ମଣିପୁର: ପୁଣି ଅଶାନ୍ତ ମଣିପୁର । ଗତ ୨୪ ଘଣ୍ଟାରେ କୁକୀ ସମ୍ପ୍ରଦାୟର ଚାରିଜଣଙ୍କୁ ହତ୍ୟା । ଯେଉଁଥିରେ ଦୁଇଜଣ ମହିଳା ଥିବା ଜଣାପଡ଼ିଛି । ତାମେଙ୍ଗଲୋଙ୍ଗ ଏବଂ ନୋନି ଜିଲ୍ଲାରେ ଏହି ଅଭାବନୀୟ ଘଟଣା ଘଟିଛି । ତାମେଙ୍ଗଲୋଙ୍ଗ ଜିଲ୍ଲାର କୈମାଇ ଥାନା ଅନ୍ତର୍ଗତ ଟୋଲେନ୍ କୁକୀ ଗାଁରେ ଜଣେ ମହିଳାଙ୍କ ସମେତ ଦୁଇଜଣଙ୍କର ମୃତ୍ୟୁ ହୋଇଥିବାବେଳେ, ନୋନି ଜିଲ୍ଲାର ନୁଙ୍ଗବା ଥାନା ଅନ୍ତର୍ଗତ ଲୋଙ୍ଗପି ଗାଁରେ ଆଉ ଏକ ଆକ୍ରମଣରେ ଆଉ ଦୁଇଜଣଙ୍କୁ ଗୁଳି କରି ହତ୍ୟା କରାଯାଇଛି ।
ସେହିପରି ୬ ବର୍ଷର ଏକ ନିରୀହ ଶିଶୁ ଗୁଳିମାଡ଼ର ଶିକାର ହୋଇଛନ୍ତି। ପୁଲିସର ସୂଚନା ଅନୁସାରେ, ଟୋଲେନ୍ ଗାଁରେ ସନ୍ଦିଗ୍ଧ ଉଗ୍ରବାଦୀମାନେ ଏକ ଘର ଉପରେ ଆକ୍ରମଣ କରିଥିଲେ, ଯେଉଁଥିରେ ଜଣେ ମହିଳାଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ଏହି ଆକ୍ରମଣରେ ତାଙ୍କ ସ୍ୱାମୀ ଏବଂ ୬ ବର୍ଷର କୁନି ପୁଅ ମଧ୍ୟ ଗୁଳିମାଡ଼ର ଶିକାର ହୋଇଥିଲେ। ଗୁରୁତର ଅବସ୍ଥାରେ ଆହତମାନଙ୍କୁ ଆଶାମର ସିଲଚର ନିଆଯାଉଥିବା ବେଳେ ରାସ୍ତାରେ ସ୍ୱାମୀଙ୍କର ମୃତ୍ୟୁ ହୋଇଥିଲା । ଘଟଣା ସମ୍ପର୍କରେ ଖବର ପାଇବା ପରେ ସୁରକ୍ଷା ବାହିନୀ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିଥିଲେ ।










