24.1 C
Bhubaneswar
Friday, February 13, 2026
Homeଓଡିଶାଉତ୍କଳମଣିଙ୍କ ୯୬ତମ ଶ୍ରାଦ୍ଧବାର୍ଷିକୀରେ ରାଷ୍ଟ୍ରପତିଙ୍କ ଅଭିଭାଷଣ

ଉତ୍କଳମଣିଙ୍କ ୯୬ତମ ଶ୍ରାଦ୍ଧବାର୍ଷିକୀରେ ରାଷ୍ଟ୍ରପତିଙ୍କ ଅଭିଭାଷଣ

ଭୁବନେଶ୍ୱର: ଶିକ୍ଷାର ଅର୍ଥ କେବଳ ବହିଭିତ୍ତିକ ଜ୍ଞାନ ନୁହେଁ, ବରଂ ଶିକ୍ଷାର ଅର୍ଥ ଛାତ୍ରଛାତ୍ରୀଙ୍କୁ ଶାରୀରିକ, ମାନସିକ, ବୌଦ୍ଧିକ ଓ ଆଧ୍ୟାତ୍ମିକ ଭାବରେ ବିକଶିତ କରିବା ଦରକାର । ଉତ୍କଳମଣୀ ଗୋପବନ୍ଧୁ ତାହା ଭଲ ଭାବରେ ହୃଦବୋଧ କରିଥିଲେ । ସେଥିପାଇଁ ସେ ପୁରୀ ଜିଲ୍ଲାର ସତ୍ୟବାଦୀଠାରେ ମୁକ୍ତାକାଶ ସ୍କୁଲ ପ୍ରତିଷ୍ଠା କରିଥିଲେ । ଏହା କହିଛନ୍ତି ଓଡ଼ିଆ ଝିଅ ତଥା ଭାରତର ରାଷ୍ଟ୍ରପତି ଦୌପଦୀ ମୁର୍ମୁ ।

ସ୍ଥାନୀୟ ଜୟଦେବ ଭବନରେ ଆୟୋଜିତ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୬ତମ ଶ୍ରାଦ୍ଧ ବାର୍ଷିକୀ କାର୍ଯ୍ୟକ୍ରମରେ ଯୋଗଦେଇ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ କହିଛନ୍ତି ଯେ, ଜଣେ ବ୍ୟକ୍ତି କେତେ ଦିନ ବଞ୍ଚିବ ତାହା ଗୁରୁତ୍ୱପୂର୍ଣ୍ଣ ନୁହେଁ, ବରଂ, ଗୁରୁତ୍ୱପୂର୍ଣ୍ଣ ହେଉଛି ସେ କେଉଁ ପ୍ରକାରର ଜୀବନ ଯାପନ କରନ୍ତି । ଅର୍ଥାତ୍ ଜଣେ ବ୍ୟକ୍ତିର ସମାଜ ଓ ଦେଶ ପ୍ରତି ଅବଦାନକୁ ଆଧାର କରି ତାଙ୍କର ଖ୍ୟାତିର ମୂଲ୍ୟାଙ୍କନ କରାଯାଏ । ପଣ୍ଡିତ ଗୋପବନ୍ଧୁ ଦାସ ତାଙ୍କ ସ୍ୱଳ୍ପ ଜୀବନକାଳ ମଧ୍ୟରେ କେତେ ଭଲ କାମ କରିଛନ୍ତି ତାହା ଭାବିଲେ ଆଶ୍ଚର୍ଯ୍ୟ ଲାଗୁଛି । ସମାଜସେବା, ସାହିତ୍ୟ, ଶିକ୍ଷା ଓ ସାମ୍ବାଦିକତା କ୍ଷେତ୍ରରେ ତାଙ୍କର ଅବଦାନ ଅବିସ୍ମରଣୀୟ । ରାଷ୍ଟ୍ରପତି କହିଛନ୍ତି ଯେ, ପଣ୍ଡିତ ଗୋପବନ୍ଧୁ ଦାସ ଜାତୀୟତାବାଦ ଓ ଗଣତାନ୍ତ୍ରିକ ମୂଲ୍ୟବୋଧରେ ବିଶ୍ୱାସ କରୁଥିଲେ । ତାଙ୍କର କବିତା ଓ ଗଦ୍ୟ ଦେଶପ୍ରେମ ଓ ବିଶ୍ୱ କଲ୍ୟାଣର ବାର୍ତ୍ତା ଦେଇଥାଏ । ସେ ଓଡ଼ିଆ ଗୌରବ ତଥା ଭାରତୀୟ ଜାତୀୟତାବାଦପ୍ରତି ଉତ୍ସର୍ଗୀକୃତ ଥିଲେ । ପଣ୍ଡିତ ଗୋପବନ୍ଧୁ ଲେଖିଥିଲେ ‘ମୁଁ ଭାରତରେ ଯେଉଁଠି ବି ଅଛି, ବିଶ୍ୱାସ କରିବା ଉଚିତ ଯେ ମୁଁ ଘରେ ଅଛି’ । ଗୋପବନ୍ଧୁଙ୍କ ଏହି ଚିନ୍ତାଧାରାରୁ ପ୍ରେରଣା ନେବା ଉଚିତ ବୋଲି ରାଷ୍ଟ୍ରପତି କହିଥିଲେ ।

ରାଷ୍ଟ୍ରପତି କହିଛନ୍ତି ଯେ, ୧୯୧୯ରେ ପଣ୍ଡିତ ଗୋପବନ୍ଧୁ ଦାସ ‘ସମାଜ’ ଖବରକାଗଜର ପ୍ରକାଶନ ଆରମ୍ଭ କରିଥିଲେ । ଏହି ଖବରକାଗଜ ଜରିଆରେ ସେ ଲୋକଙ୍କ ସମସ୍ୟା ମଧ୍ୟ ଉଠାଇଥିଲେ । ସମାଜରେ ତାଙ୍କର ସମ୍ପାଦକୀୟ ଓଡ଼ିଆ ସାହିତ୍ୟକୁ ସମୃଦ୍ଧ କରିଛି । ଏହି ପ୍ରକାଶନ ମାଧ୍ୟମରେ ସେ ଓଡ଼ିଶାରେ ସ୍ୱାଧୀନତାର ବାର୍ତ୍ତା ପ୍ରଚାର କରିଥିଲେ । ସେ ଭଲ ଭାବରେ ଜାଣିଥିଲେ ଉପଯୁକ୍ତ ଶିକ୍ଷା ବିନା କୌଣସି ସମାଜ କିମ୍ବା ରାଷ୍ଟ୍ର ପ୍ରଗତି କରିପାରିବନାହିଁ । ଆରମ୍ଭରୁ ଛାତ୍ରଛାତ୍ରୀଙ୍କୁ ପ୍ରକୃତି ସହ ପରିଚିତ କରାଇବା ତାଙ୍କର ଆଭିମୁଖ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ପଣ୍ଡିତ ଗୋପବନ୍ଧୁ ବନ ବିଦ୍ୟାଳୟ ମାଧ୍ୟମରେ ଛାତ୍ରଛାତ୍ରୀଙ୍କ ସାମଗ୍ରିକ ବିକାଶ ଉପରେ ଗୁରୁତ୍ୱାରୋପ କରିଥିଲେ ବୋଲି ରାଷ୍ଟ୍ରପତି ପ୍ରକାଶ କରିଛନ୍ତି ।

ଉକ୍ତ ଶ୍ରଦ୍ଧାଞ୍ଜଳି ସଭାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ବ୍ୟତୀତ ରାଜ୍ୟପାଳ ରଘୁବର ଦାସ, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଅନ୍ୟ ବରିଷ୍ଠ ଅତିଥି ଗଣ ଉପସ୍ଥିତ ରହି ଉତ୍କଳମଣିଙ୍କ ଜୀବନାର୍ଦ୍ଦଶ ଉପରେ ଦୀକ୍ଷାନ୍ତ ଭାଷଣ ଦେଇଥିଲେ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଥିଲେ, ଉତ୍କଳମଣି ଥିଲେ ଓଡ଼ିଆ ଜାତିର ଉତଥାନ ଓ ସ୍ୱାଭିମାନର ସୂତ୍ରଧର । ଗରିବ ଲୋକର ପ୍ରକୃତ ବନ୍ଧୁ । ଦେଶର ସ୍ୱାଧୀନତା ସଂଗ୍ରାମର ଅଗ୍ରଦୂତ । ସ୍ୱାର୍ଥ ବିହୀନ ସେବା ଓ ପରୋପକାରର ମହିମାମଣ୍ଡିତ ମହାପୁରୁଷ । ଓଡ଼ିଶାକୁ ଜାତୀୟ ଚେତନାର ସୂତ୍ରରେ ବାନ୍ଧିବା ସହିତ ଓଡ଼ିଆ ସାହିତ୍ୟର ବିକାଶ ଓ ଓଡ଼ିଶାରେ ଉଚ୍ଚ ଶିକ୍ଷାର ବିକାଶ ପାଇଁ ଗୁରୁତ୍ୱପୂର୍ଣ୍ଣ ଅବଦାନ ଥିଲା । ଓଡ଼ିଶାରେ ସାମାଜିକ ସଂସ୍କାର ଓ ନାରୀ ଶିକ୍ଷାର ପ୍ରସାର କ୍ଷେତ୍ରରେ ସେ ଅଗ୍ରଣୀ ଭୂମିକା ନେଇଥିଲେ । ତାଙ୍କ ଦରଦୀ ହୃଦୟର କାହାଣୀ ଆଜି ବି ଲୋକ କଥାରେ ବଞ୍ଚି ରହିଛି । ଶ୍ରୀ ମାଝୀ କହିଛନ୍ତି ଯେ, ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୬ତମ ଶ୍ରାଦ୍ଧବାର୍ଷିକୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରି କହିଛନ୍ତି ଯେ, ଦେଶର ମହାମହିମ ରାଷ୍ଟ୍ରପତି ଉତ୍କଳମଣିଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ଆମ ସହିତ ସାମିଲ ହେଇଛନ୍ତି । ମାଟିର ଝିଅ ମାଟିର ବରପୁତ୍ରକୁ ସମ୍ମାନ ଦେବା ପାଇଁ ଆସିଛନ୍ତି ।

ଏଥିପାଇଁ ମୁଁ ତାଙ୍କ ନିକଟରେ କୃତଜ୍ଞତା ପ୍ରକାଶ କରୁଛି । ଏହି କାର୍ଯ୍ୟକ୍ରମ ପାଇଁ ସମାଜ ପରିବାର ଓ ଲୋକ ସେବକ ମଣ୍ଡଳର କର୍ତ୍ତୃପକ୍ଷଙ୍କୁ ଧନ୍ୟବାଦ ଦେଉଛି । ସେ କହିଛନ୍ତି ଯେ, ଉତ୍କଳମଣୀଙ୍କ ଦ୍ୱାରା ପ୍ରତିଷ୍ଠିତ ସତ୍ୟବାଦୀର ବନ ବିଦ୍ୟାଳୟ ସେ ସମୟରେ ଥିଲା ଏକ ମଣିଷ ତିଆରି କାରଖାନା । ଏହା ଏକ ସାଧାରଣ ସ୍କୁଲ ନଥିଲା, ଏହା ଥିଲା ଅଶିକ୍ଷା ଓ ଜାତି ପ୍ରଥା ବିରୋଧରେ ଏକ ବିରାଟ ଆନ୍ଦୋଳନ । ଏହା ଥିଲା ସମାଜ ସଂସ୍କାର ପାଇଁ ଏକ ମହାନ୍ ଉଦ୍ୟମ । ସେ ଆନ୍ଦୋଳନର ଫଳ ସ୍ୱରୂପ ଆଜି ଓଡ଼ିଶା ଭେଦଭାବ ବିହୀନ, ଭାଇ ଚାରାରେ ବିଶ୍ୱାସ ରଖୁଥିବା ଏକ ଆଦର୍ଶ ରାଜ୍ୟ ହୋଇ ଛିଡ଼ା ହୋଇପାରିଛି । ତାଙ୍କ ଦ୍ୱାରା ପ୍ରତିଷ୍ଠିତ ସମ୍ବାଦପତ୍ର ‘ସମାଜ’ ଆଜି ଗଣତନ୍ତ୍ରର ଜାଗ୍ରତ ପ୍ରହରୀ ହୋଇ ଲୋକଶକ୍ତିକୁ ପ୍ରତିଷ୍ଠା କରି ଚାଲିଛି । ଗୋପବନ୍ଧୁଙ୍କ ୯୬ତମ ଶ୍ରାଦ୍ଧବାର୍ଷିକୀ ଆମ ପାଇଁ ଏକ ପ୍ରେରଣା ଆଣିଛି ଓ ମନରେ ସଂକଳ୍ପ ଆଣିଛି । ଏହି ଅବସରରେ ମୁ ପୁଣି ଥରେ ସେହି ମହାନ ପୁଣ୍ୟାତ୍ମା ପଣ୍ଡିତ ଗୋପବନ୍ଧୁଙ୍କୁ ମୋର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି । ଉକ୍ତ କାର୍ଯ୍ୟକ୍ରମରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଉପସ୍ଥିତ ଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking