ଭୁବନେଶ୍ୱର: ପଡୋଷୀଙ୍କୁ ଆକ୍ରମଣ କରିବା ଅଭିଯୋଗର ଗୋଟିଏ ପରିବାର ୪ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ନନ୍ଦନକାନନ ଥାନା ପୁଲିସ । ଗିରଫ ଅଭିଯୁକ୍ତ ହେଲେ ନନ୍ଦନକାନନ ଥାନା ଅନ୍ତର୍ଗତ ମରିଚିଆ ଗ୍ରାମର କୃଷ୍ଣ ଚନ୍ଦ୍ର ରାଉତ(୫୫), ତାଙ୍କ ସ୍ତ୍ରା ମମତା ରାଉତ(୪୫), ପୁଅ ସିଦ୍ଧାନ୍ତ ରାୟତ(୨୨) ଓ ଝିଅ କରିଶ୍ମା ରାଉତ(୨୧) । ସୂଚନାଯୋଗ୍ୟ ଯେ, ଅଭିଯୋଗକାରିଣୀ ଜଣକ ପରିବାର ସହ ନନ୍ଦନକାନନ ଥାନା ଅନ୍ତର୍ଗତ ମରିଚିଆ ଗ୍ରାମରେ ରୁହନ୍ତି । ଗିରଫ ଅଭିଯୁକ୍ତମାନେ ତାଙ୍କର ପଡୋଶୀ ଅଟନ୍ତି । ଅଭିଯୋଗକାରିଣୀଙ୍କ ନଳକୂପ ନିକଟରେ ଅଭିଯୁକ୍ତମାନେ ତାଙ୍କର ଏକ ପାଇଖାନା ଟାଙ୍କି ନିର୍ମାଣ କରିଥିବା ବେଳେ, ଉକ୍ତ ଟାଙ୍କିଟିକୁ ଘୋଡଣି ନଘୋଡାଇ ଖୋଲା ଛାଡିଦେଇଥିଲେ । ଏଣୁ ଅଭିଯୋଗକାରିଣୀ ଏବଂ ତାଙ୍କ ପରିବାର ସଦସ୍ୟ ଏହାର ବିରୋଧ କରିଥିଲେ । ଏହାକୁ ନେଇ ଏକାଧିକବାର ପରସ୍ପର ମଧ୍ୟରେ ଝଗଡା ହୋଇଥିଲା । ଗତ ୨୦ ତାରିଖ ଦିନ ଅଭିଯୁକ୍ତ ମାନେ ଅଭିଯୋଗକାରିଣୀଙ୍କ ଶାଶୁଙ୍କୁ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିଥିଲେ । ଏହାକୁ କେନ୍ଦ୍ର କରି ଅଭିଯୋଗକାରିଣୀଙ୍କ ତରଫରୁ ଥାନାରେ ଅଭିଯୋଗ ମଧ୍ୟ ହୋଇଥିଲା । ଗତ ରବିବାର ପ୍ରାତଃ ସମୟରେ ଅଭିଯୋଗକାରିଣୀଙ୍କ ଶଶୁର ଟଏଲେଟ ଯାଇଥିବା ବେଳେ, ତାଙ୍କୁ ଏକୁଟିଆ ପାଇ ଅଭିଯୁକ୍ତମାନେ ତାଙ୍କୁ ଆକ୍ରମଣ କରିଥିଲେ । ଏହି ଆକ୍ରମଣ ଫଳରେ ଅଭିଯୋଗକାରିଣୀଙ୍କ ଶଶୁର ଘଟଣା ସ୍ଥଳରେ ଅଚେତ ହୋଇ ତଳେ ପଡ଼ିଯାଇଥିଲେ । ପରିବାର ସଦସ୍ୟ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି କିମ୍ସ ହସ୍ପିଟାଲକୁ ସ୍ଥାନନ୍ତର କରିଥିଲେ । ଏନେଇ ଅଭିଯୋଗକାରିଣୀଙ୍କ ଅଭିଯୋଗ ଆଧାରରେ ପୁଲିସ ମାମଲାର ତଦନ୍ତ କରି ଅଭିଯୁକ୍ତଙ୍କୁ ଗିରଫ କରିଥିଲେ । ପଚରାଉଚରା ବେଳେ ଅଭିଯୁକ୍ତମାନେ ନିଜ ଦୋଷ ସ୍ୱୀକାର କରିଥିଲେ ।