18.1 C
Bhubaneswar
Thursday, December 18, 2025
Homeଓଡିଶାମହାପ୍ରଭୁଙ୍କ ଅଧରପଣା ନୀତି ସମ୍ପନ୍ନ

ମହାପ୍ରଭୁଙ୍କ ଅଧରପଣା ନୀତି ସମ୍ପନ୍ନ

ପୁରୀ : ରଥ ଉପରେ ଅନୁଷ୍ଠିତ ହୋଇଯାଇଛି ମହାପ୍ରଭୁଙ୍କ ଅଧରପଣା ନୀତି । ରଥ ସହିତ ଥିବା ପାର୍ଶ୍ୱ ଦେବାଦେବୀ ଓ ଚଣ୍‌ତି ଚାମୁଣ୍‌ତାଙ୍କ ଆହାର ତୃପ୍ତି ପାଇଁ ଏହି ଅଧରପଣା ଭୋଗ ଓ ହାଣ୍‌ତି ଭଙ୍ଗା ଯିବାର ପରମ୍ପରା ରହିଛି । ମଧ୍ୟାହ୍ନ ଧୂପ ପରେ ସଂନ୍ଧ୍ୟାରେ ଅନୁଷ୍ଠିତ ହୋଇଥିଲା ଏହି ଅଧରପଣା ନୀତି । ହଜାର ହଜାର ଭକ୍ତଙ୍କ ଗହଣରେ ଏହି ନୀତି ଅନୁଷ୍ଠିତ ହୋଇ ଥିବାରୁ ପୋଲିସ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିଲା।
ଘୋଷଯାତ୍ରାର ଅନ୍ୟତମ ପ୍ରମୁଖ ନୀତି ହେଉଛି ଅଧରପଣା ନୀତି । ରଥାରୂଢ଼ ଠାକୁରମାନଙ୍କ ଅଧର ଉଚ୍ଚ ପର୍ଯ୍ୟନ୍ତ ଏକ ସ୍ୱତନ୍ତ୍ର ଶୈଳୀରେ ନିର୍ମିତ ମାଟି ହାଣ୍ଡିରେ ହେଉଥିବା ପଣା ଭୋଗକୁ ଅଧର ପଣା କୁହାଯାଏ । ସ୍ୱତଲିପି ଅନୁଯାୟୀ ବାହୁଡା ଦଶମୀ ଦିନ ରଥ ସିଂହଦ୍ୱାର ନିକଟରେ ପହଞ୍ଚିବା ପରେ ଅଧର ପଣା ଭୋଗ ହେବା କଥା । କିନ୍ତୁ ସମୟ ଅଭାବରୁ ଏହା ଏକାଦଶୀ ଦିନ ଅନୁଷ୍ଠିତ ହୋଇଥାଏ । ପ୍ରକୃତ ପକ୍ଷେ ଏହା ଏକାଦଶୀ ଦିନ ମଧ୍ୟ ହୋଇ ନ ପାରି ଦ୍ୱାଦଶୀ ତିଥିରେ ଏହି ଅଧର ପଣା ଭୋଗ କରାଯାଉଛି । ସିଂହଦ୍ୱାରରେ ଥିବା ରଥାରୁଢ଼ ଶ୍ରୀଜୀଉଙ୍କ ତିନିରଥ ଉପରେ ଏହି ଅଧରପଣା ନୀତି କରାଯାଇଥିଲା । ଶ୍ରୀଜୀଉ ମାନଙ୍କ ଅଧର ପର୍ଯ୍ୟନ୍ତ ଲମ୍ୱିଥିବା ମାଟି ହାଣ୍‌ତିରେ ପ୍ରସ୍ତୁତ ପଣାକୁ ଭୋଗ କରାଯାଇଥିଲା ।

ଆଜି ସକାଳ ୦୭.୧୫ ରୁ ୦୭.୩୫ ମଧ୍ୟେ ମଙ୍ଗଳ ଆଳତି, ୦୭.୪୫ ରୁ ୦୮.୦୫ ମଇଲମ ଓ ତଡ଼ପଲାଗି, ୦୮.୦୫ ରୁ ୦୮.୪୦ ତିନି ରଥ ଅବକାଶ ଶେଷ, ୦୮.୪୫ ରୁ ୦୯.୨୦ ତିନି ରଥ ବେଶ ଶେଷ, ୧୦.୨୦ ରୁ ୧୦.୫୦ ତିନି ରଥ ଗୋପାଳବଲ୍ଲଭ, ୧୧.୨୫ ରୁ ୧୧.୫୫ ସକାଳ ଧୂପ, ୧୨. ୧୦ ରୁ ୧୨. ୩୫ରେ ତିନି ରଥ ମଇଲମ, ୧୨. ୪୦ ରୁ ୦୧.୧୫ ତିନି ରଥ ମହାସ୍ନାନ ଓ ସର୍ବାଙ୍ଗ, ୦୧. ୨୦ ରୁ ୦୧.୪୦ ତିନିରଥ ବେଶଶେଷ, ୦୧.୪୫ ରୁ ୦୨.୨୫ ତିନିରଥ ମଧ୍ୟାହ୍ନ ଧୂପ ନୀତି ଅନୁଷ୍ଠିତ ହୋଇଥିଲା ।

ପାଣିଆ ଆପଟ ସେବାୟତଙ୍କ ଦ୍ୱାରା ଛାଉଣି ମଠ କୂଅରୁ ଗରାରେ ପାଣି ଅଣାଯାଇ ଅଧରହାଣ୍ଡିରେ ଯୋଗାଯାଇଥିଲା । ମହାସୁଆର ସେବକ ସେଥିରେ କ୍ଷୀର, ସର, ଛାଚି, କଦଳୀ, ଛେନା, ଗୋଲମରିଚ ଗୁଣ୍ଡ, କର୍ପୂର ଏବଂ ଜାଇଫଳ ପକାଇ ପଣା ପ୍ରସ୍ତୁତ କରିଥିଲେ । ପରେ ପତ୍ରିବଡୁ, ସୁଆରବଡୁ ଓ ଗରାବଡୁ ପୂଜା ପାଠ କରିଥିଲେ । ପୂଜାପଣ୍ଡା ସେବକଙ୍କ ଦ୍ୱାରା ପଞ୍ଚୋପଚାରରେ ମହାପ୍ରଭୁଙ୍କୁ ପଣାଭୋଗ କରାଯାଇଥିଲା । ତେବେ ଅଧରପଣା ପାଇଁ ଶ୍ରୀମନ୍ଦିର ପ୍ରଶାସନ, ରାଘବଦାସ ମଠ ଓ ବଡଓଡ଼ିଆ ମଠ ଆବଶ୍ୟକୀୟ ସାମଗ୍ରୀ ଯୋଗାଇ ଦେଇଥିଲେ । ଅଧରପଣା ହାଣ୍ଡି ଭଙ୍ଗାଯିବା ପରେ ରଥଉପର ପରିଷ୍କାର କରାଯାଇଥିଲା । ପରେ ମହାପ୍ରଭୁ ମହାସ୍ନାନ ହୋଇଥିଲେ । ପୁଣିଥରେ ଶ୍ରୀଜୀଉଙ୍କୁ ବେଶ କରାଯାଇଥିଲା । ଏହା ପରେ ସନ୍ଧ୍ୟା ଆଳତି, ସନ୍ଧ୍ୟାଧୂପ, ଚନ୍ଦନଲାଗି, ବଡ଼ସିଂହାର ବେଶ, ବଡ଼ସିଂହାର ଭୋଗ ଅନୁଷ୍ଠିତ ହୋଇଥିଲା । ଗରୁଡଶୟନ ନୀତି ପରେ ମହାପ୍ରଭୁଙ୍କୁ ରାତ୍ରପହୁଡ କରାଯାଇଥିଲା ।

ତେବେ ଏହି ଅଧରପଣା ଭୋଗ କରାଯାଇ ହାଣ୍‌ତି ଗୁଡ଼ିକ ଭଙ୍ଗାଯିବାର ବିଶେଷ ମହତ୍ୱ ରହିଛି । ତିନିରଥରେ ଥିବା ପାର୍ଶ୍ୱ ଦେବାଦେବୀ, ଚଣ୍‌ତିଚାମୁଣ୍‌ତା ଓ ଅଶରୀର ଆତ୍ମାର ଶାନ୍ତି ନିମିତ୍ତ ଏହି ପଣା ଭୋଗ କରାଯାଏ । ସେମାନେ ଏହି ପଣାକୁ ପ୍ରସାଦ ରୁପେ ପାଇ ତୃପ୍ତ ହେବାର ବିଶ୍ୱାସ ରହିଛି । ଆଜିର ଏହି ଅଧରପଣା ନୀତି ମଧ୍ୟାହ୍ନ ଧୂପ ପରେ ଅନୁଷ୍ଠିତ ହୋଇଥିଲା । ଶ୍ରୀମନ୍ଦିର ପ୍ରଶାସନ ନୀତି ନିର୍ଘଣ୍ଟ ଅନୁଯାୟୀ ରାତି ୮ ଟା ସୁଦ୍ଧା ଅଧରପଣା ନୀତି ସଂପୁର୍ଣ ହେବାର ଥିବା ବେଳେ ନୀତି ବିଳମ୍ବ ଯୋଗୁ ରାତ୍ର ୯ଟା ୩ରେ ସୁଭଦ୍ରା ଙ୍କ ରଥରେ, ୯ଟା ୮ରେ ବଳଭଦ୍ର ଙ୍କ ରଥରେ ଓ ୯ଟା ୨୧ ରେ ମହାପ୍ରଭୁ ଜଗନ୍ନାଥ ଙ୍କ ରଥରେ ଅଧର ପଣା ହାଣ୍ଡି ଭଙ୍ଗା ଯାଇ ଅଧରପଣା ନୀତି ସମ୍ପୂର୍ଣ ହୋଇଥିଲା । ଆଜିର ଏହି ନୀତି ଭକ୍ତଙ୍କ ଗହଣରେ ଅନୁଷ୍ଠିତ ହୋଇ ଥିବାରୁ ଲକ୍ଷାଧିକ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଆଗମନ କୁ ଦୃଷ୍ଟିରେ ରଖି ପ୍ରଶାସନ ଦ୍ୱରା ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡ଼ାକଡ଼ି କରାଯାଇଥିଲା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking