ଖୋର୍ଦ୍ଧା : ଖୋର୍ଦ୍ଧା କଳିଙ୍ଗ ମୁଣ୍ଡିଆ ପାଖ ଗଭୀର ଖଣି ପୋଖରୀରେ ଛାତ୍ର ନିଖୋଜ ହୋଇଥିବା ଘଟଣାରେ ୫ଦିନ ପରେ ଉଦ୍ଧାର ହୋଇଛନ୍ତି ନିଖୋଜ ଛାତ୍ର ଓମ ପ୍ରକାଶ ରଥ । ଆଜି ସକାଳୁ ଉଦ୍ଧାରକାରୀ ଦଳ ଓମର ମୃତଦେହକୁ ଉଦ୍ଧାର କରିଛନ୍ତି । ଭାସୁଥିବା ଅବସ୍ଥାରେ ଛାତ୍ର ଓମ ପ୍ରକାଶ ରଥଙ୍କ ମୃତଦେହକୁ ଉଦ୍ଧାର କରିଛି ରେସ୍କ୍ୟୁ ଟିମ୍ । ପରିବାରବର୍ଗ ପୁଅର ମୃତଦେହକୁ ଚିହ୍ନଟ କରିଛନ୍ତି । ଗତ ୮ ତାରିଖ ଦିନ ଖୋର୍ଦ୍ଧା କଳିଙ୍ଗ ମୁଣ୍ଡିଆ ପାଖ ଗଭୀର ଖଣି ପୋଖରୀରେ ଏହି ଅଘଟଣଟି ଘଟିଥିଲା । ସାଙ୍ଗମାନଙ୍କ ସହିତ ବୁଲିବାକୁ ଯାଇଥିବା ସମୟରେ ଦୁଇଜଣ ଖଣି ପୋଖରୀରେ ପଡ଼ିଯାଇଥିଲେ । ଜଣେ ଛାତ୍ର କୂଳକୁ ଚାଲିଆସିଥିବାବେଳେ ସେବେଠୁ ନିଖୋଜ ଥିଲେ ଓମ୍ ପ୍ରକାଶ ରଥ । ତେବେ କଟକ, ଢେଙ୍କାନାଳ, ଖୋର୍ଦ୍ଧାରୁ ସ୍ବତନ୍ତ୍ର ରେସ୍କ୍ୟୁ ଟିମ୍ ସହ ତାଲିମ ପ୍ରାପ୍ତ ବୁଡାଳୀ, କ୍ୟାମେରାର ସହାୟତା ନିଆଯାଇଥିଲା । ଏନଡିଆରଏଫ୍ ଟିମ୍ ମଧ୍ୟ ଉଦ୍ଧାର କାର୍ୟ୍ୟରେ ନିୟୋଜିତ ହୋଇଥିଲା । ଅଗ୍ନିଶମ ବାହିନୀ, ନାଭାଲ ଟିମ୍, ଓଡ୍ରାଫ୍ଟ ଟିମ୍ ସମେତ ରାଉରକେଲା ଏନ୍ଆଇଟି ଟିମ୍ ବି ଲାଗିଥିଲେ । ଉଦ୍ଧାର ପାଇଁ ସମସ୍ତ ବୈଷୟିକ ଜ୍ଞାନ କୌଶଳ, ଉନ୍ନତମାନର କ୍ୟାମେରା, ରୋବଟର ସହାୟତା ନିଆଯାଇଥିଲା । ରୋବର୍ଟ ୩୦୦ ଫୁଟ ଗଭୀର ଜଳରାଶିରେ ସର୍ଚ୍ଚ ଅପରେସନ କରିଥିଲା । ସବୁ ଟିମ୍ ମିଶାଇ ଏକ୍ସପର୍ଟ ବୁଡାଳୀଙ୍କ ସହ ପ୍ରାୟ ୫୦ଜଣ ଉଦ୍ଧାର କାର୍ୟ୍ୟରେ ନିୟୋଜିତ ହୋଇଥିଲେ । ଆଜି ସକାଳେ ଉଦ୍ଧାରକାରୀ ଦଳ ଓମର ମୃତଦେହକୁ ଉଦ୍ଧାର କରିଛନ୍ତି ।