ବାଙ୍କୀ : କଟକ ଜିଲ୍ଲା ବାଙ୍କୀ ଥାନା ଅନ୍ତର୍ଗତ ଡମପଡ଼ା କାଜୁ ଜଙ୍ଗଲରୁ ବୁଧବାର ଏକ ନରକଙ୍କାଳ ଉଦ୍ଧାର କରାଯାଇଛି । ବାଙ୍କୀ ଅଗ୍ନିଶମ ବିଭାଗ ପଛପଟେ ରହିଥିବା କାଜୁ ଜଙ୍ଗଲରେ ଆଜି କିଛି ବ୍ୟକ୍ତି ଉକ୍ତ ନରକଙ୍କାଳକୁ ଦେଖିବା ପରେ ବାଙ୍କୀ ପୁଲିସକୁ ସୂଚନା ଦେଇଥିଲେ । ବାଙ୍କୀ ପୁଲିସ ଘଟଣାସ୍ଥଳରେ ପହଞ୍ଚି ନରକଙ୍କାଳ ଜବତ କରିବା ସହ ତାକୁ ଫୋରେନସିକ ଲାବୋରେଟୋରୀକୁ ପଠାଇଛି ।
ଉକ୍ତ ନରକଙ୍କାଳ ନିକଟରେ ଜଣେ ମହିଳାଙ୍କ ପିନ୍ଧାବସ୍ତ୍ର ସହ ପାଣି ବୋତଲ, ଟିଫିନ ବାକ୍ସ, ବ୍ୟାଗ ଓ ପରିଚୟପତ୍ର ଆଦି ପଡ଼ିଥିବା ଦେଖିବାକୁ ମିଳିଛି । ତେବେ ପ୍ରାୟ ଏକ ବର୍ଷ ତଳେ ଡମପଡ଼ା ଗ୍ରାମର ଜନୈକା ଯୁବତୀ ଝୁନୁ ଜେନା ମୁଣ୍ଡଳୀସ୍ଥିତ ଏକ ମସଲା କମ୍ପାନୀରୁ କାର୍ଯ୍ୟସାରି ଘରକୁ ସନ୍ଧ୍ୟାରେ ଫେରୁଥିବା ବେଳେ ଜାତମୁଣ୍ଡିଆ-ଡମପଡ଼ା ରାସ୍ତାର ଡଡ଼ପଡ଼ା ଅଗ୍ନିଶମ କାର୍ଯ୍ୟାଳୟ ନିକଟସ୍ଥ ଏକ ଛକରୁ ନିଖୋଜ ହୋଇଯାଇଥିବା ନେଇ ପରିବାରବର୍ଗ ବାଙ୍କୀ ପୁଲିସ ନିକଟରେ ଅଭିଯୋଗ କରିଥିଲେ ।
ବସ୍ରୁ ଓହ୍ଲାଇ ଘରକୁ ଫୋନ୍ କରୁଥିବା ବେଳେ ଝୁନାଙ୍କ ହଠାତ ଫୋନ୍ ବନ୍ଦ ହୋଇଯିବା ଏବଂ ତା’ ପରଠାରୁ ତାଙ୍କର ଫୋନ ସ୍ପିଚ ଅଫ୍ ଥିବା ଜଣାଯାଇଥିଲା । ବାଙ୍କୀ ପୁଲିସ ପକ୍ଷରୁ ବିଭିନ୍ନ ସ୍ଥାନ ଖୋଜାଖୋଜି କରିଥିଲେ ମଧ୍ୟ କୌଣସି ସୁରାକ ମିଳିନଥିଲା । ତେବେ ଆଜିର ଘଟଣା ସମ୍ପର୍କରେ ଝୁନାଙ୍କ ପରିବାରବର୍ଗଙ୍କୁ ସୂଚନା ଦେବାପରେ ନିକଟରୁ ମିଳିଥିବା ବିଭିନ୍ନ ସାମଗ୍ରୀକୁ ପରିବାରବର୍ଗ ଚିହ୍ନଟ କରିବା ସହ ମିଳିଥିବା କଙ୍କାଳ ଝୁନାଙ୍କର ହୋଇଥିବା ନେଇ ସନ୍ଦେହ କରିଥିଲେ । ତେବେ ଉକ୍ତ କଙ୍କାଳକୁ ଚିହ୍ନଟ କରିବାକୁ ଫୋରେନସିକ୍ ଲାବୋରେଟୋରୀକୁ ପଠାଯାଇଥିବା ବାଙ୍କୀ ଥାନାଧିକାରୀ ଶିବଚରଣ ବେହେରା ସୂଚନା ଦେଇଛନ୍ତି ।