22.1 C
Bhubaneswar
Friday, November 29, 2024
Homeଦେଶ ବିଦେଶୟୁପିରେ ଏସ୍‌ପି-କଂଗ୍ରେସ ଆସନ ବୁଝାମଣା ଚୂଡାନ୍ତ; କଂଗ୍ରେସକୁ ୧୭ ଆସନ ଛାଡିବାକୁ ଅଖିଳେଶ ରାଜି

ୟୁପିରେ ଏସ୍‌ପି-କଂଗ୍ରେସ ଆସନ ବୁଝାମଣା ଚୂଡାନ୍ତ; କଂଗ୍ରେସକୁ ୧୭ ଆସନ ଛାଡିବାକୁ ଅଖିଳେଶ ରାଜି

ଲକ୍ଷ୍ନୌ : ଲୋକସଭା ନିର୍ବାଚନ ପୂର୍ବରୁ ଇଣ୍ଡିଆ ମେଣ୍ଟ ପକ୍ଷରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି । ଦୀର୍ଘ ଦିନ ଧରି ସମାଜବାଦୀ ପାର୍ଟି (ଏସ୍‌ପି) ଏବଂ କଂଗ୍ରେସ ମଧ୍ୟରେ ଚାଲିଆସୁଥିବା ଆସନ ବୁଝାମଣା ଆଜି ଚୂଡାନ୍ତ ହୋଇଯାଇଛି । କଂଗ୍ରେସର ଅନ୍ତିମ ପ୍ରସ୍ତାବକୁ ଅଖିଳେଶ ଯାଦବଙ୍କ ସମାଜବାଦୀ ପାର୍ଟି ପକ୍ଷରୁ ଗ୍ରହଣ କରାଯିବା ଫଳରେ ଆସନ ବୁଝାମଣା ଚୂଡାନ୍ତ ରୂପ ନେଇଥିଲା ଏବଂ ଉଭୟ ଦଳ ଏବେ ଇଣ୍ଡିଆ ମେଣ୍ଟ ଅଧୀନରେ ନିଜ ନିଜ ପ୍ରାର୍ଥୀଙ୍କୁ ମୈଦାନକୁ ଓହ୍ଲାଇବେ । ୨୦୨୩ ଜୁନ୍‌ରେ ବିଜେପି ବିରୋଧରେ ଗଠନ ହୋଇଥିବା ପ୍ରାୟ ୨୭ରୁ ଊର୍ଦ୍ଧ୍ୱ ବିରୋଧୀ ଦଳଙ୍କ ମଞ୍ଚ ‘ଇଣ୍ଡିଆ ମେଣ୍ଟ’ ପାଇଁ ଏହା ପ୍ରଥମ ସଫଳତା ବୋଲି କୁହାଯାଉଛି । ରିପୋର୍ଟ ଅନୁସାରେ ଉଭୟ କଂଗ୍ରେସ ଏବଂ ଏସ୍‌ପି ମଧ୍ୟରେ ହୋଇଥିବା ଆସନ ଭାଗବଣ୍ଟା ନିୟମ ଅନୁସାରେ ଉତ୍ତରପ୍ରଦେଶର ମୋଟ୍  ୮୦ ଲୋକସଭା ଆସନ ମଧ୍ୟରୁ କଂଗ୍ରେସ ୧୭ଟି ଆସନରେ ପ୍ରାର୍ଥୀ ଦେବ । ଏହି ୧୭ ଆସନ ମଧ୍ୟରେ କାନପୁର ନଗର, ଫତେପୁର ସିକରି, ବାସଗାଓଁ, ସାହରନ୍‌ପୁର, ପ୍ରୟାଗରାଜ, ମହରାଜଗଞ୍ଜ, ଆମରୋହା, ଝାଞ୍ଝୀ, ବୁଲନ୍ଦସହର, ଗାଜିଆବାଦ୍‌, ମଥୁରା, ସୀତାପୁର, ବାରାବାଙ୍କି ଏବଂ ଦେଓରିଆ ଆଦି ଲୋକସଭା ଆସନ ସାମିଲ ଅଛି ।

