ନୂଆଦିଲ୍ଲୀ: ରାଷ୍ଟ୍ରପତି ଦୌପଦୀ ମୁର୍ମୁ ରାଷ୍ଟ୍ରପତି ଭବନ କଲ୍ଚରାଲ୍ ସେଣ୍ଟର୍ରେ ବୁଧବାର ଆୟୋଜିତ ଏକ ସମାରୋହରେ ଡୁରାଣ୍ଡ୍ କପ୍ ଟୁର୍ଣ୍ଣାମେଣ୍ଟ୍ ୨୦୨୪ର ଟ୍ରଫି ଉନ୍ମୋଚିତ କରିଛନ୍ତି । ଏହା ସହ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ପ୍ରେସିଡେଣ୍ଟ୍ କପ୍ ଏବଂ ସିମ୍ଳା ଟ୍ରଫି ମଧ୍ୟ ଉନ୍ମୋଚିତ କରିଛନ୍ତି । ଏହି ଅବସରରେ ରାଷ୍ଟ୍ରପତି କହିଛନ୍ତି, ଫୁଟ୍ବଲ୍ ବିଶ୍ୱର ଅନ୍ୟତମ ସର୍ବାଧିକ ଲୋକପ୍ରିୟ ଖେଳ । ହଜାର ହଜାର ପ୍ରଶଂସକଙ୍କ ସମ୍ମୁଖରେ ପେସାଦାର ଫୁଟ୍ବଲର୍ ଖେଳୁଥିବା ବେଳେ ଖେଳାଳି ଏବଂ ପ୍ରଶଂସକଙ୍କ ଉତ୍ସାହ ବହୁଗୁଣରେ ବୃଦ୍ଧି ପାଇଥାଏ । ଚଳିତ ଡୁରାଣ୍ଡ୍ କପ୍ ଟୁର୍ଣ୍ଣାମେଣ୍ଟ୍ରେ ଅଂଶଗ୍ରହଣ କରିବାକୁ ଥିବା ସମସ୍ତ ଖେଳାଳିଙ୍କୁ ରାଷ୍ଟ୍ରପତି ଏହି ଅବସରରେ ଶୁଭକାମନା ଜଣାଇଥିଲେ । ସେ ଖେଳାଳିମାନଙ୍କୁ କହିଥିଲେ, ପ୍ରତିଯୋଗିତାରେ ଜୟ ପରାଜୟ ଲାଗିରହିଥାଏ, କିନ୍ତୁ ପ୍ରତିଦ୍ୱନ୍ଦ୍ୱିତା ଏକ ସୁସ୍ଥ ବାତାବରଣ ମଧ୍ୟରେ ହେବା ଉଚିତ । ଏହା ବ୍ୟତୀତ ପ୍ରତ୍ୟେକ ଖେଳାଳି ଅନ୍ୟ ଟିମ୍କୁ ସମ୍ମାନ ଜଣାଇବା ଆବଶ୍ୟକ । ଟୁର୍ଣ୍ଣାମେଣ୍ଟ୍ରେ ସମସ୍ତ ଖେଳାଳି କ୍ରୀଡ଼ା ମନୋଭାବ ଏବଂ ଦୃଢ଼ ନିଶ୍ଚୟର ସହ ଖେଳିବେ ବୋଲି ସେ ଆଶାବ୍ୟକ୍ତ କରିଥିଲେ । ଏହା ବ୍ୟତୀତ ଭାରତରେ ଫୁଟ୍ବଲ୍ର ସ୍ତର ବୃଦ୍ଧି ପାଇଁ ଉଦ୍ୟମ କରିବାକୁ ରାଷ୍ଟ୍ରପତି ମୁର୍ମୁ ସମସ୍ତ ଫୁଟ୍ବଲ୍ପ୍ରେମୀଙ୍କୁ ନିବେଦନ କରିଛନ୍ତି ।