ଢାକା : ବାଂଲାଦେଶରେ ଶେଖ୍ ହାସିନା ସରକାରଙ୍କର ସରକାରୀ ଚାକିରିରେ କୋଟା ନିଷ୍ପତ୍ତିକୁ ବିରୋଧ କରି ଦେଶରେ ଚାଲିଥିବା ହିଂସାତ୍ମକ ଆନ୍ଦୋଳନ ଭୟାନକ ରୂପ ନେଇଛି। ହିଂସାରେ ଆଜି ସୁଦ୍ଧା ୩୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧ ହଜାରରୁ ଅଧିକ ଆହତ ହୋଇଛନ୍ତି। ବାଂଲାଦେଶ ରାଜଧାନୀ ଢାକାରେ ହିଂସା ଅଣାୟତ୍ତ ହୋଇଛି। ଦେଶର ସରକାର ବୁଧବାର ସମସ୍ତ ସ୍କୁଲ, କଲେଜ ଓ ବିଶ୍ବବିଦ୍ୟାଳୟକୁ ଅନିର୍ଦିଷ୍ଟ କାଳ ପାଇଁ ବନ୍ଦ ଘୋଷଣା କରିବା ପରେ ଗୁରୁବାର ଦେଶବ୍ୟାପୀ ବନ୍ଦ ପାଳନ କରାଯାଇଛି। ସଂରକ୍ଷଣ ସପକ୍ଷ ଓ ବିପକ୍ଷବାଦୀ ଗୋଷ୍ଠୀ ମଧ୍ୟରେ କେତେକ ସ୍ଥାନରେ ହିଂସାକାଣ୍ଡ ଘଟିଥିବା ଖବର ମିଳିଛି। ପରିସ୍ଥିତିକୁ ନିୟନ୍ତ୍ରଣ କରିବା ନିମନ୍ତେ ଦେଶରେ ଇଣ୍ଟରନେଟ୍ ସେବାକୁ ବନ୍ଦ କରିଦିଆଯାଇଛି। ଗୁରୁବାର ବିକ୍ଷୋଭକାରୀମାନେ ଦେଶବ୍ୟାପୀ ବନ୍ଦ ପାଳନ କରିଥିବାବେଳେ କେବଳ ହସପିଟାଲ ଓ ଜରୁରୀ ସେବାକୁ ଏଥିରୁ ବାଦ୍ ଦେଇଛନ୍ତି। ବିକ୍ଷୋଭକାରୀମାନେ ସରକାରୀ ଟିଭି କାର୍ଯ୍ୟାଳୟରେ ନିଆଁ ଲଗାଇ ଦେଇଛନ୍ତି। ବୁଧବାର ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହାସିନା ରାଷ୍ଟ୍ର ଉଦ୍ଦେଶ୍ୟରେ ଉଦ୍ବୋଧନ ଦେଇ ବିକ୍ଷୋଭରେ ପ୍ରାଣ ହରାଇଥିବା ଛାତ୍ର ଓ ସାଧାରଣ ନାଗରିକଙ୍କ ପରିବାରଙ୍କୁ ନ୍ୟାୟ ମିଳିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ସେ ମଧ୍ୟ କହିଛନ୍ତି ଯେ କୋଟା ବ୍ୟବସ୍ଥାରେ ସଂସ୍କାର ଆଣିବାକୁ ଆନ୍ଦୋଳନକାରୀଙ୍କୁ ସୁପ୍ରିମକୋର୍ଟଙ୍କ ରାୟ ଅନୁଯାୟୀ ନିରାଶ କରାଯିବ ନାହିଁ।