ନୂଆଦିଲ୍ଲୀ୍: ଭାରତୀୟ ମହିଳା ଟିମ୍ ବ୍ୟାଡ୍ମିଣ୍ଟନ୍ ଏସିଆ ଟିମ୍ ଚାମ୍ପିଅନ୍ଶିପ୍ର ଫାଇନାଲ୍ରେ ପ୍ରବେଶ କରିଛି । ଟୁର୍ଣ୍ଣାମେଣ୍ଟ୍ର ଟାଇଟଲ୍ ମୁକାବିଲାରେ ପ୍ରଥମ ଥର ସ୍ଥାନ ହାସଲ କରିଥିବା ଭାରତ ଆସନ୍ତାକାଲି ଥାଇଲାଣ୍ଡ୍କୁ ଭେଟିବ । ମାଲେସିଆର ଶାହ ଆଲମ୍ରେ ଚାଲିଥିବା ଚାମ୍ପିଅନ୍ଶିପ୍ର ସେମିଫାଇନାଲ୍ରେ ଭାରତ ଶନିବାର ଦୁଇଥରର ଚାମ୍ପିଅନ୍ ଜାପାନକୁ ୩-୨ରେ ହରାଇଛି । ଅନ୍ୟ ସେମିଫାଇନାଲ୍ରେ ଥାଇଲାଣ୍ଡ୍ ୩-୧ରେ ଇଣ୍ଡୋନେସିଆକୁ ମାତ୍ ଦେଇଛି ।
ଶନିବାର ଖେଳାଯାଇଥିବା ଜାପାନ ବିପକ୍ଷ ସେମିଫାଇନାଲ୍ର ପ୍ରଥମ ସିଙ୍ଗଲ୍ସ ମ୍ୟାଚ୍ରେ ଷ୍ଟାର୍ ଶଟଲର୍ ପିଭି ସିନ୍ଧୁ ୧୭-୨୧, ୨୦-୨୨ରେ ଆୟା ଅହୋରିଙ୍କ ଠାରୁ ପରାଜିତ ହୋଇଥିଲେ । ତେବେ ଏହାପରେ ତ୍ରିଶା ଜୋଲି ଓ ଗାୟତ୍ରୀ ଗୋପିଚାନ୍ଦଙ୍କ ବିଶ୍ୱ ନଂ.୨୩ ଯୋଡ଼ି ଡବଲ୍ସ ମ୍ୟାଚ୍ରେ ନାମି ମାତ୍ସୁୟାମା ଓ ଶାଇଦାଙ୍କୁ ୨୧-୧୭, ୧୬-୨୧, ୨୨-୨୦ରେ ହରାଇ ସ୍କୋର୍ ୧-୧ ସମାନ ସ୍ତରକୁ ଆଣିଥିଲେ । ଯୁବ ଶଟ୍ଲର୍ ଅସ୍ମିତା ଚଲିହା ୨୧-୭, ୨୧-୧୪ରେ ନାଓମି ଓକୁହାରାଙ୍କୁ ହରାଇ ଭାରତକୁ ୨-୧ରେ ଆଗୁଆ କରିଥିଲେ ।
ତେବେ ଅଶ୍ୱିନୀ ପୋନପ୍ପା ଓ ପିଭି ସିନ୍ଧୁଙ୍କ ଯୋଡ଼ି ରେନା ମିୟାଉରା ଓ ଅୟାକୋ ସାକୁରାମୋତୋଙ୍କ ଠାରୁ ୧୪-୨୧, ୧୧-୨୧ରେ ପରାଜିତ ହେବାପରେ ସ୍ଥିତି ୨-୨ରେ ସମାନ ହୋଇଥିଲା । ନିର୍ଣ୍ଣାୟକ ମ୍ୟାଚ୍ରେ ୧୭ ବର୍ଷୀୟା ଅନମୋଲ୍ ଖରବ ୨୧-୧୪, ୨୧-୧୮ରେ ନାତ୍ସୁକି ନିଦାଇରାଙ୍କୁ ମାତ୍ ଦେଇ ଭାରତକୁ ୩-୨ରେ ବିଜୟୀ କରାଇଥିଲେ । ଏହା ପୂର୍ବରୁ ଭାରତୀୟ ମହିଳା ଟିମ୍ କ୍ୱାର୍ଟର୍ ଫାଇନାଲ୍ରେ ଶୁକ୍ରବାର ହଂକଂକୁ ୩-୦ରେ ହରାଇ ପ୍ରଥମ ଥର ପାଇଁ ସେମିଫାଇନାଲ୍ରେ ପ୍ରବେଶ କରିଥିଲା । ଏହା ସହିତ ଟିମ୍ ଟୁର୍ଣ୍ଣାମେଣ୍ଟ୍ରେ ପ୍ରଥମ ଥର ପଦକ ମଧ୍ୟ ପକ୍କା କରିଥିଲା ।