ଚେନ୍ନାଇ: କୋଲକାତାରେ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ପରେ ହତ୍ୟା ମାମଲାକୁ ନେଇ ସାରା ଦେଶ ସ୍ତବ୍ଧ ହୋଇଯାଇଥିବାବେଳେ ତାମିଳନାଡୁରେ ଆଉ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି । ୮ମ ଶ୍ରେଣୀର ଜଣେ ଛାତ୍ରୀଙ୍କୁ ବିଦ୍ୟାଳୟର ଏନସିସି ଅଧିକାରୀ ଦୁଷ୍କର୍ମ କରିଛନ୍ତି । ଛାତ୍ରୀଙ୍କ ପରିବାର ଲୋକେ ଏହା ଜାଣିବା ପରେ ବିଦ୍ୟାଳୟ ପକ୍ଷରୁ ଘଟଣାକୁ ଚପାଇଦେବାକୁ ଉଦ୍ୟମ ହୋଇଛି । କ୍ରିଷ୍ଣଗିରି ଏସପି ପି. ଥାଙ୍ଗାଦୁରାଇ କହିଛନ୍ତି, ନିକଟରେ ବିଦ୍ୟାଳୟର ଏନସିସି ଶିବିର ଆୟୋଜିତ ହୋଇଥିଲା । ଏହି ସମୟରେ ୧୭ ଜଣ ଝିଅ ରାତିରେ ବିଦ୍ୟାଳୟ ପ୍ରେକ୍ଷାଳୟରେ ରହିଥିଲେ । ଅଭିଯୁକ୍ତ ଏନସିସି ଅଧିକାରୀ ଶିବରମଣ ପୀଡ଼ିତା ଛାତ୍ରୀଙ୍କୁ ବାହାରକୁ ଡାକିନେଇ ତାଙ୍କ ସହିତ ଦୁଷ୍କର୍ମ କରିଥିଲେ ।
ଗତ ୮ ତାରିଖ ରାତିରେ ଏହି ଘଟଣା ଘଟିଥିଲା । ଘଟଣା ପରେ ଛାତ୍ରୀ ଜଣକ ଏ ବିଷୟରେ ଉକ୍ତ ଘରୋଇ ବିଦ୍ୟାଳୟ ଅଧ୍ୟକ୍ଷଙ୍କୁ ଜଣାଇଥିଲେ । କିନ୍ତୁ ଅଧ୍ୟକ୍ଷ ଜଣକ ଛାତ୍ରୀଙ୍କୁ ନୀରବ ରହିବାକୁ କହିଥିଲେ । ଏନସିସି ଶିବିର ଉଦଯାପିତ ହେବା ପରେ ଛାତ୍ରୀ ଜଣକ ଘରକୁ ଯାଇଥିଲେ । ଘରେ ଦେହ ଅସୁସ୍ଥ ହେବାକୁ ତାଙ୍କୁ ଗତ ୧୬ ତାରିଖରେ ଡାକ୍ତରଖାନା ନିଆଯାଇଥିଲା । ସେଠାରେ ସେ ତାଙ୍କ ସହିତ ଘଟିଥିବା ଘଟଣା ବିଷୟରେ ଜଣାଇଥିଲେ । ଏହା ପରେ ପରିବାର ଲୋକେ ପୁଲିସ ନିକଟରେ ଅଭିଯୋଗ କରିଥିଲେ । ପୁଲିସ ଏହାର ତଦନ୍ତ କରିବା ପରେ ଅଭିଯୁକ୍ତ ଶିବରମଣ ଶିବିରରେ ଅନ୍ୟ ଛାତ୍ରୀମାନଙ୍କୁ ବି ଯୌନ ନିର୍ଯାତନା ଦେଇଥିବା ଜାଣିବାକୁ ପାଇଛି । ଅଭିଯୁକ୍ତ ଫେରାର ଥିବାବେଳେ ଘଟଣାକୁ ଚପାଇବାକୁ ଉଦ୍ୟମ କରିଥିବା ବିଦ୍ୟାଳୟ ଅଧ୍ୟକ୍ଷଙ୍କ ସହିତ ସ୍କୁଲର ଅନ୍ୟ ୬ ଜଣଙ୍କୁ ଅଟକ ରଖିଛି ।










