ଭୁବନେଶ୍ୱର : ଅସହ୍ୟ ତାତି, ପ୍ରବଳ ଗରମ । ତେଲ କଡେଇରେ ଭାଜି ହେଉଛନ୍ତି ସମଗ୍ର ରାଜ୍ୟବାସୀ । ତାତିରୁ ମିଳୁ ନାହିଁ ନିସ୍ତାର। ଶୁକ୍ରବାର ସାଢେ ୧୧ରେ ତାପମାତ୍ରା ଟପିଲା ୪୨ ଡିଗ୍ରୀ। ସାଢେ ୧୧ଟା ସୁଦ୍ଧା ଝାରସୁଗୁଡା ତାପମାତ୍ରା ୪୨.୨ ଡିଗ୍ରୀ ରେକର୍ଡ କରାଯାଇଛି। ସମ୍ବଲପୁର ୪୨, ହୀରାକୁଦ ୪୦.୪, ରାଉରକେଲା ୩୫, ଗୋପାଳପୁର ୩୪, ପୁରୀ ୩୩.୯, କେନ୍ଦୁଝର ୩୩.୪, ଭୁବନେଶ୍ୱର ୩୩.୫ ମାତ୍ର ଆର୍ଦ୍ରତା ୭୮ ପ୍ରତିଶତ ଥିବାରୁ ଅତ୍ୟଧିକ ଗୁଳୁଗୁଳି ଅନୁଭୂତ ହେଉଛି। ସୂଚନା ଯୋଗ୍ୟ ଯେ, ରାଜ୍ୟରେ ହିଟ୍ଓ୍ୱେଭ ନେଇ ୯ ଜିଲ୍ଲାପାଳଙ୍କୁ ସତର୍କ କରିଛନ୍ତି ଏସଆରସି । ହିଟ୍ଓ୍ୱେଭ ଆଡଭାଇଜରି କଡ଼ାକଡ଼ି ଜାରି ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏହି ୯ଜିଲ୍ଲା ହେଲା ଝାରସୁଗୁଡ଼ା, ବଲାଙ୍ଗୀର, ବରଗଡ଼, ସମ୍ବଲପୁର, ସୋନପୁର, ମାଲକାନଗିରି, ସୁନ୍ଦରଗଡ଼, ନୂଆପଡ଼ା, କନ୍ଧମାଳ । ପିକ୍ ଆଓ୍ୱାରରେ ଖରାରେ କାମ ନକରିବାକୁ ନିର୍ଦ୍ଦେଶ ଦିଆଯାଇଥିବାବେଳେ ପୂର୍ବାହ୍ନ ୧୧ରୁ ଅପରାହ୍ନ ୩ଟା ଯାଏ ବାହାର କାମ ବନ୍ଦ ରହିବ । ଖରାରେ କ’ଣ କରିବା ନ କରିବା ନେଇ ଲୋକଙ୍କୁ ସଚେତନ କରାଇବ ଜିଲ୍ଲା ପ୍ରଶାସନ । ନିର୍ଦ୍ଦେଶନାମା ନ ମାନିଲେ ଦୃଢ଼ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଗ୍ରୀଷ୍ମ ପ୍ରବାହ ପାଇଁ ସତର୍କ ରହିବାକୁ ଡାକ୍ତର ମଧ୍ୟ ପରାମର୍ଶ ଦେଇଛନ୍ତି ।