କୋଲ୍କାତା : ପୂର୍ବତନ କ୍ରିକେଟର୍ ଶ୍ରୀବତ୍ସ ଗୋସ୍ୱାମୀ ବେଙ୍ଗଲ୍ କ୍ରିକେଟ୍ ସଂଘ (ସିଏବି)ର ଫାର୍ଷ୍ଟ ଡିଭିଜନ୍ ଲିଗ୍ର ମ୍ୟାଚ୍ରେ ଫିକ୍ସିଂ ଅଭିଯୋଗ ଆଣିଛନ୍ତି । ଏହାପରେ ସିଏବି ସଭାପତି ସ୍ନେହଶିଷ ଗାଙ୍ଗୁଲି ଟୁର୍ଣ୍ଣାମେଣ୍ଟ୍ କମିଟିକୁ ରିପୋର୍ଟ ମାଗିଛନ୍ତି । ଗୋସ୍ୱାମୀ ସୋସିଆଲ୍ ମିଡିଆରେ ଦୁଇଟି ଭିଡିଓ ଶେୟାର୍ କରି ଟାଉନ୍ କ୍ଲବ୍ ବିପକ୍ଷରେ ମହମ୍ମଡାନ୍ ସ୍ପୋର୍ଟିଂ କ୍ଲବ୍ର ବ୍ୟାଟର୍ଙ୍କ ଆଉଟ୍ ହେବା ଢଙ୍ଗ ଉପରେ ପ୍ରଶ୍ନ ଉଠାଇଛି । ଗୋସ୍ୱାମୀ ତାଙ୍କ ପୋଷ୍ଟରେ ଲେଖିଛନ୍ତି କୋଲ୍କାତା କ୍ଲବ୍ କ୍ରିକେଟ୍ର ଏକ ସୁପର୍ ଡିଭିଜନ୍ ମ୍ୟାଚ୍ରେ ଦୁଇଟି ବଡ଼ ଟିମ୍ ଏପରି କରୁଛନ୍ତି । ଏହା ଦେଖି ମୋତେ ଲଜ୍ଜା ଲାଗୁଛି । କ୍ଲବ୍ କ୍ରିକେଟ୍ ବେଙ୍ଗଲ୍ କ୍ରିକେଟ୍ର ହୃଦୟ ଓ ଆତ୍ମା, ଏହାକୁ ବରବାଦ କରନ୍ତୁ ନାହିଁ । ଗୋସ୍ୱାମୀ ଶେୟାର୍ କରିଥିବା ପ୍ରଥମ ଭିଡିଓରେ ଜଣେ ଡାହାଣହାତୀ ବ୍ୟାଟର୍ ବଲ୍କୁ ଷ୍ଟମ୍ପ୍ ଆଡ଼କୁ ଆସିବାକୁ ଛାଡ଼ିଦେବା ସହ ବୋଲ୍ଡ ହୋଇ ଫେରୁଛନ୍ତି । ଦ୍ୱିତୀୟ ଭିଡିଓରେ ବାମହାତୀ ବ୍ୟାଟର୍ ୱାଇଡ୍ ବଲ୍କୁ କ୍ରିଜ୍ରୁ ବାହାରକୁ ଆସି ଖେଳୁଛନ୍ତି । ଏହି ଅବସରରେ ୱିକେଟ୍କିପର୍ ତାଙ୍କୁ ଷ୍ଟମ୍ପ୍ଆଉଟ୍ କରୁଛନ୍ତି । ଏହି ମ୍ୟାଚ୍ରେ ଟାଉନ୍ କ୍ଲବ୍ ହବିବ ଗାନ୍ଧୀଙ୍କ ୨୩୩ ରନ୍ ସହାୟତାରେ ୪୪୬ ରନ୍ କରିଥିଲା । ଜବାବରେ ମହମ୍ମଡାନ୍ ସ୍ପୋର୍ଟିଂ କ୍ଲବ୍ ୯ ୱିକେଟ୍ରେ ମାତ୍ର ୨୮୧ ରନ୍ କରିବାକୁ ସମର୍ଥ ହୋଇଥିଲା । ବେଙ୍ଗଲ୍ କ୍ରିକେଟ୍ ସଂଘ ସଭାପତି ମାମଲାକୁ ଗମ୍ଭୀରତାର ସହ ନେଇ ମାର୍ଚ୍ଚ ୨ ତାରିଖରେ ଟୁର୍ଣ୍ଣାମେଣ୍ଟ୍ କମିଟିର ବୈଠକ ଡାକିଛନ୍ତି । ଗାଙ୍ଗୁଲି କହିଛନ୍ତି, କମିଟିର ବୈଠକ ଡକାଯାଇଛି ଏବଂ ଫିଲ୍ଡ ଅମ୍ପାୟାର୍ଙ୍କ ଠାରୁ ରିପୋର୍ଟ ମଧ୍ୟ ମଗାଯାଇଛି ।