କଟକ: ପାରାଦୀପ ସମୁଦ୍ର ଉପକୂଳରେ ବ୍ଲାକରୋଜ ଜାହାଜ ବୁଡ଼ି ଘଟଣା ମାମଲାରେ ସିବିଆଇ ହାଇକୋର୍ଟରେ ସତ୍ୟପାଠ ଦାଖଲ କରିଛି । ମାମଲାର ତଦନ୍ତ ଲାଗି ରାଜ୍ୟ ସରକାରଙ୍କୁ ଦୁଇ ଥର ଅନୁମତି ପାଇଁ ଅନୁରୋଧ କରାଯାଇଥିଲେ ବି ସରକାର ଅନୁମତି ଦେଇନାହାନ୍ତି ବୋଲି ସିବିଆଇ ପକ୍ଷରୁ ପ୍ରଦତ୍ତ ସତ୍ୟପାଠରେ ଦର୍ଶାଇଛି । ହାଇକୋର୍ଟର ମୁଖ୍ୟ ବିଚାରପତି ଚକ୍ରଧାରୀ ଶରଣ ସିଂହ ଓ ବିଚାରପତି ଏମ୍.ଏସ୍. ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି କରି ଆଗାମୀ ଦୁଇ ସପ୍ତାହ ପରେ ପରବର୍ତ୍ତୀ ଶୁଣାଣି ପାଇଁ ସମୟ ଧାର୍ଯ୍ୟ କରିଛନ୍ତି । ସୂଚନାଯୋଗ୍ୟ ୨୦୦୯ ସେପ୍େଟମ୍ବର ୯ ତାରିଖରେ ପାରାଦୀପ ବନ୍ଦର ଠାରୁ ୫ କିଲୋମିଟର ଦୂରରେ ଭାରସାମ୍ୟ ହରାଇ ଜାହାଜ ବ୍ଲାକରୋଜ ବୁଡ଼ିଯାଇଥିଲା ।
ଏହି ଜାହାଜରେ ୨୩,୫୦୦ ମେଟ୍ରିକ ଟନ୍ ଲୁହାପଥର ଥିଲା ବେଳେ ଏହି ଦୁର୍ଘଟଣାରେ ଜାହାଜର ଜଣେ ଯନ୍ତ୍ରୀଙ୍କ ମୃତ୍ୟୁ ହୋଇଥିଲା । ଦୀର୍ଘ ଦିନ ଧରି ଜାହାଜଟି ସମୁଦ୍ରରେ ପଡ଼ି ରହିବାରୁ ସମୁଦ୍ରରେ ଜାହାଜର ତେଲ ଭାସିଥିଲା,ସମୁଦ୍ର ଜଳ ଦୂଷିତ ହେବାସହ ଅନେକ ସାମୁଦ୍ରିକ ଜୀବମାନଙ୍କ ମୃତ୍ୟୁର କାରଣ ହୋଇଥିଲା । ଜାହାଜକୁ କୂଳକୁ ଆଣିବା ପାଇଁ କୌଣସି ବ୍ୟବସ୍ଥା ନ କରାଯିବାରୁ ଏଯାବତ୍ ଜାହାଜଟି ପାଣିରେ ବୁଡ଼ି ରହିଛି । ସିବିଆଇ ପକ୍ଷରୁ ହାଇକୋର୍ଟରେ ଦାଖଲ ହୋଇଥିବା ସତ୍ୟପାଠରେ କୁହାଯାଇଛି, ବ୍ଲାକରୋଜ ସୋମାଲିଆର ଜାହାଜ ହୋଇଯାଇଥିବା ବେଳେ ଭାରତୀୟ ସମୁଦ୍ର ସୀମାରେ ବୁଡ଼ି ଯାଇଥିଲା ।
ଦେଶର ସୁରକ୍ଷାକୁ ଦୃଷ୍ଟିରେ ରଖି ଉକ୍ତ ଜାହାଜ ସମ୍ପର୍କରେ ବିସ୍ତୃତ ତଥ୍ୟ ସଂଗ୍ରହ କରିବାକୁ ୨୦୧୮ ମସିହାରେ ଏହି ଘଟଣାର ସିବିଆଇ ତଦନ୍ତ କରିବାକୁ ନିଷ୍ପତ୍ତି ନେଇଥିଲା ଜାହାଜ ମନ୍ତ୍ରାଳୟ । ଏନେଇ ପାରାଦୀପ ପୋର୍ଟ ଟ୍ରଷ୍ଟ ପକ୍ଷରୁ ହାଇକୋର୍ଟଙ୍କୁ ଅବଗତ କରାଯାଇଥିଲା । ତେବେ ୨୦୧୯ ମସିହା ନଭେମ୍ବରରେ ସିବିଆଇ ପକ୍ଷରୁ ରାଜ୍ୟ ସରକାରଙ୍କୁ ଚିଠି ଲେଖାଯାଇ ଥିଲା । କିଛି ମାସ ପରେ ପୁନର୍ବାର ଏକ ଚିଠି ଦିଆଯାଇଥିଲା । ମାତ୍ର ରାଜ୍ୟ ସରକାରଙ୍କ ପକ୍ଷରୁ ଏନେଇ କୌଣସି ଅନୁମତି ଦିଆଯାଇ ନ ଥିଲା । ଅନ୍ୟ ଦେଶର ଜାହାଜ ଓଡ଼ିଶା ସୀମା ସମୁଦ୍ରରେ ବୁଡ଼ି ଯାଇଥିବା ବେଳେ ତା’ ସମ୍ପର୍କରେ ଅଧିକ ଖୋଳତାଡ଼ କରିବାକୁ ରାଜ୍ୟ ସରକାର ତତ୍ପରତା ପ୍ରକାଶ କରି ନ ଥିଲେ । ଫଳରେ ରାଜ୍ୟ ସରକାର ଅନୁମତି ନ ଦେବାରୁ ସିବିଆଇ ତଦନ୍ତ ଆରମ୍ଭ ହୋଇ ପାରିନି ବୋଲି ସତ୍ୟପାଠରେ ଦର୍ଶାଯାଇଛି ।