କଟକ: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କେନ୍ଦ୍ରାପଡ଼ା ଜିଲ୍ଲା ଅତିରିକ୍ତ ଯୋଗାଣ ଅଧିକାରୀ ପ୍ରଦୀପ କୁମାର ମହାପାତ୍ରଙ୍କୁ ଆଜି ଭିଜିଲାନ୍ସ ଗିରଫ କରିଛି । ଗତକାଲି ଭିଜିଲାନ୍ସ ଏକାକାଳୀନ ୫ଟି ସ୍ଥାନରେ ଚଢ଼ଉ କରିଥିଲା। ଚଢ଼ଉବେଳେ ତାଙ୍କର କୋଟି କୋଟି ଟଙ୍କାର ସମ୍ପତ୍ତି ଠାବ କରାଯାଇଛି।
କଟକ ମଧୁପାଟଣା ଥାନା ଅନ୍ତର୍ଗତ କଲ୍ୟାଣନଗରରେ ପ୍ଲଟ୍ ନଂ. ୧୪୩/୧୭୨୦ଉପରେ ଥିବା ଏକ ମହଲା ବିଶିଷ୍ଟ କୋଠା ଘର, ଭୁବନେଶ୍ୱର ଲିଙ୍ଗିପୁରର ପ୍ଲଟ୍ ନଂ. ୧୪୫/୧୮୬୪/୪୬୩୪ ଉପରେ ଥିବା ୫୬୦୦ବର୍ଗଫୁଟ୍ର ଦୁଇ ମହଲା ବିଶିଷ୍ଟ କୋଠା ଘର, କଟକ ଓ ଭୁବନେଶ୍ୱର ମୁଖ୍ୟ ସ୍ଥାନରେ ଦୁଇଟି ଜମି ଚିହ୍ନଟ କରାଯାଇଛି। ଏଥିସହିତ ତାଙ୍କ ଘରୁ ୧ ଲକ୍ଷ ୨୧ ହଜାର ୫୦୦ ନଗଦ ଟଙ୍କା ଜବତ କରାଯାଇଥିଲା।
ଡାକଘରେ ୧କୋଟି ୩୪ ଲକ୍ଷ ୫୦୫ ଟଙ୍କା ଜମା ରହିଥିବା ବେଳେ ବିଭିନ୍ନ ବ୍ୟାଙ୍କରେ ୬୯ ଲକ୍ଷ ୯୦୬୯ ଟଙ୍କା ଜମା ରହିଛି। ଏହାବ୍ୟତୀତ ମ୍ୟୁଚୁଆଲ ଫଣ୍ଡରେ ୮୩ ଲକ୍ଷ ଟଙ୍କା ଜମା ଥିବା ବେଳେ ମୋଟ ଜମା ରାଶି ୨ କୋଟି ୮୬ ଲକ୍ଷ ୯ ହଜାର ୫୬୯ ଟଙ୍କା ରହିଥିବା ଜଣାପଡ଼ିଛି। ତାଙ୍କ ଘରୁ ୮୫୦ ଗ୍ରାମର ସୁନା ଅଳଙ୍କାର ସମେତ ୪ଟି ସୁନା ବିସ୍କୁଟ୍ ଓ ଗୋଟିଏ ହୀରାହାର ମଧ୍ୟ ଜବତ କରାଯାଇଛି। ଏଥିସହ ଏକ ମାରୁଜି ସୁଇଫ୍ଟ କାର ଓ ୨ଟି ଦୁଇ ଚକିଆ ଗାଡ଼ି ଠାବ କରାଯାଇଥିଲା।