ତେବେ କଂଗ୍ରେସର ଗଡ଼ କୁହାଯାଉଥିବା ଆମେଥି ଏବଂ ରାୟବରେଲୀ ଆସନକୁ ମଧ୍ୟ କଂଗ୍ରେସ ନିଜ ପାଖରେ ରଖିଛି । ଏସବୁ ଆସନ ବ୍ୟତୀତ କଂଗ୍ରେସ ବାରାଣାସୀ ଲୋକସଭା ଆସନରେ ମଧ୍ୟ ନିଜ ପ୍ରାର୍ଥୀ ଦେବ ବୋଲି ଅଖିଳେଶଙ୍କ ସହ ଚୂଡାନ୍ତ ହୋଇଛି । ତେବେ ବାକି ୬୩ ଆସନରେ ସମାଜବାଦୀ ପାର୍ଟି ନିଜ ପ୍ରାର୍ଥୀଙ୍କୁ ଟିକଟ ଦେବ । ତେବେ ଯେଉଁ ଛୋଟ ଦଳ ଏମାନଙ୍କ ସହ ଯୋଡିହେବାକୁ ଚାହିଁବେ ସେମାନଙ୍କୁ ନିଜ କୋଟାରୁ ଆସନ ଦେବ ସମାଜବାଦୀ ପାର୍ଟି । କଂଗ୍ରେସ ଏହି ବୁୂଝାମଣା ପ୍ରସ୍ତାବରେ ରାଜି ହେବା ପରେ ଅଖିଳେଶ ଏହାକୁ ସ୍ୱୀକୃତି ଦେଇଥିଲେ । ତେବେ କଂଗ୍ରେସ ଏବଂ ସମାଜବାଦୀ ପାର୍ଟି ମଧ୍ୟରେ ଆସନ ବୁଝାମଣା ସମ୍ଭବ ହେବା ପଛରେ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀଙ୍କ ବଡ଼ ଭୂମିକା ରହିଥିବା ଜଣାପଡିଛି । ଉଭୟ ସୋନିଆ ଏବଂ ପ୍ରିୟଙ୍କା ମଧ୍ୟସ୍ଥତା କରିବା ଦ୍ୱାରା ଏସ୍‌ପି, ୧୭ ଆସନ କଂଗ୍ରେସ ପାଇଁ ଛାଡିବାକୁ ରାଜି ହୋଇଥିଲା ବୋଲି କୁହାଯାଉଛି ।

ସେହିପରି ଉଭୟ ଅଖିଳେଶ ଏବଂ ରାହୁଲ ଗାନ୍ଧୀ ପରସ୍ପର ସହ ଫୋନ୍‌ଯୋଗେ କଥା ମଧ୍ୟ ହୋଇଛନ୍ତି । ଏଥିସହ ଅଖିଳେଶ ଏବଂ ତାଙ୍କ ଦଳୀୟ ନେତାମାନେ ମଧ୍ୟ ଉତ୍ତରପ୍ରଦେଶରେ ଜାରି ରହିଥିବା କଂଗ୍ରେସର ଭାରତ ଯୋଡୋ ନ୍ୟାୟ ଯାତ୍ରାରେ ସାମିଲ ହେବା ସ୍ଥିରିକୃତ ହୋଇଛି । ନିଜେ ଅଖିଳେଶ ଆଜି ଏସମ୍ପର୍କରେ ମୁରାଦାବାଦ୍‌ରେ ଆୟୋଜିତ ଏକ ଜନସମାବେଶକୁ ସମ୍ବୋଧିତ କରିବା ଅବସରରେ ସୂଚନା ଦେଇଛନ୍ତି । ସୂଚନାଯୋଗ୍ୟ, ପୂର୍ବରୁ କଂଗ୍ରେସ ଏଠାରେ ଅଧିକ ଆସନରେ ପ୍ରାର୍ଥୀ ଦେବାକୁ ପ୍ରସ୍ତାବ ଦେଇଥିବା ବେଳେ ଅଖିଳେଶ କଂଗ୍ରେସ ପାଇଁ ମାତ୍ର ୧୩ଟି ଆସନ ଛାଡିବାକୁ ରାଜି ହୋଇଥିଲେ । ଏହାକୁ ନେଇ ଏସ୍‌ପି-କଂଗ୍ରେସ ମଧ୍ୟରେ ଆସନ ଭାଗବଣ୍ଟାଜନିତ ବିବାଦ ଦେଖାଦେଇଥିଲା । ଏପରିକି ଅଖିଳେଶ ଉତ୍ତରପ୍ରଦେଶରେ ଏକାକୀ ଲଢ଼ିବା ନେଇ ମଧ୍ୟ ଘୋଷଣା କରିପାରନ୍ତି ବୋଲି ଅନୁମାନ କରାଯାଉଥିଲା । କିନ୍ତୁ ଆଜି ହୋଇଥିବା ଚୂଡାନ୍ତ ଫର୍ମୁଲା ଅନୁସାରେ ଅଖିଳେଶ କଂଗ୍ରେସକୁ ୧୭ଟି ଆସନ ଛାଡିବାକୁ ରାଜି ହୋଇଛନ୍ତି । ଏଥିସହ ଦୀର୍ଘ ୭ବର୍ଷ ପରେ ପୁଣିଥରେ ଏସ୍‌ପି-କଂଗ୍ରେସ ମିଳିତ ଭାବେ ନିର୍ବାଚନ ଲଢ଼ିବା ନିଶ୍ଚିତ ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking