24.1 C
Bhubaneswar
Sunday, March 22, 2026
Homeଓଡିଶାମୁଖ୍ୟମନ୍ତ୍ରୀଙ୍କ ମାଲକାନଗିରି ଗସ୍ତ : ଆକାଶମାର୍ଗରୁ ପରିସ୍ଥିତି ଆକଳନ

ମୁଖ୍ୟମନ୍ତ୍ରୀଙ୍କ ମାଲକାନଗିରି ଗସ୍ତ : ଆକାଶମାର୍ଗରୁ ପରିସ୍ଥିତି ଆକଳନ

ବର୍ଷା ଜନିତ କ୍ଷୟକ୍ଷତିର ସମୀକ୍ଷା

ସାତ ଦିନ ମଧ୍ୟରେ କ୍ଷୟକ୍ଷତି ଆକଳନ କରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ

ଜଣେ ବି ପ୍ରଭାବିତ ବ୍ୟକ୍ତି ଯେପରି ସରକାରୀ ସହାୟତା ପାଇବାରୁ ବଞ୍ଚିତ ନ ହୁଅନ୍ତି ତାହା ସୁନିଶ୍ଚିତ କର – ଜିଲ୍ଲା ପ୍ରଶାସନକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ବର,: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ମାଲକାନଗିରି ଜିଲ୍ଲା ଗସ୍ତ କରି ଲଗାଣ ବର୍ଷା ଜନିତ କ୍ଷୟକ୍ଷତି ସମ୍ପର୍କରେ ସମୀକ୍ଷା କରି ସାତ ଦିନ ମଧ୍ୟରେ ସମସ୍ତ କ୍ଷୟକ୍ଷତିର ଆକଳନ କରି ରିପୋର୍ଟ ପ୍ରଦାନ କରିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରଥମେ ମୁଖ୍ୟମନ୍ତ୍ରୀ ଆକାଶମାର୍ଗରେ ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଥିଲେ।

ଏହି ପରିପ୍ରେକ୍ଷୀରେ ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଭାଙ୍ଗି ଯାଇଥିବା ସମସ୍ତ କଚ୍ଚା ଘର ନିମନ୍ତେ ତୁରନ୍ତ ସହାୟତା ପ୍ରଦାନ ଉପରେ ଗୁରୁତ୍ବ ଆରୋପ କରିଛନ୍ତି। ବିଜୁଳି ସଂଯୋଗୀକରଣ କାର୍ଯ୍ୟକୁ ଅଗ୍ରାଧିକାର ଭିତ୍ତିରେ ସଂପୂର୍ଣ୍ଣ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।

ଜଣେ ମଧ୍ୟ ପ୍ରଭାବିତ ବ୍ୟକ୍ତି ସରକାରୀ ସହାୟତା ପାଇବାରୁ ଯେପରି ବଞ୍ଚିତ ନ ହୁଅନ୍ତି ତାହା ସୁନିଶ୍ଚିତ କରିବାକୁ ଜିଲ୍ଲା ପ୍ରଶାସନକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ପ୍ରବଳ ବର୍ଷା ଯୋଗୁଁ ଜଳ ଜନିତ ରୋଗର ସମ୍ଭାବନାକୁ ରୋକିବା ପାଇଁ ପର୍ଯ୍ୟାପ୍ତ ପରିମାଣରେ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବା ପାଇଁ ମଧ୍ୟ ସେ ପରାମର୍ଶ ଦେଇଛନ୍ତି।

ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନର ବ୍ୟାପକ ପୂର୍ବ ପ୍ରସ୍ତୁତି ଯୋଗୁଁ zero casualty ସମ୍ଭବ ହୋଇପାରିଛି ବୋଲି ମତ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ପ୍ରତିଦିନ ପାଣିପାଗ ବିଭାଗଠାରୁ ପ୍ରାପ୍ତ ସୂଚନା ଅନୁଯାୟୀ ସତର୍କ ସୂଚନା ସଂପୃକ୍ତ ଜିଲ୍ଲାମାନଙ୍କୁ ନିରନ୍ତର ଭାବେ ପ୍ରେରଣ କରାଯାଉଥିଲା । ଏଥିସହିତ ରାଜ୍ୟ ଆପଦକାଳୀନ ପରିଚାଳନା କେନ୍ଦ୍ରରୁ ୨୪ ଘଣ୍ଟିଆ ଭାବେ ପରିସ୍ଥିତି ଉପରେ ନଜର ରଖାଯାଇଥିଲା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ଏହିପରି ଜରୁରୀ ସମୟରେ ଓଡରାଫ ଓ ଅଗ୍ନିଶମ ବିଭାଗ କର୍ମଚାରୀଙ୍କ ସେବା ପ୍ରଶଂସନୀୟ ବୋଲି ରାଜସ୍ୱ ମନ୍ତ୍ରୀ ଶ୍ରୀ ପୂଜାରୀ ମତବ୍ୟକ୍ତ କରିଥିଲେ। ଓଡ଼ିଶା ରିଲିଫ୍ କୋଡ ଅନୁଯାୟୀ ସମସ୍ତ କ୍ଷୟକ୍ଷତିର ଆକଳନ କରାଯାଇ ପର୍ଯ୍ୟାପ୍ତ ସହଯୋଗ ରାଶି ପ୍ରଦାନ କରାଯିବ ବୋଲି ଶ୍ରୀ ପୂଜାରୀ କହିଛନ୍ତି।

ବୈଠକରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ, ନବରଙ୍ଗପୁର ସାଂସଦ ଶ୍ରୀ ବଳଭଦ୍ର ମାଝୀ, ମାଲକାନଗିରି ବିଧାୟକ ଶ୍ରୀ ନରସିଂହ ମାଡକାମୀ, ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା, ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ସ୍ବତନ୍ତ୍ର ରିଲିଫ୍ କମିଶନର ଶ୍ରୀ ଦେଓ ରଞ୍ଜନ ସିଂ, ଦକ୍ଷିଣାଞ୍ଚଳ ଡିଆଇଜି ଶ୍ରୀ ଚରଣ ସିଂ ମୀନା, ଜିଲ୍ଲାପାଳ ଶ୍ରୀ ଆଶିଷ ଈଶ୍ୱର ପାଟିଲ ଉପସ୍ଥିତ ଥିଲେ।

ବୈଠକ ଆରମ୍ଭରେ ଜିଲ୍ଲାପାଳ ପ୍ରବଳ ବର୍ଷାକୁ ମୁକାବିଲା କରିବା ପାଇଁ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି ନେଇ ବିସ୍ତୃତ ସୂଚନା ଉପସ୍ଥାପନ କରିଥିଲେ। ସୂଚନା ଥାଉ କି ସେପ୍ଟେମ୍ବର ୫ ତାରିଖରେ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଥିଲା । ଏହା କ୍ରମେ ଘନୀଭୂତ ହୋଇ ୮ ତାରିଖରେ ଗଭୀର ଅବପାତରେ ପରିଣତ ହୋଇଥିଲା । ଏହାର ପ୍ରଭାବରେ ୯ ଏବଂ ୧୦ ତାରିଖରେ ମାଲକାନାଗିରି ଜିଲ୍ଲାରେ ଅତି ପ୍ରବଳ ବର୍ଷା ହୋଇଥିଲା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking