28.1 C
Bhubaneswar
Thursday, September 19, 2024
Homeଦେଶ ବିଦେଶଦିଲ୍ଲୀରେ ଲାଗୁହେବ ରାଷ୍ଟ୍ରପତି ଶାସନ!

ଦିଲ୍ଲୀରେ ଲାଗୁହେବ ରାଷ୍ଟ୍ରପତି ଶାସନ!

ନୂଆଦିଲ୍ଲୀ : ଦିଲ୍ଲୀରେ ରାଷ୍ଟ୍ରପତି ଶାସନ ଲାଗୁ ହୋଇପାରେ। ଏପ୍ରକାର ଏକ ଆକଳନ ଏବେ ଘନୀଭୂତ ହେବାରେ ଲାଗିଛି। ରିପୋର୍ଟ ଅନୁସାରେ ପ୍ରଦେଶ ବିଜେପି ପକ୍ଷରୁ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କୁ ଏକ ଚିଠି ପଠାଯାଇ ମୁଖ୍ୟମନ୍ତ୍ରୀଙ୍କ ବିନା ଦିଲ୍ଲୀରେ ସାମ୍ବିଧାନିକ ସଂକଟ ଦେଖାଦେଇଥିବା ଏବଂ ପ୍ରଶାସନିକ କାର୍ଯ୍ୟରେ ଅହେତୁକ ବିଳମ୍ବ ହେଉଥିବା ସମ୍ପର୍କରେ ଅବଗତ କରାଯାଇଛି। ଅନ୍ୟପକ୍ଷେ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ମଧ୍ୟ ଏହି ଚିଠି ସମ୍ପର୍କରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟକୁ ସୂଚୀତ କରିଛନ୍ତି। ରାଷ୍ଟ୍ରପତି ଏହି ଘଟଣାର ଅନୁଧ୍ୟାନ ତଥା ବିଚାର କରିବା ସହ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟକୁ କହିଥିବା ସୂଚନା ମିଳିଛି। ଯଦି ରିପୋର୍ଟକୁ ବିଶ୍ୱାସ କରାଯାଏ, ତେବେ ରାଷ୍ଟ୍ରପତିଙ୍କ ସଚିବାଳୟ ବିଜେପି ବିଧାୟକଙ୍କ ଚିଠିକୁ ଗୃହ ସଚିବଙ୍କୁ ଦେଇଛନ୍ତି। ସେବେଠାରୁ ଦିଲ୍ଲୀରେ ରାଷ୍ଟ୍ରପତିଙ୍କ ଶାସନ ଲାଗୁ ହେବାର ଗୁଜବ ବୃଦ୍ଧି ପାଇବାରେ ଲାଗିଛି। ଏହି ଚିଠିରେ କ’ଣ ଲେଖାଯାଇଛି ସେନେଇ ଚର୍ଚ୍ଚା ହେଉଛି।
ଦିଲ୍ଲୀର କ୍ଷମତାସୀନ ଆମ ଆଦମୀ ପାର୍ଟି(ଆପ୍‌) ସରକାରୁ ବରଖାସ୍ତ କରିବା ପାଇଁ ବିଜେପି ବିଧାୟକମାନେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଚିଠି ଲେଖିଛନ୍ତି। ଅଗଷ୍ଟ ୩୦ରେ ଦିଲ୍ଲୀ ବିଧାନସଭା ବିରୋଧୀ ଦଳର ନେତା ବିଜେନ୍ଦ୍ର ଗୁପ୍ତାଙ୍କ ସମେତ ଅନେକ ବିଜେପି ନେତା ରାଷ୍ଟ୍ରପତିଙ୍କୁ ଦିଲ୍ଲୀରେ ସାମ୍ପ୍ରତିକ ରାଜନୈତିକ ଅଚଳାବସ୍ଥା ସମ୍ପର୍କରେ ଉଲ୍ଲେଖ କରିବା ପୂର୍ବକ ଏହି ଚିଠି ଲେଖିଥିଲେ। ମଦ ନୀତି ଠାରୁ ଆରମ୍ଭ କରି ୱାଟର ବୋର୍ଡରେ ଆର୍ôଥକ ସମସ୍ୟା ପର୍ଯ୍ୟନ୍ତ ଅନେକ ପ୍ରସଙ୍ଗ ଉପରେ ଏହି ଚିଠିରେ ଆଲୋଚନା କରାଯାଇଥିଲା। ଅନ୍ୟପକ୍ଷେ ବିଜେପି ବିଧାୟକଙ୍କ ଚିଠି ପାଇବା ପରେ ରାଷ୍ଟ୍ରପତି ଏହାକୁ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପାଖକୁ ପଠାଇ ଦେଇଛନ୍ତି। ଏହା ଉପରେ ବିଚାର କରିବା ପାଇଁ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟକୁ କହିଥିବା ଜଣାପଡ଼ିଛି। ତେବେ ରାଷ୍ଟ୍ରପତିଙ୍କ ପକ୍ଷରୁ ଏହି ଚିଠିକୁ ଗମ୍ଭୀରତାର ସହ ଗ୍ରହଣ କରାଯିବା ଏବଂ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟକୁ ଏସମ୍ପର୍କରେ ବିଚାର ବିମର୍ଶ କରିବାକୁ କୁହାଯିବା ନେଇ ସୂଚନା ମିଳିବା ମାତ୍ରେ ଶାସକ ଆପ୍ ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।
ଆପ୍ ପକ୍ଷରୁ ବିଜେପିକୁ ତୀବ୍ର ସମାଲୋଚନା କରାଯାଇଛି। ଦିଲ୍ଲୀ କ୍ୟାବିନେଟ ମନ୍ତ୍ରୀ ଅତିଶୀ ଅଭିଯୋଗ କରିଛନ୍ତି ଯେ, ବିଜେପି ପଛ ଦ୍ୱାରରେ କେଜ୍ରିୱାଲ ସରକାରକୁ ହଟାଇବାକୁ ଚାହୁଁଛି। ଆସନ୍ତା ବର୍ଷର ବିଧାନସଭା ନିର୍ବାଚନରେ ନିଶ୍ଚିତ ପରାଜୟକୁ ଟାଳିବା ପାଇଁ ବିଜେପି ଏପରି ଷଡ଼ଯନ୍ତ୍ର କରୁଛି ବୋଲି ସେ କହିଛନ୍ତି। ଅତିଶୀଙ୍କ କହିବାନୁସାରେ ଆଗାମୀ ଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପି ପରାଜୟ ସ୍ୱୀକାର କରିସାରିଛି। ନିର୍ବାଚିତ ସରକାରକୁ ଭାଙ୍ଗିବା ହିଁ ବିଜେପିର ଏକମାତ୍ର ଲକ୍ଷ୍ୟ ରହିଛି। ବିଜେପି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଭୟ କରୁଛି। ଏହା ବିଜେପିର ନୂଆ ଷଡ଼ଯନ୍ତ୍ର। ତେବେ ବିଜେପିର ଏହି ଷଡଯନ୍ତ୍ର କଦାପି ସଫଳ ହେବ ନାହିଁ। ଆଗାମୀ ଦିଲ୍ଲୀ ବିଧାନସଭା ନିର୍ବାଚନରେ ବିଜେପି ଖାତା ଖୋଲିପାରିବ ନାହିଁ ବୋଲି ଅତିଶୀ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ସେହିପରି ଆପ୍‌ର ରାଜ୍ୟସଭା ସାଂସଦ ସଞ୍ଜୟ ସିଂହ ମଧ୍ୟ ବିଜେପିକୁ ଟାର୍ଗେଟ କରିଛନ୍ତି ଓ ତାଙ୍କ ଦଳ ନିର୍ବାଚନ ପାଇଁ ପ୍ରସ୍ତୁତ ଥିବା ଘୋଷଣା କରିଛନ୍ତି। ସେ କହିଛନ୍ତି, “ଯଦି ବିଜେପି ଶୀଘ୍ର ହାରିବାକୁ ଚାହୁଁଛି, ତା’ହେଲେ ଆସନ୍ତାକାଲି ଦିଲ୍ଲୀ ବିଧାନସଭା ନିର୍ବାଚନ ତାରିଖ ଘୋଷଣା କରୁ। ଆମେ ନିର୍ବାଚନ ପାଇଁ ପ୍ରସ୍ତୁତ।”
ଏସବୁ ମଧ୍ୟରେ କେନ୍ଦ୍ର ସରକାର ଦିଲ୍ଲୀରେ ରାଷ୍ଟ୍ରପତିଙ୍କ ଶାସନ ଲାଗୁ କରିବାକୁ ପ୍ରସ୍ତୁତ ହେଉଥିବା ଖବର ସାମ୍ନାକୁ ଆସିବା ପରେ ଦିଲ୍ଲୀରେ ଏବେ ରାଜନୈତିକ ଉଷ୍ଣତା ବୃଦ୍ଧି ପାଇବାରେ ଲାଗିଛି। ଗୃହ ମନ୍ତ୍ରଣାଳୟ ଏହା ଉପରେ କ’ଣ ଉତ୍ତର ଦେଉଛନ୍ତି ସେ ନେଇ ରାଜନେ?ତିକ ମହଲରେ ଉତ୍କଣ୍ଠା ବୃଦ୍ଧି ପାଇଛି। ଯଦି ଗୃହ ମନ୍ତ୍ରଣାଳୟ ରାଷ୍ଟ୍ରପତିଙ୍କ ଶାସନ ଲାଗୁ ହେବା ନେଇ ରାଜି ହୁଅନ୍ତି, ତେବେ ସମ୍ଭବତଃ ଦିଲ୍ଲୀରେ ରାଷ୍ଟ୍ରପତିଙ୍କ ଶାସନ ଲାଗୁ ହୋଇପାରେ ବୋଲି କୁହାଯାଉଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking