ବିଶାଖାପାଟନମ : ବିଶାଖାପାଟନମରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଆନକପଲ୍ଲେ ସ୍ଥିତ ଚୈତଣ୍ୟ କଲେଜ ଛାତରୁ ଜଣେ ଡିପ୍ଲୋମା ଛାତ୍ରୀ ତଳକୁ ଡେଇଁ ଆତ୍ମହତ୍ୟା କରିଛନ୍ତି । ଏହାପୂର୍ବରୁ ସେ ତାଙ୍କ ପିତାଙ୍କୁ ତଥା ପରିବାର ଲୋକଙ୍କୁ ଏକ ମେସେଜ ପଠାଇଥିଲେ । ଯେଉଁଥିରେ ସେ କିଛି ଛାତ୍ର ଓ ଶିକ୍ଷକଙ୍କ ବିରୋଧରେ ଯୌନ ନିର୍ଯାତନାର ଅଭିଯୋଗ କରିଛନ୍ତି । ଛାତ୍ରୀ ଜଣକ ମେସେଜ୍ରେ କହିଛନ୍ତି ଯେ କଲେଜର ତାଙ୍କ ସହ କିଛି ଛାତ୍ର ଓ ଶିକ୍ଷକ ଦୁଷ୍କର୍ମ କରିଛନ୍ତି । ଆଉ ସେହି ସମୟର ଫଟୋ ଭିଡିଓ ମଧ୍ୟ ରେକର୍ଡ କରିଛନ୍ତି । ପୋଲିସରେ ଅଭିଯୋଗ କଲେ, ସେମାନେ ସେସବୁକୁ ଭାଇରାଲ କରିଦେବେ ବୋଲି ମଧ୍ୟ ଧମକ ଦେଇଛନ୍ତି ।
ମେସେଜ୍ରେ ସେ ଆତ୍ମହତ୍ୟା କରିବାକୁ ଯାଉଥିବାରୁ ପିତା ଓ ଭଉଣୀଙ୍କୁ କ୍ଷମା ମାଗିଛନ୍ତି । ସେ ଲେଖିଛନ୍ତି, ‘ସରି ଦିଦି, ଆଇ ହାଭ୍ ଟୁ ଗୋ’ । ଅର୍ଥାତ୍ ‘ମୋତେ କ୍ଷମା କରିଦେବ ଦିଦି, ମୁଁ ଏବେ ଯାଉଛି’ । ସେ ଆହୁରି କହିଛନ୍ତି ଯେ ତାଙ୍କ ପାଖରେ ବଞ୍ଚିବାର ଆଉ ଅନ୍ୟ କୌଣସି ରାସ୍ତା ନାହିଁ । ଅନ୍ୟ କିଛି ଝିଅ ମଧ୍ୟ ତାଙ୍କୁ ହଇରାଣ କରୁଛନ୍ତି । ସେ ଏହା ମଧ୍ୟ କହିଛନ୍ତି ଯେ, ଚୈତଣ୍ୟ କଲେଜରେ କ’ଣ ସବୁ ଚାଲିଛି ତାହା ସେ ସମସ୍ତଙ୍କୁ ଜଣାଇବାକୁ ଚାହୁଁଛନ୍ତି ।