୁର ବ୍ଲକ୍‌ରେ କ୍ଷେତ୍ରୀୟ କର୍ମଚାରୀମାନଙ୍କୁ ସଜାଗ ରଖାଯାଇଛି । ସ୍ୱତନ୍ତ୍ର ରିଲିଫ୍‌ କମିଶନର ଜିଲ୍ଲାପାଳମାନଙ୍କୁ ପରିସ୍ଥିତିରେ ଉନ୍ନତି ଘଟିବା ପରେ କ୍ଷୟକ୍ଷତିର ଆକଳନ କରି ଏକ ସପ୍ତାହ ମଧ୍ୟରେ ରିପୋର୍ଟ ଦାଖଲ କରିବା ପାଇଁ କହିଛନ୍ତି । ଜିଲ୍ଲାପାଳମାନଙ୍କର ଆବଶ୍ୟକତା ଅନୁସାରେ ମୁଖ୍ୟ ଆଗ୍ନିକ, ଅଗ୍ନିଶମ ବାହିନୀର ଅତିରିକ୍ତ ଟିମ୍‌କୁ ତୁରନ୍ତ ମୁତୟନ କରିବା ପାଇଁ କୁହାଯାଇଛି ।

ମନ୍ତ୍ରୀ ଶ୍ରୀ ପୂଜାରୀ ଜିଲ୍ଲାପାଳମାନଙ୍କୁ ବିପଦ ଆଶଙ୍କା ଥିବା ଲୋକମାନଙ୍କୁ ତୁରନ୍ତ ସ୍ଥାନାନ୍ତର କରିବା ସହ ରନ୍ଧାଖାଦ୍ୟ ଯୋଗାଇଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଜିଲ୍ଲାପାଳମାନେ ଘରଦ୍ୱାର ଓ ଚାଷର ସଠିକ୍‌ କ୍ଷୟକ୍ଷତି ଆକଳନ ସମୟରେ ଦାୟିତ୍ୱର ସହ କାର୍ଯ୍ୟକରିବା ପାଇଁ କୁହାଯାଇଛି । ତହସିଲଦାର ଓ ରାଜସ୍ୱ ନିରୀକ୍ଷକମାନେ ଏହାକୁ ସଠିକ୍‌ ଭାବରେ ନିର୍ବାହ କରିବା ପାଇଁ ଗୁରୁତ୍ୱାରୋପ କରାଯାଇଛି । ବର୍ଷା ଓ ସମ୍ଭାବ୍ୟ ବନ୍ୟା ପରିସ୍ଥିତି ସମ୍ପର୍କରେ ଜିଲ୍ଲାପାଳମାନେ ସତର୍କ ରହିବା ସହ ଏସବୁ ସମ୍ପର୍କରେ ସରକାରଙ୍କୁ ତୁରନ୍ତ ଅବଗତ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏହି ଅବସରରେ ସ୍ୱତନ୍ତ୍ର ରିଲିଫ୍‌ କମିଶନର, ଜଳସଂପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ, ମୁଖ୍ୟ ଆଗ୍ନିକ, ଏସ୍‌ଆର୍‌ସିଙ୍କ କାର୍ଯ୍ୟାଳୟ ଓ ଓସ୍‌ଡମାର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking