ଚଣ୍ଡିଗଡ: ଗୋ-ଚାଲାଣକାରୀ ସନ୍ଦେହରେ ଜଣେ ୧୯ବର୍ଷୀୟ ଯୁବକକୁ ନିର୍ମର୍ମ ଭାବେ ପିଟିପିଟି ହତ୍ୟା କରାଯିବା ଭଳି ଅତ୍ୟନ୍ତ ସ୍ପର୍ଶକାତର ଘଟଣା ସାମ୍ନାକୁ ଆସିଛି । ହରିଆଣାର ଫରିଦାବାଦ୍ ଜିଲ୍ଲାରେ ଏହି ଅଘଟଣ ଘଟିଛି । ହତ୍ୟା କରିବା ପୂର୍ବରୁ ଅଭିଯୁକ୍ତମାନେ ଯୁବକଙ୍କ କାରକୁ ୨୫ କିଲୋମିଟର ପର୍ଯ୍ୟନ୍ତ ପିଛା କରିଥିଲେ । ପରେ ଯୁବକକୁ କାରରୁ ବାହାରକୁ ଆଣି ନିର୍ମର୍ମ ଭାବେ ମାଡ଼ ମାରିଥିଲେ, ଯେଉଁଥିରେ ଯୁବକଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି । ତେବେ ଏହି ଘଟଣାରେ ପୁଲିସ ବର୍ତ୍ତମାନ ସୁଦ୍ଧା ୫ଜଣଙ୍କୁ ଗିରଫ କରି ପଚରାଉଚୁରା ଆରମ୍ଭ କରିଛି ।
ମୃତ ଯୁବକଙ୍କ ନାମ ଆର୍ୟନ ମିଶ୍ର (୧୯) । ଆର୍ୟନ୍ ତାଙ୍କ ୨ ବନ୍ଧୁ ହର୍ଷିତ୍ ଏବଂ ଶାଙ୍କିଙ୍କ ସହ ଅଗଷ୍ଟ ୨୩ ତାରିଖ ମଧ୍ୟରାତ୍ରିରେ ଏକ ଲାଲରଙ୍ଗର ଏସୟୁଭିରେ ବାହାରକୁ ବୁଲିବାକୁ ଯାଇଥିଲେ । ଏହି ସମୟରେ ଅଭିଯୁକ୍ତ ଗୋ ରକ୍ଷକଙ୍କୁ ଖବର ମିଳିଥିଲା ଯେ, କିଛି ଗୋ ଚାଲାଣକାରୀ ଏସ୍ୟୁଭି ଧରି ସହରରେ ଗାଈ ଖୋଜିବା ଆରମ୍ଭ କରିଛନ୍ତି । ଏହି ଖବର ପାଇବା ପରେ ଅଭିଯୁକ୍ତ ଅନିଲ କୌଶିକ, ବରୁଣ, କୃଷ୍ଣ, ଆଦେଶ ଏବଂ ସୌରଭ କାର ଯୋଗେ ଗୋ ଚାଲାଣକାରୀଙ୍କୁ ଖୋଜିବାକୁ ବାହାରି ପଡ଼ିଥିଲେ ।
ଏହି ସମୟରେ ଆରୟନଙ୍କ ଏସୟୁଭି ଦେଖି ତାଙ୍କୁ ଗୋ ଚାଲାଣକାରୀ ବୋଲି ଭାବିଥିଲେ ଅନିଲ କୌଶିକ୍ । ଗାଡ଼ି ଅଟକାଇବାକୁ କହିବାରୁ କାର ଚଳାଉଥିବା ହର୍ଷିତ ଚୋର ପଛରେ ପଡ଼ିଥିବା ଭାବି ଗାଡ଼ି ଅଟକାଇନଥିଲେ । ଅନ୍ୟପକ୍ଷେ କାରଟି ଗୋ ଚାଲାଣକାରୀଙ୍କର ବୋଲି ଅନିଲ ଓ ତାଙ୍କ ସାଙ୍ଗମାନେ ଭାବି ନେଇଥିଲେ । ୨୫ କିଲୋମିଟର ଯାଏ ପିଛା କରିବା ପରେ ଅଭିଯୁକ୍ତମାନେ ଏହି ୩ ଯୁବକଙ୍କୁ ନିର୍ମର୍ମ ଭାବେ ମାଡ଼ ମାରିଥିଲେ । ଗୁରୁତର ଅବସ୍ଥାରେ ଏହି ୩ ଯୁବକଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ଆର୍ୟନ୍ଙ୍କ ମୃତ୍ୟୁ ହୋଇଯାଇଛି ।