28.1 C
Bhubaneswar
Monday, March 30, 2026
Homeଓଡିଶା+୩ ନାମଲେଖା ଗାଇଡଲାଇନ୍‌ରେ ସଂଶୋଧନ

+୩ ନାମଲେଖା ଗାଇଡଲାଇନ୍‌ରେ ସଂଶୋଧନ

ଭୁବନେଶ୍ୱର: ଚଳିତ ୨୦୨୪-୨୫ ଶିକ୍ଷାବର୍ଷରେ +୩ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ସମ୍ପର୍କିତ ଗାଇଡଲାଇନକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସଂଶୋଧନ କରାଯାଇଛି। ତଦନୁଯାୟୀ ପ୍ରଥମ ପର୍ଯ୍ୟାୟରେ ଅଂଶଗ୍ରହଣ କରି +୩ ପାଠ୍ୟକ୍ରମରେ ନାମ ଲେଖାଇ ସାରିଥିବା ଛାତ୍ରଛାତ୍ରୀ ମଧ୍ୟ ଦ୍ୱିତୀୟ ପର୍ଯ୍ୟାୟ ଆଡ଼ମିସନ୍ ପ୍ରକ୍ରିୟାରେ ଅଂଶଗ୍ରହଣ କରିପାରିବେ। ଏନେଇ ଶନିବାର ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ସୂଚନା ଦେଇଛନ୍ତି। ଶ୍ରୀ ସୂରଜ କହିଛନ୍ତି ଯେ +୩ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ଗତ ଅଗଷ୍ଟ ମାସ ୧୨ ତାରିଖରୁ ଆରମ୍ଭ ହୋଇଛି ଏବଂ ଏହି ପ୍ରକିୟା ଆସନ୍ତା ଅଗଷ୍ଟ ୨୬ ପର୍ଯ୍ୟନ୍ତ ଚାଲୁ ରହିବ।

ଏହି ସମ୍ବନ୍ଧୀୟ ଏକ ଗାଇଡଲାଇନ୍ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପ୍ରକାଶିତ ହୋଇଥିଲା ଯେଉଁଥିରେ ପ୍ରଥମ ପର୍ଯ୍ୟାୟରେ ନାମ ଲେଖାଇ ସାରିଥିବା ଛାତ୍ରଛାତ୍ରୀ ଦ୍ୱିତୀୟ ପର୍ଯ୍ୟାୟରେ ଅଂଶଗ୍ରହଣ କରିପାରିବେ ନାହିଁ ବୋଲି ଉଲ୍ଲେଖ ଥିଲା। କିନ୍ତୁ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ଆରମ୍ଭ ହେବାପରେ ବହୁ ଛାତ୍ରଛାତ୍ରୀ ଓ ଅଭିଭାବକମାନଙ୍କ ପକ୍ଷରୁ ଗାଇଡଲାଇନ୍‌ରେ ସଂଶୋଧନ କରି ପ୍ରଥମ ପର୍ଯ୍ୟାୟରେ ନାମ ଲେଖାଇ ସାରିଥିବା ଛାତ୍ରଛାତ୍ରୀଙ୍କୁ ନିଜ ମନପସନ୍ଦର କଲେଜ୍ ଓ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ଆଉ ଥରେ ଏକ ସୁଯୋଗ ପ୍ରଦାନ କରିବାକୁ ଉଚ୍ଚଶିକ୍ଷା ବିଭାଗକୁ ଅନୁରୋଧ କରାଯାଇଥିଲା।

ଏହି ସମ୍ବନ୍ଧରେ ଆଲୋଚନା କରିବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶ କ୍ରମେ ଉଚ୍ଚଶିକ୍ଷା ବିଭାଗ ନିଜର ନିଷ୍ପତ୍ତିକୁ ବଦଳାଇଛି ଏବଂ ପୂର୍ବରୁ ଜାରି ହୋଇଥିବା ଗାଇଡଲାଇନ୍‌ରେ ସଂଶୋଧନ କରାଯାଇଥିବା ଶ୍ରୀ ସୂରଜ କହିଛନ୍ତି। ତେଣୁ ପ୍ରଥମ ପର୍ଯ୍ୟାୟରେ ନାମ ଲେଖାଇସାରିଥିବା ଛାତ୍ରଛାତ୍ରୀ ଦ୍ୱିତୀୟ ପର୍ଯ୍ୟାୟରେ ପୁଣି ଥରେ ଆବେଦନ କରିପାରିବେ ବୋଲି ନିଷ୍ପତ୍ତି ନିଆଯାଇଛି। ନାମଲେଖା ପ୍ରକ୍ରିୟାରେ ହୋଇଥିବା ଏହି ସଂଶୋଧନ ଅନେକ ଛାତ୍ରଛାତ୍ରୀମାନଙ୍କୁ ଆଉ ଏକ ନୂତନ ସୁଯୋଗ ପ୍ରଦାନ କରିବ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ଆମ ଛାତ୍ରଛାତ୍ରୀହେଉଛନ୍ତି ଆମ ରାଜ୍ୟ ତଥା ଦେଶର ଭବିଷ୍ୟତ। ତାଙ୍କର ଭବିଷ୍ୟତ ନିର୍ମାଣ କରିବାରେ ଶିକ୍ଷାର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଆଜିର ଏହି ନିଷ୍ପତ୍ତି ମାଧ୍ୟମରେ ଛାତ୍ରଛାତ୍ରୀ ଉପକୃତ ହେବେ ବୋଲି ଆଶା ଓ ବିଶ୍ୱାସ ରହିଛି ବୋଲି ମନ୍ତ୍ରୀ କହିଛନ୍ତି। ତେବେ ଏପରି ନିଷ୍ପତ୍ତି ପରେ ଅନେକ ଛାତ୍ରଛାତ୍ରୀ ଆଜି ଉଚ୍ଚଶିକ୍ଷା ମନ୍ତ୍ରୀଙ୍କୁ ସାକ୍ଷାତ କରି କୃତଜ୍ଞତା ଜ୍ଞାପନ କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking