24.1 C
Bhubaneswar
Wednesday, January 1, 2025
Homeଦେଶ ବିଦେଶକଲବଲ କରୁଛି ଆର୍ଦ୍ରତା

କଲବଲ କରୁଛି ଆର୍ଦ୍ରତା

ନୂଆଦିଲ୍ଳୀ : ପ୍ରବଳ ଗରମ , ପ୍ରଚଣ୍ଡ ଖରା । ଦିଲ୍ଲୀ, ବିହାର, ଉତ୍ତର ପ୍ରଦେଶ, ରାଜସ୍ଥାନ ଓ ମଧ୍ୟପ୍ରଦେଶ ସମେତ ସମଗ୍ର ଉତ୍ତର ପଶ୍ଚିମ ଭାରତ, ପୂର୍ବ ଏବଂ ଦକ୍ଷିଣ ଭାରତର କିଛି ଅଞ୍ଚଳରେ ଗତକିଛି ଦିନ ଧରି ଭୀଷଣ ଗ୍ରୀଷ୍ମପ୍ରବାହ ଯୋଗୁଁ ସାଧାରଣ ଜୀବନଯାତ୍ରା ଅସ୍ତବ୍ୟସ୍ତ ହେଉଛି। ଏହି ଅଞ୍ଚଳରେ ବିଭିନ୍ନ ସ୍ଥାନରେ ତାପମାତ୍ରା ୪୮ ଡିଗ୍ରି ଅତିକ୍ରମ କଲାଣି। କିଛି ଦିନ ତଳେ ଦିଲ୍ଳୀରେ ଭୟଙ୍କର ଅବସ୍ଥା ଦେଖିବାକୁ ମିଳିଥିଲା। ବିଭିନ୍ନ ସ୍ଥାନରେ ତାପମାତ୍ରା ୪୫ରୁ ୪୯ ଡିଗ୍ରୀ ପର୍ଯ୍ୟନ୍ତ ଥିଲା। ଦିଲ୍ଲୀ ଉପକଣ୍ଠ ମୁଙ୍ଗେଶପୁରରେ ସର୍ବାଧିକ ତାପମାତ୍ରା ୫୨.୯ ଡିଗ୍ରି ରେକର୍ଡ କରାଯାଇଥିଲା। ପୁଣି ଏହାପରେ ନାଗପୁରରେ ତାପମାତ୍ରା ୫୬ ଡିଗ୍ରି ରେକର୍ଡ କରାଯାଇଥିଲା, ଯାହାକି ସାରା ଭାରତରେ ସର୍ବକାଳୀନ ରେକର୍ଡ। ଅବଶ୍ୟ ଏହି ତାପମାତ୍ରାକୁ ନେଇ ବିବାଦ ରହିଛି, ତେବେ ଏହା ସତ ଯେ ତାତି ସମଗ୍ର ଉତ୍ତର ଭାରତକୁ ଗ୍ରାସିଲାଣି। ରାଜସ୍ଥାନ ଅବସ୍ଥା ଆହୁରି ଖରାପ। ପଶ୍ଚିମ ଓଡ଼ିଶାରେ ମଧ୍ୟ ତାପାମତ୍ରା ଅସହ୍ୟ ସ୍ତରରେ‌। ଏହିସବୁ ରାଜ୍ୟରେ ଅଂଶୁଘାତ ମୃତ୍ୟୁ ବଢ଼ିବାରେ ଲାଗିଛି। ଶହ ଶହ ଲୋକ ଅଂଶୁଘାତ ଆକ୍ରାନ୍ତ ହୋଇ ବିଭିନ୍ନ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ଅତ୍ୟଧିକ ତ‌ାତି ସହିତ ଆର୍ଦ୍ରତା ସମଗ୍ର ଅଞ୍ଚଳକୁ କଲବଲ କରୁଛି। କେବଳ ଏହି ଅଞ୍ଚଳ ନୁହେଁ, ମୁମ୍ବାଇ, ବେଙ୍ଗାଲୁରୁ ଓ ହାଇଦ୍ରାବାଦରେ ମଧ୍ୟ ଅନୁରୂପ ଅବସ୍ଥା।
ଏହି ତାତି ଓ ଆର୍ଦ୍ରତାକୁ ନେଇ ଆହୁରି ଅନେକ ଉଦବେଗଜନକ ତଥ୍ୟ ଆସୁଛି। ସିଏସ୍‌ଇ ରିପୋର୍ଟ ଅନୁଯାୟୀ ମୌସୁମୀ ଏବଂ ପ୍ରାକ୍ ମୌସୁମୀ ମଧ୍ୟରେ ରହୁଥିବା ଦିନମାନଙ୍କରେ ତାପମାତ୍ରାରେ ମଧ୍ୟ ବ୍ୟତିକ୍ରମ ଦେଖାଯାଉଛି। ୨୦୦୧ରୁ ୨୦୧୦ ମଧ୍ୟରେ ଏହି ଦିନମାନଙ୍କରେ ଦିଲ୍ଲୀ, ମୁମ୍ବାଇ ଓ କୋଲକାତାରେ ତାପମାତ୍ରା ବଢ଼ୁଥିଲା ଏବଂ ହାଇଦ୍ରାବାଦ, ବେଙ୍ଗାଲୁରୁ ଓ ଚେନ୍ନାଇରେ ତାପମାତ୍ରା ହ୍ରାସ ପାଉଥିଲା। କିନ୍ତୁ ଗତ ୧୦ ବର୍ଷରେ ଏହି ଧାରା ବଦଳିଯାଉଛି। ଏହି ସମୟ ମଧ୍ୟରେ ଦିଲ୍ଲୀ, କୋଲକାତା ଓ ମୁମ୍ବାଇରେ ମୌସୁମୀ ବେଳେ ତାପମାତ୍ରା ହାରାହାରି ୧ ପ୍ରତିଶତ ବୃଦ୍ଧି ପାଇଛି। ଏଭଳି ଅବସ୍ଥା ପାଇଁ ଜଳବାୟୁ ପରିବର୍ତ୍ତନକୁ ଦାୟୀ କରାଯାଉଛି। ପରିବେଶ ସୁରକ୍ଷା ପାଇଁ ଏବେ ଠାରୁ ସଚେତନ ନହେଲେ ଭବିଷ୍ୟତରେ ଆହୁରି ଭୟଙ୍କର ପରିସ୍ଥିତି ସୃଷ୍ଟି ହେବ ବୋଲି ବିଶେଷଜ୍ଞମାନେ ‌ସତର୍କ କରାଇଛନ୍ତି।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking