28.1 C
Bhubaneswar
Thursday, September 19, 2024
Homeଦେଶ ବିଦେଶମହାରାଷ୍ଟ୍ର ବିଧାନସଭା ନିର୍ବାଚନ: ଏନ୍‌ଡିଏର ସିଟ୍ ଶେୟାରିଂ ଫର୍ମୁଲା ଚୂଡାନ୍ତ; ୧୪୦ ଆସନରେ ଲଢ଼ିବ ବିଜେପି!

ମହାରାଷ୍ଟ୍ର ବିଧାନସଭା ନିର୍ବାଚନ: ଏନ୍‌ଡିଏର ସିଟ୍ ଶେୟାରିଂ ଫର୍ମୁଲା ଚୂଡାନ୍ତ; ୧୪୦ ଆସନରେ ଲଢ଼ିବ ବିଜେପି!

ମୁମ୍ବାଇ: ଆଗକୁ ଅନୁଷ୍ଠିତ ହେବାକୁ ଥିବା ୨୮୮ ଆସନ ବିଶିଷ୍ଟ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ପ୍ରଦେଶ ଏନ୍‌ଡିଏ ମେଣ୍ଟ (ମହାୟୁତି) ମଧ୍ୟରେ ଆସନ ବୁଝାମଣା ଶେଷ ହୋଇଛି। ଚୂଡାନ୍ତ ବୁଝାମଣା ଅନ୍ତର୍ଗତ ବିଜେପି ଏଠାରେ ୧୪୦ରୁ ୧୫୦ ଆସନରେ ପ୍ରାର୍ଥୀ ଦେଇପାରେ। ସେହିପରି ବିଜେପି ଅନ୍ୟ ଦୁଇ ସହଯୋଗୀ ଦଳ ଶିନ୍ଦେ ଗୋଷ୍ଠୀ ଶିବସେନା ଏବଂ ଅଜିତ ପୱାର ଗୋଷ୍ଠୀ ଏନ୍‌ସିପି ପରସ୍ପର ମଧ୍ୟରେ ବାକି ଆସନ ବାଣ୍ଟିନେବେ। ଦଳୀୟ ସୂତ୍ରରୁ ମିଳିଥିବା ସୂଚନାନୁସାରେ ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ଶିବସେନା ଗୋଷ୍ଠୀ ୮୦ଟି ଓ ଅଜିତ ପୱାରଙ୍କ ଏନସିପି ସମ୍ଭବତଃ ୫୫ଟି ଆସନରେ ଲଢ଼ିବେ। ସେହିପରି ବାକି ଆସନଗୁଡ଼ିକୁ ମହାୟୁତି ମେଣ୍ଟରେ ସାମିଲ ହୋଇଥିବା ଅନ୍ୟ ଛୋଟ ଆଞ୍ଚଳିକ ଦଳଙ୍କ ମଧ୍ୟରେ ବଣ୍ଟାଯିବ।
ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ନିର୍ବାଚନ ତାରିଖ କିମ୍ବା ବିଜ୍ଞପ୍ତି ଜାରି ହୋଇନଥିଲେ ମଧ୍ୟ ଏବେଠାରୁ ରାଜନୈତିକ ଦଳଙ୍କ ମଧ୍ୟରେ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ମହାୟୁତି ମେଣ୍ଟକୁ କଡା ଟକ୍କର ଦେବା ପାଇଁ ରାଜ୍ୟର ବିରୋଧୀ ମେଣ୍ଟ ମହାବିକାଶ ଅଘାଡି ମେଣ୍ଟ (ଏମ୍‌ଭିଏ) ସ୍ୱତନ୍ତ୍ର ରଣନୀତି ମଧ୍ୟ ଆରମ୍ଭ କରିଦେଇଛି। କଂଗ୍ରେସ, ଉଦ୍ଧବ ଠାକରେଙ୍କ ଶିବସେନା ଓ ଶରଦ ପାୱାରଙ୍କ ଏନସିପି ମିଳିତ ଭାବେ ଏମଭିଏ ଗଠନ କରିଛନ୍ତି। ପ୍ରକାଶ, ନିକଟରେ ଶେଷ ହୋଇଥିବା ଲୋକସଭା ନିର୍ବାଚନରେ ମହାରାଷ୍ଟ୍ରରେ ବିରୋଧୀ ମେଣ୍ଟ ୪୮ଟି ଆସନରୁ ୩୦ଟିରେ ଜିତିଥିବା ବେଳେ ଶାସକ ମହାୟୁତି ମେଣ୍ଟ କେବଳ ୧୭ଟି ଆସନ ଜିତିବାକୁ ସକ୍ଷମ ହୋଇଥିଲା। ତେବେ ରାଜନୈତିକ ସମୀକ୍ଷକ ତଥା ଅନ୍ୟାନ୍ୟ ଆକଳନଜନିତ ରିପୋର୍ଟ ଅନୁସାରେ ମହାୟୁତି ମେଣ୍ଟକୁ ଏମ୍‌ଭିଏ ମେଣ୍ଟ ଏଥର ସହଜରେ ପରାଜିତ କରିବା ସହ ପୁନଃ ସରକାର ଗଠନ କରିବାରେ ସଫଳ ହେବ। ଏପ୍ରକାର ରିପୋର୍ଟ ସାମ୍ନାକୁ ଆସିବା ପରେ ଶାସକ ଦଳ ସାମାନ୍ୟ ଭୟଭୀତ ହୋଇପଡିଥିବା ନେଇ ମଧ୍ୟ ଚର୍ଚ୍ଚା ହେଉଛି।
୨୦୧୯ରେ ମହାରାଷ୍ଟ୍ରରେ ବିଜେପି ଓ ବିଭାଜିତ ହୋଇ ନଥିବା ଶିବସେନା ବିଜୟୀ ହୋଇଥିଲେ। ତେବେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଟଣାଓଟରା ସ୍ଥିତି ସୃଷ୍ଟି ହେବାରୁ ଶିବସେନା ମୁଖ୍ୟ ଉଦ୍ଧବ ଠାକରେ କଂଗ୍ରେସ ଓ ଏନସିପି ସହ ମିଶି ସରକାର ଗଠନ କରିଥିଲେ। ୨୦୨୨ରେ ଶିବସେନାର ଅନ୍ୟତମ ପ୍ରମୁଖ ନେତା ଏକନାଥ ଶିନ୍ଦେ, ବିଦ୍ରୋହ କରିବାରୁ ଉଦ୍ଧବ ଠାକରେଙ୍କ ସରକାର ଭୁଶୁଡ଼ି ପଡ଼ିଥିଲା। ଶିନ୍ଦେ ନିଜ ସମର୍ଥକ ବିଧାୟକଙ୍କ ସହ ମିଶି ସରକାର ଗଠନ କରିବା ସହ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ହୋଇଥିଲେ। ଏହାପରେ ଏନ୍‌ସିପିର ଅଜିତ ପୱାର ମଧ୍ୟ ନିଜ ଦାଦା ଶରଦ ପୱାରଙ୍କୁ ଛାଡ଼ି କ୍ଷମତା ଲୋଭରେ ବିଜେପି ସହ ହାତ ମିଳାଇଥିଲେ। ତେବେ ଏବେ ଆଗକୁ ହେବାକୁ ଥିବା ବିଧାନସଭା ନିର୍ବାଚନ ଉପରେ ସମସ୍ତଙ୍କ ନଜର ରହିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking