26.1 C
Bhubaneswar
Wednesday, February 11, 2026
Homeଓଡିଶାଲୋକଙ୍କ ମୁଖ୍ୟମନ୍ତ୍ରୀ ଶୁଣିଲେ ଲୋକଙ୍କ ଦୁଃଖ; ଶୀଘ୍ର ଫଇସଲା ପାଇଁ ଅଧିକାରୀମାନଙ୍କୁ ଦେଲେ ନିର୍ଦ୍ଦେଶ

ଲୋକଙ୍କ ମୁଖ୍ୟମନ୍ତ୍ରୀ ଶୁଣିଲେ ଲୋକଙ୍କ ଦୁଃଖ; ଶୀଘ୍ର ଫଇସଲା ପାଇଁ ଅଧିକାରୀମାନଙ୍କୁ ଦେଲେ ନିର୍ଦ୍ଦେଶ

ଭୁବନେଶ୍ୱର: ‘ଲୋକଙ୍କ ମୁଖ୍ୟମନ୍ତ୍ରୀ’ ଲୋକଙ୍କୁ ଶୁଣିବାର ଧାରା ଜାରି ରଖିଛନ୍ତି। ଲୋକଙ୍କ ମୁଖ୍ୟମନ୍ତ୍ରୀ ଭାବେ ଲୋକପ୍ରିୟତା ହାସଲ କରିଥିବା ଶ୍ରୀ ମୋହନ ଚରଣ ମାଝୀ ଆଜି ରାଜ୍ୟ ଅଭିଯୋଗ ପ୍ରକୋଷ୍ଠରେ ଶହ ଶହ ଲୋକଙ୍କ ଠାରୁ ସେମାନଙ୍କ ସମସ୍ୟା ଶୁଣିଥିଲେ। ଲୋକଙ୍କୁ ଆଶ୍ୱାସନା ଦେବା ଓ ସମସ୍ୟା ସମାଧାନ ହେବାର ପ୍ରତିଶୃତି ଦେବା ସହିତ ଧର୍ଯ୍ୟହରା ନ ହେବା ପାଇଁ ପରାମର୍ଶ ଦେଉଥାନ୍ତି।

ସାଧାରଣ ଲୋକଟିଏ ପକ୍ଷରେ ଜଣେ ଉଚ୍ଚ ପଦାଧିକାରୀଙ୍କୁ ଭେଟିବା କଷ୍ଟକର ହୋଇଥାଏ। କିନ୍ତୁ ନିଜେ ମୁଖ୍ୟମନ୍ତ୍ରୀ ଯେତେବେଳେ ତାଙ୍କ ଦୁଃଖ ଶୁଣୁଛନ୍ତି, ସେତେବେଳେ ସେମାନେ ଖୁସିରେ ଆତ୍ମହରା ହେଉଥାନ୍ତି। ମୁଖ୍ୟମନ୍ତ୍ରୀଙ୍କ ଆଦରପୂର୍ଣ୍ଣ କଥାରେ ସେମାନ ଆନନ୍ଦିତ ହେଉଥାନ୍ତି। ମୁଖ୍ୟମନ୍ତ୍ରୀଙ୍କ ଠାରୁ ନିର୍ଦ୍ଦେଶ ପାଇ ଅଧିକାରୀମାନେ ମଧ୍ୟ ତତ୍ପରାତର ସହ ଲୋକଙ୍କ ଅଭିଯୋଗକୁ ସଂପୃକ୍ତ ବିଭାଗକୁ ତ୍ୱରିତ ପଦକ୍ଷେପ ପାଇଁ ପ୍ରେରଣ କରୁଥାନ୍ତି। ଏ ଥିଲା ଆଜିର ଅଭିଯୋଗ ପ୍ରକୋଷ୍ଠର ଦୃଶ୍ୟ- ଯେଉଁଠି ସାଧାରଣ ଲୋକ ଓ ସରକାରଙ୍କ ମଧ୍ୟରେ ନଥିଲା କୌଣସି ପ୍ରାଚୀର।

ଜୁଲାଇ ୧ ତରିଖରୁ ଆରମ୍ଭ ହୋଇଥିବା ଅଭିଯୋଗ ଶୁଣାଣି ପ୍ରକ୍ରିୟା ଆଜି ତୃତୀୟ ଦିନରେ ପହଞ୍ଚିଲା। ମୁଖ୍ୟମନ୍ତ୍ରୀଙ୍କ ସହିତ ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା, ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ, ମନ୍ତ୍ରୀ ଶ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର, ମନ୍ତ୍ରୀ ଶ୍ରୀ ବିଭୁତି ଭୂଷଣ ଜେନା, ମନ୍ତ୍ରୀ ଶ୍ରୀ ଗଣେଶରାମ ସିଂ ଖୁଣ୍ଟିଆ, ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ, ମନ୍ତ୍ରୀ ଶ୍ରୀ କୃଷ୍ଣଚନ୍ଦ୍ର ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେନ୍ଦ୍ର କୁମାର, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ଶ୍ରୀ ବିଷ୍ଣୁପଦ ସେଠୀ ଓ ବିଭିନ୍ନ ବିଭାଗର ପ୍ରମୁଖ ସଚିବ ଓ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ଆଜି ମୁଖ୍ୟମନ୍ତ୍ରୀ ସକାଳ ୧୦ଟାରେ ଶୁଣାଣି ଆରମ୍ଭ କରି ଅପରାହ୍ନ ପ୍ରାୟ ୫ଟା ପର୍ଯ୍ୟନ୍ତ ଶୁଣାଣି ଜାରି ରଖିଥିଲେ। ସମୁଦାୟ ୨୪୦୩ଟି ଅଭିଯୋଗ ପଞ୍ଜିକୃତ ହୋଇଥିଲା ଏବଂ ପ୍ରାୟ ୫ ହଜାରରୁ ଅଧିକ ଲୋକ ମୁଖ୍ୟମନ୍ତ୍ରୀ ଓ ଅନ୍ୟ ମନ୍ତ୍ରୀମାନଙ୍କୁ ଭେଟି ଥିଲେ।

ଆଜି ଆସିଥିବା ବିଭିନ୍ନ ଅଭିଯୋଗକାରୀମାନଙ୍କ ମଧ୍ୟରୁ ଜଣେ ଥିଲେ ଖୋର୍ଦ୍ଧା ଟାଙ୍ଗୀର ବ୍ୟକ୍ତି ସନ୍ତୋଷ ସାହୁ । ସେ ଜଣେ ଭିନ୍ନକ୍ଷମ। ବିଧିବଦ୍ଧଭାବେ ଉପଯୁକ୍ତ ପ୍ରକ୍ରିୟାରେ ନିଯୁକ୍ତି ପାଇଥିଲେ ମଧ୍ୟ ତାଙ୍କ ଚାକିରୀ ଛଡେଇ ନିଆ ଯାଇଛି ବୋଲି ତାଙ୍କର ଥିଲା ଅଭିଯୋଗ। ୮ ବର୍ଷ ହେଲାଣି ତାଙ୍କ ପାଞ୍ଚ ପ୍ରାଣୀ କୁଟୁମ୍ବକୁ ପୋଷିବା ପାଇଁ ସେ ବହୁତ ଦୁଃଖ କଷ୍ଟ ସହୁଛନ୍ତି। ତାଙ୍କ ସମସ୍ୟାକୁ ଉପଯୁକ୍ତ ଅନୁସନ୍ଧାନ କରାଯାଇ ତାଙ୍କୁ ନ୍ୟାୟ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀଙ୍କ ଠାରୁ ପ୍ରତିଶୃତି ପାଇବା ପରେ ସେ ଆଶ୍ୱସ୍ତ ହୋଇ ଫେରିଥିଲେ।

ସେହିପରି ଗଞ୍ଜାମ ଜିଲ୍ଲାର ଗୋଟିଏ ଗରିବ ପରିବାରର ଦିବ୍ୟାଙ୍ଗ ଯୁବକ ବୁଲୁ ବିଶ୍ଵାଳ। ଦୈନନ୍ଦିନ ଗୁଜୁରାଣ ମେଣ୍ଟାଇବା ସହିତ ପରିବାର ଚଳାଇବା ପାଇଁ ସ୍କୁଟି ଦେବାକୁ ଅନୁରୋଧ କରିଥିଲେ। ମୁଖ୍ୟମନ୍ତ୍ରୀ ତାଙ୍କୁ ସ୍କୁଟି ଦିଆଯିବ ବୋଲି କହିଥିଲେ। ସେଥିପାଇଁ ସେ ଖୁସୀ ମନରେ ଫେରିଲେ।

ଭୁବନେଶ୍ୱର ଶିରିପୁର ଅଞ୍ଚଳର ସୁଭାଷିନୀ ଦେଇ। ବୟସ ୮୨ ବର୍ଷ। ବେଗୁନିଆ ବ୍ଲକରେ ଭତ୍ତା ପାଉଛନ୍ତି। ତାଙ୍କ ଭତ୍ତାକୁ ଭୁବନେଶ୍ୱରରେ ପ୍ରଦାନ କରିବା ପାଇଁ ସେ ନିବେଦନ କଲେ ମୁଖ୍ୟମନ୍ତ୍ରୀଙ୍କୁ। ସଙ୍ଗେ ସଙ୍ଗେ ଜିଲ୍ଲାପାଳଙ୍କୁ ପଦକ୍ଷେପ ନେବା ପାଇଁ ନିର୍ଦ୍ଦେଶ ଗଲା। ଏମିତି ଅନେକ ଲୋକ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରି ନିଜର ସମସ୍ୟା ସମାଧାନ କରିବା ପାଇଁ ଆସିଥିଲେ ଏବଂ ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆଶ୍ୱାସନା ପାଇ ଆଶା ଓ ଭରସାର ସହିତ ଖୁସି ମନରେ ଫେରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking