ଭୁବନେଶ୍ୱର: ସିଏଚ୍ଏସ୍ଇ ଦ୍ୱାରା ପରିଚାଳିତ +୨ ପରୀକ୍ଷା ଢାଞ୍ଚାରେ ହେବ ପରିବର୍ତ୍ତନ । ସିବିଏସ୍ଇ ଢାଞ୍ଚାରେ ପିଲାମାନେ ପରୀକ୍ଷା ଦେବେ । ପୂର୍ବରୁ ବାର୍ଷିକ ପରୀକ୍ଷାରେ ୧୦୦ ମାର୍କର ପରୀକ୍ଷା ହେଉଥିବାବେଳେ ଏଣିକି ୮୦ ମାର୍କର ପରୀକ୍ଷା ହେବ । ପୂର୍ବରୁ ହେଉଥିବା ତ୍ରୈମାସିକ ପରୀକ୍ଷା ବା କ୍ୱାଟର ଏଣ୍ଡ ପରୀକ୍ଷାକୁ ସମ୍ପୂର୍ଣ୍ଣ ଉଚ୍ଛେଦ କରାଯିବ । ଏହା ବଦଳରେ ଇଣ୍ଟରନାଲ ପରୀକ୍ଷା ହେବ ଓ ତନ୍ମଧ୍ୟରୁ ଅବଶିଷ୍ଟ ୨୦ ମାର୍କ ଆସିବ । ସେହିପରି ସିଲାବସ୍ ବାହାରୁ ପ୍ରଶ୍ନପତ୍ର ଆସୁଥିବାରୁ ପ୍ରଶ୍ନପତ୍ର ପାଟର୍ଣ୍ଣରେ ମଧ୍ୟ ପରିବର୍ତ୍ତନ କରାଯିବ । ପରୀକ୍ଷା ପୂର୍ବରୁ ଛାତ୍ରଛାତ୍ରୀଙ୍କ ବହୁମୁଲ୍ୟ ସମୟ ବଞ୍ଚାଇବାକୁ ବର୍ଷ ପ୍ରାରମ୍ଭରୁ ଫର୍ମ ପୂରଣ କରିବେ ଛାତ୍ରଛାତ୍ରୀ । ପରୀକ୍ଷାରେ ଅଧିକ ସ୍ୱଚ୍ଛତା ଓ ସରଳ କରିବାକୁ ୫ରୁ ୬ଟି ପରିବର୍ତ୍ତନ କରିବାକୁ ଯାଉଛି ସିଏଚ୍ଏସ୍ଇ ।
ସୂଚନା ଅନୁଯାୟୀ, ପ୍ରାକ୍ଟିକାଲ ନ ଥିବା ବିଷୟରେ ୧୦୦ ବଦଳରେ ଏଣିକି ୮୦ ମାର୍କର ପରୀକ୍ଷା ହେବ । ଏଥିରେ ୧ ନମ୍ବର ବିଶିଷ୍ଟ ପ୍ରଶ୍ନପତ୍ର ୫୦% ବା ୪୦ ନମ୍ବରର ଆସିବ । ଅବଶିଷ୍ଟ ୪୦ ନମ୍ବର ପ୍ରଶ୍ନପତ୍ରରେ ୨, ୩ ଓ ୮ ମାର୍କର ପ୍ରଶ୍ନ ରହିବ । କଳା ବିଭାଗ ପାଇଁ ସର୍ବାଧିକ ୫ ମାର୍କିଆ ପ୍ରଶ୍ନ ଆସିବାକୁ ଥିବାବେଳେ ବିଜ୍ଞାନରେ ସର୍ବାଧିକ ୮ ମାର୍କିଆ ପ୍ରଶ୍ନ ଆସିବ । ସେହିପରି ଇଣ୍ଟରନାଲ୍ ପରୀକ୍ଷାରେ ୨୦ ମାର୍କର ପରୀକ୍ଷା ହେବ । ଏଥିରେ ୧, ୨ ଓ ୫ ମାର୍କିଆ ପ୍ରଶ୍ନ ଆସିବ । ଯେଉଁ ୟୁନିଟ୍ରୁ ଇଣ୍ଟରନାଲ୍ ପରୀକ୍ଷାରେ ପ୍ରଶ୍ନ ଆସିଥିବା ବାର୍ଷିକ ପରୀକ୍ଷାରେ ଆଉ ସେହି ୟୁନିଟ୍ରୁ ପ୍ରଶ୍ନପତ୍ର ଆସିବ ନାହିଁ । ଅବଶିଷ୍ଟ ୟୁନିଟ୍ରୁ ବାର୍ଷିକ ପରୀକ୍ଷାରେ ପ୍ରଶ୍ନ ଆସିବ । କେଉଁ ୟୁନିଟ୍ରୁ କେଉଁ ପରୀକ୍ଷାରେ ପ୍ରଶ୍ନ ଆସିବ ତାହା ପୂର୍ବରୁ ଛାତ୍ରଛାତ୍ରୀଙ୍କୁ ଅବଗତ କରାଯିବ । ହେଲେ ପ୍ରାକ୍ଟିକାଲ ଥିବା ବିଷୟରେ କୌଣସି ପରିବର୍ତ୍ତନ ହେବ ନାହିଁ । ପୂର୍ବପରି ୩୦ ନମ୍ବରର ପ୍ରାକ୍ଟିକାଲ ପରୀକ୍ଷା ଓ ୭୦ ମାର୍କର ଥିଓରୀ ପରୀକ୍ଷା ହେବ ।
ସିଲାବସ୍ ବାହାରୁ ପ୍ରଶ୍ନପତ୍ର ଆସୁଥିବା ଅନେକ ସମୟରେ ଅଭିଯୋଗ ହେଉଥିବାରୁ ପରିଷଦ ଏହାକୁ ଗୁରୁତର ସହ ବିଚାର କରୁଛି । ଏହାର ପୁନରାବୃତ୍ତି ନ ହେବାକୁ କେଉଁ ବିଷୟରୁ କେତେ ମାର୍କର ପ୍ରଶ୍ନ ଆସିବ ସେନେଇ ପୂର୍ବରୁ ଫିକ୍ସ କରିବାକୁ ଯୋଜନା କରୁଛି । ବର୍ଷ ଆରମ୍ଭରୁ ବା ପାଠପଢ଼଼ା ଆରମ୍ଭରୁ ଛାତ୍ରଛାତ୍ରୀଙ୍କ ଫର୍ମ ଫିଲପ୍ କରାଯିବ । ଫଳରେ ଫର୍ମପୂରଣ କରିବାକୁ ଅତିରିକ୍ତ ସମୟ ଦେବାକୁ ପଡ଼ିବ ନାହିଁ । ଫର୍ମ ପୂରଣ ପାଇଁ ପରବର୍ତ୍ତୀ ସମୟରେ କେବଳ ଫି ଦାଖଲ କରିବେ ଛାତ୍ରଛାତ୍ରୀ । ଚଳିତ ଶିକ୍ଷାବର୍ଷପାଇଁ ଆସନ୍ତା ଅଗଷ୍ଟ ମାସରେ ରେଗୁଲାର ଓ ସେପ୍ଟେମ୍ବର ମାସରେ ଏକ୍ସ-ରେଗୁଲାର ଫର୍ମ ଫିଲପ୍ କରାଯିବ । ପରୀକ୍ଷାର ଅବ୍ୟବହିତ ପୂର୍ବରୁ କେବଳ ଆଡମିଟ୍ କାର୍ଡ ନେବେ ଛାତ୍ରଛାତ୍ରୀ । ଚଳିତ ଥର ଏକା ସାଙ୍ଗରେ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ପରୀକ୍ଷା କରାଯିବ । ସେହିପରି ଏକା ସାଙ୍ଗରେ ମଧ୍ୟ ପରୀକ୍ଷା ଫଳ ପ୍ରକାଶ କରାଯିବ ।