ବେଙ୍ଗାଲୁରୁ: ଆଇନ୍ ଜାଲରେ ଛନ୍ଦି ହୋଇପଡିଛନ୍ତି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା। ଏକ ଜମି ଦୁର୍ନୀତି ଅଭିଯୋଗ ପ୍ରସଙ୍ଗରେ ରାଜ୍ୟପାଳ ଥାୱରଚନ୍ଦ ଗେହଲଟ୍, ତାଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ଅନୁମତି ଦେଇଛନ୍ତି। ମହୀଶୂର ସହରାଞ୍ଚଳ ଉନ୍ନୟନ କର୍ତ୍ତୃପକ୍ଷ (ଏମ୍ୟୁଡିଏ) ଜମି ଆବଣ୍ଟନ ଦୁର୍ନୀତିରେ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଜଡ଼ିତ ଥିବା ନେଇ ସୂଚନା ଅଧିକାର କର୍ମୀ ତଥା କର୍ଣ୍ଣାଟକ ଆଣ୍ଟି ଗ୍ରାଫ୍ଟ୍ ଆଣ୍ଡ୍ ଏନ୍ଭାଇରନ୍ମେଣ୍ଟାଲ ଫୋରମ୍ର ସଭାପତି ଟି.ଜେ ଆବ୍ରାହମ୍ ସର୍ବପ୍ରଥମେ ଅଭିଯୋଗ କରିଥିଲେ। ତେବେ ଏପ୍ରକାର ଏକ ଜମି ଦୁର୍ନୀତିରେ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ନାଁ ସାମିଲ ଥିବାରୁ ଏହି ମାମଲାରେ ମାମଲା ରୁଜୁ କରାଯିବା ଏବଂ ତଦନ୍ତ କରାଯିବା ପାଇଁ ରାଜ୍ୟପାଳଙ୍କ ଅନୁମତି ଆବଶ୍ୟକ ରହିଥିଲା। ରାଜ୍ୟପାଳ ଶ୍ରୀ ଗେହଲଟ୍ ଏନେଇ ଆବେଦନକାରୀ ଟଇଜେ ଆବ୍ରାହମ୍କୁ ଆଜି ରାଜଭବନ ଡକାଇ ତାଙ୍କ ସହ ଏସମ୍ପର୍କରେ ଦୀର୍ଘ ସମୟ ଆଲୋଚନା କରିବା ପରେ ସିଦ୍ଧରମୈୟାଙ୍କ ବିରୋଧରେ ମାମଲା ରୁଜୁ ତଥା ତଦନ୍ତ ଅନୁମତିକୁ ଅନୁମୋଦନ କରିଛନ୍ତି। ଫଳରେ ଏବେ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କ ବିରୋଧରେ ଦୁର୍ନୀତି ନିବାରଣ ଆଇନ ୧୯୮୮ର ଧାରା ୧୭ ଏବଂ ଭାରତୀୟ ନାଗରିକ ସୁରକ୍ଷା ସଂହିତା ୨୦୨୩ର ଧାରା ୨୧୮ ଆଧାରରେ ମାମଲା ରୁଜୁ କରାଯିବା ମାର୍ଗ ପରିଷ୍କାର ହୋଇଯାଇଛି।
ମହୀଶୂର ସହରାଞ୍ଚଳ ଉନ୍ନୟନ କର୍ତ୍ତୃପକ୍ଷ (ଏମ୍ୟୁଡିଏ) ପକ୍ଷରୁ ଜମି ଆବଣ୍ଟନ ପ୍ରକ୍ରିୟାରେ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା, ନିଜ ପତ୍ନୀ ପାର୍ବତୀ ସିଦ୍ଧରମୈୟାଙ୍କ ନାମରେ ମଧ୍ୟ ଏକ ପ୍ଲଟ୍ (ଜମି) କିଣିଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ଏହି ଜମିର ମାଲିକାନା ବଦଳ ହୋଇଥିବା ଏବଂ ଉକ୍ତ ଜମି ବଦଳରେ ସହରରେ ଥିବା ଏକ ମୂଲ୍ୟବାନ୍ ଜମିକୁ ପାର୍ବତୀଙ୍କ ନାମରେ କରାଯାଇଥିଲା। ଯାହାର ବଜାର ମୂଲ୍ୟ ପାର୍ବତୀଙ୍କ ନାମରେ ଥିବା ପ୍ରକୃତ ଜାଗାର ବଜାର ମୂଲ୍ୟ ଠାରୁ ଢେର ଅଧିକ ଥିଲା। ଏସବୁ ମଧ୍ୟରେ ପାର୍ବତୀଙ୍କ ନାମରେ ଥିବା ପୂର୍ବ ଜମି ମଧ୍ୟ ଏମ୍ୟୁଡିଏ ପକ୍ଷରୁ ଆବଣ୍ଟିତ ଜମି ଯୋଜନା ଅନ୍ତର୍ଗତ ଆସୁନଥିବା ଜଣାପଡିଛି। ସିଧାଅର୍ଥରେ କହିଲେ ଶସ୍ତାରେ ଏକ ଜମି କିଣି ଏହାକୁ ଏମ୍ୟୁଡିଏ ଜମି ଭାବେ ଦର୍ଶାଇବା ଏବଂ ପରବର୍ତ୍ତୀ ସମୟରେ ଏହାକୁ ବଦଳ କରି ସହରର ଏକ ମୂଲ୍ୟବାନ ଜମି ଅକ୍ତିଆର କରିବା ଭଳି ଦୁର୍ନୀତି ହୋଇଥିବା ଜଣାପଡିଥିଲା। ଏହି ଦୁର୍ନୀତିରେ ମୁଖ୍ୟମନ୍ତ୍ରୀ ନିଜେ ସାମିଲ ଥିବା ଆବ୍ରାହମ୍ ଅଭିଯୋଗ କରିଥିଲେ। ଏହି ଦୁର୍ନୀତି ସମ୍ପର୍କରେ ରାଜ୍ୟପାଳ ଶ୍ରୀ ଗେହଲଟ୍ ଗତ ଜୁଲାଇ ୨୬ ରେ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କୁ ଏକ କାରଣ ଦର୍ଶାଅ ନୋଟିସ୍ ଜାରି କରିଥିଲେ। ଏହାପୂର୍ବରୁ ସେ ମୁଖ୍ୟ ସଚିବଙ୍କଠାରୁ ମଧ୍ୟ ସୂଚନା ମାଗିଥିଲେ।
ଏସବୁ ମଧ୍ୟରେ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କ ପ୍ରତିକ୍ରିୟା ମଧ୍ୟ ସାମ୍ନାକୁ ଆସିଛି। ନିଜ ବିରୋଧରେ ଆସିଥିବା ଅଭିଯୋଗକୁ ସେ ଖଣ୍ଡନ କରିଛନ୍ତି। ରାଜନୀତି ପାଇଁ କେନ୍ଦ୍ର ସରକାର ଏବେ ‘ରାଜ ଭବନ’ର ବ୍ୟବହାର କରୁଛନ୍ତି ବୋଲି ସେ କହିଛନ୍ତି। କର୍ଣ୍ଣାଟକରେ କଂଗ୍ରେସ ସରକାର ଥିବାରୁ ଏହାକୁ ଅଡୁଆରେ ପକାଇବା ପାଇଁ ଏସବୁ କେନ୍ଦ୍ର ସରକାରଙ୍କ ଏକ ଚାଲ୍। ରାଜ୍ୟପାଳଙ୍କ ନିଷ୍ପତ୍ତି ସାମ୍ବିଧାନିକ ବିରୋଧୀ। ରାଜ୍ୟପାଳଙ୍କ ନିଷ୍ପତ୍ତି ବିରୁଦ୍ଧରେ କୋର୍ଟରେ ଚ୍ୟାଲେଞ୍ଜ କରାଯିବ ବୋଲି ସିଦ୍ଧରମୈୟା କହିଛନ୍ତି। ଅନ୍ୟପକ୍ଷେ ପ୍ରଦେଶ କଂଗ୍ରେସ ସହ କେନ୍ଦ୍ରୀୟ କଂଗ୍ରେସ କାର୍ଯ୍ୟକର୍ତ୍ତା ତାଙ୍କ ପ୍ରତି ସମର୍ଥନ ବ୍ୟକ୍ତ କରିଥିବା ଜଣାପଡିଛି। ଏତଦ୍ବ୍ୟତୀତ କଂଗ୍ରେସ ପକ୍ଷରୁ ଏହାକୁ କେନ୍ଦ୍ର ସରକାର ଏବଂ ବିଜେପିର ଚକ୍ରାନ୍ତ ବୋଲି ଅଭିଯୋଗ କରାଯିବା ସହ କର୍ଣ୍ଣାଟକ ସରକାରଙ୍କୁ ଟାର୍ଗେଟ କରି ଏପରି କରାଯାଉଥିବା ଦଳ ଅଭିଯୋଗ କରିଛି। ଦରକାର ପଡ଼ିଲେ ଏହା ବିରୁଦ୍ଧରେ ରାଜ୍ୟବ୍ୟାପୀ ହଡ଼ତାଳ ହେବ ବୋଲି ମଧ୍ୟ ଦଳ ଚେତାବନୀ ଦେଇଛି।










