28.1 C
Bhubaneswar
Saturday, September 28, 2024
Homeଓଡିଶାନିଜ ଗୋଡ଼ରେ କୁରାଢ଼ୀ ନ ମାରୁ କଂଗ୍ରେସ

ନିଜ ଗୋଡ଼ରେ କୁରାଢ଼ୀ ନ ମାରୁ କଂଗ୍ରେସ

ଭୁବନେଶ୍ୱର : ଓଡ଼ିଶାରେ କଂଗ୍ରେସର ସ୍ଥିତି ଏତେ ନିମ୍ନଗାମୀ ହେବା ସତ୍ତ୍ୱେ ନେତମାନେ ଚେତୁ ନାହାଁନ୍ତି । ବ୍ୟକ୍ତିଗତ ବିଦ୍ୱେଶକୁ ଧରି ଦଳକୁ ରସାତଳକୁ ନେବା ପାଇଁ ମଧ୍ୟ ପଛାଉ ନାହାଁନ୍ତି ନେତାମାନେ । ପରିସ୍ଥିତିକୁ ଅନୁଧ୍ୟାନ ନକରି ଏଥିରେ ଏଆଇସିସି ସହାୟତା କରୁଥିବା ଦେଖାଯାଉଛି । ଗତ ଥର ଭଳି ଏଥର ବିଧାନସଭାରେ କଂଗ୍ରେସ ମୁଖ୍ୟ ବିରୋଧୀ ଦଳର ଭୂମିକା ଗ୍ରହଣ କରିବାର ଯଥେଷ୍ଟ ସୁଯୋଗ ଥିଲାବେଳେ ଏହାକୁ ହାତଛଡ଼ା କରିବାକୁ ଯାଉଥିବା ଜଣାପଡ଼ିଛି ।

ଏଥର ନିର୍ବାଚନରେ କଂଗ୍ରେସ ଗତଥର ଅପେକ୍ଷା କିଛି ଭଲ ଫଳ କରିଛି । ଗତ ନିର୍ବାଚନରେ ୯ ଜଣ ବିଧାୟକ ନିର୍ବାଚିତ ହୋଇ ଆସିଥିଲା ବେଳେ ଏଥର ୧୪ ଜଣ ବିଧାୟକ ଆସିଛନ୍ତି । ସମସ୍ତ ପ୍ରତିକୁଳ ପରିସ୍ଥିତି ସତ୍ତ୍ୱେ ୧୪ ଜଣ ବିଧାୟକ ନିଜର ଲୋକପ୍ରିୟତା ଦେଖାଇ ଆସିଛନ୍ତି । ଏମାନଙ୍କ ଭିତରୁ କିଏ ବିଧାୟକ ଦଳର ନେତା ହେବେ ତାକୁ ନେଇ ଚାଲିଛି ଛକା ପଞ୍ଝା । ଦିଲ୍ଲୀରେ ଡ଼େରା ପକାଇଛନ୍ତି ଅଧିକାଂଶ ବିଧାୟକ । ବରିଷ୍ଠତା ଓ ଦକ୍ଷତା ଦୃଷ୍ଟିରୁ ଦେଖିଲେ ବିଧାୟକ ତାରାପ୍ରସାଦ ବାହିନୀପତି ହିଁ ନେତା ହେବା କଥା । କିନ୍ତୁ ନିର୍ବାଚିତ ହୋଇଥିବା ଦଳର ଏକମାତ୍ର ସାଂସଦ ସପ୍ତଗିରି ଉଲାକା ତାରାଙ୍କୁ ବିରୋଧ କରୁଛନ୍ତି । ବ୍ୟକ୍ତିଗତ ବିଦ୍ୱେଶ ଭାବ ପାଇଁ ତାରାଙ୍କ ବାଟକୁ ରୋକିବା ଲାଗି ବିଧାୟକମାନଙ୍କୁ ଧରି ସେ ଦିଲ୍ଲୀରେ ଡ଼େରା ପକାଇଛନ୍ତି । ଦଳର ଜାତୀୟ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେଙ୍କୁ ଦେଖା କରି ସାରିବା ପରେ ରାହୁଲ ଗାନ୍ଧୀଙ୍କୁ ଭେଟି ଆଲୋଚନା କରିବାର ବାକି ରହିଛି । ବିଧାୟକ ରାମଚନ୍ଦ୍ର କାଡ଼ାମଙ୍କୁ କଂଗ୍ରେସ ବିଧାୟକ ଦଳର ନେତା କରିବା ପାଇଁ ସପ୍ତଗିରି ଚାହୁଁଛନ୍ତି । ଓଡ଼ିଶାର କୋଣ ଅନୁକୋଣକୁ ଗଲେ ବା ଯାହାକୁ ବି ପଚାରିଲେ ସେ କହିବ ତାରାପ୍ରସାଦ ବାହିନୀପତି ହିଁ ଉପଯୁକ୍ତ ହେବେ ବିଧାୟକ ଦଳର ନେତା ହେବା ପାଇଁ । ଗତ ବିଧାନସଭା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସିଧାସଳଖ ତାତ୍ସଲ୍ୟ କରିବା ଓ କଡ଼ା ସମାଲୋଚନା କରିବା ଭିତରେ ଯଦି କେହି ନେତା ଥାଆନ୍ତି ସେ ଥିଲେ ବାହିନୀପତି । ବିଜେପି ମୁଖ୍ୟ ବିରୋଧୀ ଦଳ ହୋଇଥିଲେ ବି ପ୍ରକୃତ ବିରୋଧୀ ଦଳର ଭୂମିକା ଗ୍ରହଣ କରୁଥିଲା କଂଗ୍ରେସ । କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ରଙ୍କ ଶାଣିତ ଆକ୍ରମଣ ମୁଖ୍ୟ ବିରୋଧୀ ଦଳ ବିଜେପିକୁ ପଛରେ ପକାଇ କଂଗ୍ରେସକୁ ବିରୋଧୀ ଦଳର ଆସନକୁ ଆଣି ପାରିଥିଲା । ନରସିଂହଙ୍କ ଗୋଟି ଚାଳନା ଓ ବାହିନୀପତିଙ୍କ ହଙ୍ଗାମା ବିଜେଡି ସରକାରକୁ ଅସ୍ତବ୍ୟସ୍ତ କରିଥିଲା । ଏଥର ନରସିଂହ ନାହାଁନ୍ତି କିନ୍ତୁ ବାହିନୀପତି ଅଛନ୍ତି ।

ଯଦି ବାସ୍ତବତାକୁ ଅନୁଧ୍ୟାନ ନକରି ଏଆଇସିସି ନେତୃବୃନ୍ଦ ବାହିନୀପତିଙ୍କ ସ୍ଥାନରେ କାଡ଼ାମାଙ୍କୁ ନେତା କରନ୍ତି ତେବେ କଂଗ୍ରେସର ସ୍ଥିତି ଖରାପ ହୋଇଯିବ ଏଥିରେ କୌଣସି ସନ୍ଦେହ ନାହିଁ । କାରଣ ବିଜେଡି ବର୍ତ୍ତମାନ ମୁଖ୍ୟ ବିରୋଧୀ ଦଳ ହୋଇଥିଲେ ବି ବିଜେପି ବିରୋଧରେ ସେଭଳି ଶାଣିତ ପଦକ୍ଷେପ ନେବ ବୋଲି ଆଶା କରାଯାଇ ପାରୁ ନାହିଁ । କାରଣ ବିରୋଧୀ ଦଳର ନେତା ଭାବରେ ନବୀନ ପଟ୍ଟନାୟକ ବିଜେପିକୁ ଆକ୍ରମଣ କରିବେ ଏ ଆଶା ଦେଖା ଯାଉ ନାହିଁ । ସରକାରରେ ଥିବାରୁ ଅନେକ ଦୋଷ ଦୁର୍ବଳତା ବିଜେପି ପଦାକୁ ଆଣି ବିଜେଡି ମୁହଁକୁ ବନ୍ଦ କରିବାର ସମ୍ଭାବନା ଅଧିକ ରହିଛି । ବିରୋଧୀ ଦଳର ଉପନେତା ଭାବେ ବିଧାୟକ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ଦଳ ବାଛିଛି । ସେ ମଧ୍ୟ ସେଭଳି ଏକ ଆକ୍ରମଣାତ୍ମକ ପଦକ୍ଷେପ ନେବା ଭଳି ରାଜନେତା ନୁହଁନ୍ତି । ସେ ଅତ୍ୟନ୍ତ ଶାନ୍ତ ଓ ସରଳ ବ୍ୟକ୍ତି । ବିରୋଧୀ ଦଳ ଭାବରେ ଯେଭଳି ଭୂମିକା ଗ୍ରହଣ କରିବା କଥା ହୁଏତ ବିଜେଡି ୨୫ ବର୍ଷର କ୍ଷମତାରେ ରହିଥିବା ଘଟଣା ହିଁ ପ୍ରତିବନ୍ଧକ ଆଣିବ ।

ଏ ଦୃଷ୍ଟିରୁ କଂଗ୍ରେସ ପାଖରେ ହିଁ ପ୍ରକୃତ ବିରୋଧୀର ଭୂମିକା ଗ୍ରହଣ କରିବା ସୁଯୋଗ ରହିଛି । ଆଗକୁ କଂଗ୍ରେସ ହିଁ ବଢ଼ିବାର ସମ୍ଭାବନା ମଧ୍ୟ ଦେଖାଯାଉଛି । ଏ କ୍ଷେତ୍ରରେ ଯଦି ଦଳ ନିଜ ଗୋଡ଼ରେ କୁରାଢ଼ୀ ମାରିବ ତେବେ ଭଗବାନ୍ ହିଁ ସହାୟ ବୋଲି ଅନେକ କହୁଛନ୍ତି । ବ୍ୟକ୍ତିଗତ ବିଦ୍ୱେଶକୁ ଛାଡ଼ି ଦଳକୁ ଆଗକୁ ନେବା ପାଇଁ ନେତାମାନେ ନ ଚାହିଁଲେ ଭବିଷ୍ୟତ ହିଁ ଅନ୍ଧାର ହେବ । ନିକଟରେ ଦଳୀୟ କାର୍ଯ୍ୟାଳୟରେ ବ୍ୟକ୍ତିଗତ ବିଦ୍ୱେଶକୁ ନେଇ ସଭାପତିଙ୍କ ଉପରେ କାଳି ଫିଙ୍ଗିବା ଘଟଣାରୁ କଂଗ୍ରେସର ଆର୍ନ୍ତଘାତି ପଦକ୍ଷେପ ପଦାରେ ପଡ଼ିଛି । ନିଜ ସଭାପତିଙ୍କ ଉପରେ କାଳି ଫିଙ୍ଗିବା ଦ୍ୱାରା ଦଳର ଯେ କ୍ଷତି ଘଟିଲା ଏ କଥାକୁ ଭୁଳିବାକୁ ଯାଉଛନ୍ତି ଷଡ଼ଯନ୍ତ୍ରକାରୀ ନେତାମାନେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking