28.1 C
Bhubaneswar
Friday, September 20, 2024
Homeଦେଶ ବିଦେଶଜେଲ୍‌ରେ ଆଲେକି୍ସ ନେଭଲନିଙ୍କ ସନ୍ଦେହଜନକ ମୃତ୍ୟୁ

ଜେଲ୍‌ରେ ଆଲେକି୍ସ ନେଭଲନିଙ୍କ ସନ୍ଦେହଜନକ ମୃତ୍ୟୁ

ମସ୍କୋ : ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ୍‌ଙ୍କ ଆଉ ଏକ କଟ୍ଟର ବିରୋଧୀ ନେତା ଆଲେକ୍ସି ନେଭ୍‌ଲନିଙ୍କ ସନ୍ଦେହଜନକ ମୃତ୍ୟୁଗତ ସମ୍ବାଦ ସାମ୍ନାକୁ ଆସିଛି । ଶୁକ୍ରବାର ଏସମ୍ପର୍କରେ ରୁଷ୍ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ କ୍ରେମଲିନ୍ ପକ୍ଷରୁ ଏବଂ ୟାମାଲୋ-ନେନେଟସ୍ ଅଞ୍ଚଳର କାରାଗାର ସେବା ପକ୍ଷରୁ ଏସମ୍ପର୍କରେ ସୂଚନା ଦିଆଯାଇଛି । ରିପୋର୍ଟ ଅନୁସାରେ ସବୁ ଦିନ ପରି ଶୁକ୍ରବାର ସକାଳ ସମୟରେ ମଧ୍ୟ ନେଭଲନି, ଜେଲ୍ ପରିସର ମଧ୍ୟରେ ପ୍ରାତଃଭ୍ରମଣ କରି ଫେରିବା ପରେ ହଠାତ୍ ଅସୁସ୍ଥ ହୋଇପଡିଥିଲେ ଏବଂ ଚେତା ହରାଇ ତଳେ ପଡିଯାଇଥିଲେ ।

ପରେ ଜେଲ୍ କର୍ତ୍ତୃପକ୍ଷ ଡାକ୍ତରଙ୍କ ଦ୍ୱାରା ତାଙ୍କ ପରୀକ୍ଷା କରାଇଥିଲେ ମଧ୍ୟ ତାଙ୍କୁ ବଞ୍ଚାଇବା ସମ୍ଭବ ହୋଇପାରିନଥିଲା । ତେବେ କେଉଁ କାରଣରୁ ନେଭଲନିଙ୍କ ଏପ୍ରକାର ଅସ୍ୱାଭାବିକ ମୃତ୍ୟୁ ହୋଇଛି ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ । ଅନ୍ୟପକ୍ଷେ ପୁତିନ୍‌, ନିଜ ଅଧିକାରୀମାନଙ୍କୁ ନେଭଲନିଙ୍କ ମୃତ୍ୟୁର କାରଣ ଜାଣିବା ପାଇଁ ତଦନ୍ତ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ରୁଷିଆର ଅନୁସନ୍ଧାନ କମିଟି ମଧ୍ୟ ଏହି ଘଟଣାର ତଦନ୍ତ ପ୍ରକ୍ରିୟା ଆରମ୍ଭ କରିଛି । ତେବେ ରୁଷୀୟ ସମ୍ବାଦପତ୍ରର ସମ୍ପାଦକ ତଥା ନୋବେଲ ଶାନ୍ତି ପୁରସ୍କାର ବିଜେତା ଦିମିତ୍ରୀ ମୁରାଟୋଭ୍ କହିଛନ୍ତି, ଆଲେକ୍ସି ନେଭଲିନ୍‌ଙ୍କ ଏପ୍ରକାର ଅସ୍ୱାଭାବିକ ମୃତ୍ୟୁ ପଛରେ ଉଦ୍ଦେଶ୍ୟମୂଳକ ହତ୍ୟାକାଣ୍ଡ ରହିଥିବା ସେ ଅନୁମାନ କରୁଛନ୍ତି ।

ପ୍ରକାଶ ପୁତିନ୍‌ଙ୍କ ବିରୋଧୀ ତଥା ତୀବ୍ର ସମାଲୋଚକ ଭାବେ ଜଣାଶୁଣା ଆଲେକ୍ସି ନଭଲନିଙ୍କୁ ୨୦୨୧ ଅଗଷ୍ଟରେ ରୁଷ୍‌ର ଏକ କୋର୍ଟ ୧୯ ବର୍ଷ ଜେଲଦଣ୍ଡରେ ଦଣ୍ଡିତ କରିଥିଲେ । ତାଙ୍କୁ ରୁଷ୍‌ର ସବୁଠୁ ବିପଦଜନକ ଜେଲ୍ ପୋଲର ଉଲ୍‌ଫ୍‌ରେ ଥିବା ଆର୍କଟିକ୍ ଜେଲ୍‌ରେ କଏଦୀ ଭାବେ ରଖାଯାଇଥିଲା । ଏଠାରେ ସାଧାରଣତଃ ତାପମାତ୍ରା -୨୮ଡିଗ୍ରୀ ସେଲସିୟସ ରହିଥାଏ, ଯାହାକି କଏଦୀଙ୍କ ପାଇଁ ବଡ କଷ୍ଟକର । ତେବେ ନଭଲିନ୍‌ଙ୍କ ମୃତ୍ୟୁ ଏପରି ସମୟରେ ହୋଇଛି ଯେତେବେଳେ କି ରୁଷ୍‌ରେ ରାଷ୍ଟ୍ରପତି ନିର୍ବାଚନକୁ ଆଉ ମାତ୍ର ୧ ମାସ ବାକି ରହିଛି । ରୁଷ୍‌ରେ ୧୫ରୁ ୧୭ ମାର୍ଚ୍ଚ ମଧ୍ୟରେ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହେବ । ଏହି କାରଣରୁ ମଧ୍ୟ ନେଭଲିନ୍‌ଙ୍କ ଏପ୍ରକାର ମୃତ୍ୟୁକୁ ନେଇ ସନ୍ଦେହ ବଢ଼ିବାରେ ଲାଗିଛି । ସୂଚନାଯୋଗ୍ୟ, ୧୯୭୬ ଜୁନ୍‌ରେ ଜନ୍ମିତ ଆଲେକ୍ସି ନେଭ୍‌ଲନି, ୨୦୧୧-୧୨ ବେଳକୁ ରୁଷ୍ ସରକାରଙ୍କ ବିରୋଧୀ ନେତା ଭାବେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ ।

ଆଲୋଚକମାନେ ତାଙ୍କୁ ରାଷ୍ଟ୍ରବାଦୀ ନେତା ଭାବେ ଅଭିହିତ କରୁଥିଲେ । ୨୦୧୭ରୁ ୨୦୨୪ ମଧ୍ୟରେ ପୁତିନ୍‌ଙ୍କ ବିରୋଧରେ ବିକ୍ଷୋଭ, ଆନ୍ଦୋଳନ ଆୟୋଜନ କରିବା ଅଭିଯୋଗରେ ଅନେକ ଥର ସେ ଜେଲ୍ ଯାଇଥିଲେ । ଜେଲ୍‌ରେ ରହିବା ସମୟରେ ତାଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଥିଲା ଯେଉଁଥିରେ ତାଙ୍କ ଦୃଷ୍ଟିଶକ୍ତି ପ୍ରଭାବିତ ହୋଇଥିଲା । ଜେଲ୍‌ରେ ରହିବା ସମୟ ମଧ୍ୟରେ ତାଙ୍କୁ ୨ ଦୁଇ ଥର ବିଷ ଦେଇ ହତ୍ୟା କରିବାର ଷଡଯନ୍ତ୍ର ହୋଇଥିବା ନେଇ ଚର୍ଚ୍ଚା ଜୋର ଧରିଥିଲା । ତେବେ ୨୦୨୦ରେ ତାଙ୍କୁ ବିଷ ଦିଆଯାଇଥିବା ସନ୍ଦେହରେ ଜର୍ମାନୀର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଜାନୁଆରୀ ୨୦୨୧ରେ ସେ ପୁନର୍ବାର ରୁଷ୍ ପ୍ରତ୍ୟାବର୍ତ୍ତନ କରିବା ପରେ ତାଙ୍କୁ ଜେଲ୍ ପଠାଇ ଦିଆଯାଇଥିଲା । ସେବେଠାରୁ ସେ ଜେଲ୍‌ରେ କଏଦୀ ଭାବେ ରହିଆସୁଥିଲେ । ପ୍ରକାଶ, ନେଭଲନି, ୟୁକ୍ରେନ୍ ଉପରେ ରୁଷ୍‌ର ଆକ୍ରମଣକୁ ତୀବ୍ର ନିନ୍ଦା କରିଆସୁଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking