ମସ୍କୋ: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରି ରହିଛି । ବର୍ତ୍ତମାନ ଏହା ଚରମ ସ୍ଥିତିରେ ପହଞ୍ଚିଛି । କ୍ରମାଗତ ଆକ୍ରମଣ ଯୋଗୁ ଉଭୟ ଦେଶ ବହୁ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ଏହି ସମୟରେ, ଖବର ଆସିଛି ଯେ ରୁଷିଆର ରାଜଧାନୀ ମସ୍କୋ ଉପରେ ୟୁକ୍ରେନ ସବୁଠାରୁ ବଡ଼ ଡ୍ରୋନ୍ ଆକ୍ରମଣ କରିଛି । ତେବେ ରୁଷିଆର ସେନା ସାହସର ସହିତ ଏହାର ମୁକାବିଲା କରି ଡ୍ରୋନ୍କୁ ଗୁଳି କରି ଖସାଇ ଦେଇଛନ୍ତି । ବୁଧବାର ଦିନ ମସ୍କୋ ଉପରେ ୟୁକ୍ରେନ ଦ୍ୱାରା ୧୧ ଡ୍ରୋନ୍ ଆକ୍ରମଣ କରାଯାଇଥିଲା । ଏହାକୁ ରୋକିବା ପାଇଁ ରୁଷିଆ ସେନା ପକ୍ଷରୁ ଗୁଳି ଚାଳନା କରାଯାଇଥିଲା । ଏହି ଆକ୍ରମଣ ପରେ ରୁଷିଆର ଅଧିକାରୀମାନେ କହିଛନ୍ତି ଯେ ଫେବୃଆରୀ ୨୦୨୨ରେ ୟୁକ୍ରେନ ସହିତ ଯୁଦ୍ଧ ଆରମ୍ଭ ହେବା ପରଠାରୁ ମସ୍କୋ ଉପରେ ଏହା ହେଉଛି ସବୁଠାରୁ ବଡ ଡ୍ରୋନ୍ ଆକ୍ରମଣ ।
ରିପୋର୍ଟ ଅନୁଯାୟୀ, ମସ୍କୋ ମେୟର ସର୍ଗେଇ ସୋବିୟାନିନ ସୂଚନା ଦେଇଛନ୍ତି ପୋଡୋଲସ୍କ ସହର ଉପରେ କିଛି ଡ୍ରୋନ୍କୁ ନଷ୍ଟ କରାଯାଇଥିଲା । ସୋବିୟାନିନ୍ କହିଛନ୍ତି ଯେ ଡ୍ରୋନ୍ ବ୍ୟବହାର କରି ମସ୍କୋ ଉପରେ ଆକ୍ରମଣ କରିବା ଏପର୍ଯ୍ୟନ୍ତ ଏହା ୟୁକ୍ରେନର ସବୁଠାରୁ ବଡ଼ ପ୍ରୟାସ । ଏହି ଆକ୍ରମଣରେ କେହି ହତାହତ ହୋଇନାହାନ୍ତି ଏବଂ କୌଣସି କ୍ଷୟକ୍ଷତି ସମ୍ପର୍କରେ ସୂଚନା ନାହିଁ । ରୁଷ୍ରିାର ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଯେ ମସ୍କୋ ରାତିସାରା ୪୫ ୟୁକ୍ରେନ ଡ୍ରୋନ୍କୁ ଧ୍ୱଂସ କରିଦେଇଛି । ଏଥିରେ କୁହାଯାଇଛି ଯେ ମସ୍କୋ ଅଞ୍ଚଳରେ ୧୧ ଟି ଡ୍ରୋନ୍ ଧ୍ୱଂସ ହୋଇଛି, ବ୍ରାଇଂକ୍ସ ଅଞ୍ଚଳରେ ୨୩ ଟି ଡ୍ରୋନ୍, ବେଲଗୋରୋଡ୍ ଉପରେ ୬ ଟି, କାଲୁଗା ଉପରେ ତିନୋଟି ଏବଂ କୁର୍ସ ଅଞ୍ଚଳରେ ଦୁଇଟି ଡ୍ରୋନ୍ ଧ୍ୱଂସ ହୋଇଛି । ବାୟୁ ପ୍ରତିରକ୍ଷା ପ୍ରଣାଳୀ ଦ୍ୱାରା ଡ୍ରୋନ୍ଗୁଡିକ ନଷ୍ଟ କରାଯାଉଥିବା କିଛି ରୁଷିଆର ସୋସିଆଲ ମିଡିଆ ଚ୍ୟାନେଲରେ ଦେଖିବାକୁ ମିଳିଛି । ବ୍ରାଇଂକ୍ସ ଅଞ୍ଚଳର ରାଜ୍ୟପାଳ ଆଲେକ୍ସଜାଣ୍ଡାର୍ ବୋଗୋମାଜୀ କହିଛନ୍ତି ଯେ ତାଙ୍କ ଅଞ୍ଚଳରେ ବଡ଼ ଆକ୍ରମଣ ହୋଇଛି, କିନ୍ତୁ ୨୩ଟି ଡ୍ରୋନ୍ ଧ୍ୱଂସ ହୋଇଯାଇଛି ।









