ନୂଆଦିଲ୍ଲୀ: ପଶ୍ଚିମବଙ୍ଗର ସନ୍ଦେଶଖାଲି ଘଟଣାକୁ ନେଇ ଜାତୀୟ ଅନୁସୂଚୀତ ଜାତି ଆୟୋଗ (ଏନ୍ସିଏସ୍ସି) ପକ୍ଷରୁ ତୀବ୍ର ଅସନ୍ତୋଷ ଜାହିର କରାଯାଇଛି । ଏଥିସହ ସନ୍ଦେଶଖାଲି ଘଟଣାକୁ ନିୟନ୍ତ୍ରଣ କରିବାରେ ଏବଂ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ରାଜ୍ୟ ସରକାର ବିଫଳ ହୋଇଥିବା ଦର୍ଶାଇ ଏନ୍ସିିଏସ୍ସି ପଶ୍ଚିମବଙ୍ଗରେ ରାଷ୍ଟ୍ରପତି ଶାସନ ଲାଗୁ କରିବାକୁ ସୁପାରିଶ ମଧ୍ୟ କରିଥିବା ଜଣାପଡିଛି ।
ରିପୋର୍ଟ ଅନୁସାରେ ଶାସକ ଦଳ ତୃଣମୂଳ କଂଗ୍ରେସ (ଟିଏମ୍ସି)ର ୨ ନେତା ଉତ୍ତମ ସର୍ଦ୍ଦାର ଏବଂ ଶିବପ୍ରସାଦ ହାଜରା ନିଜ ସମର୍ଥକଙ୍କ ଦ୍ୱାରା ସନ୍ଦେଶଖାଲି ଅଞ୍ଚଳରେ ବସବାସ କରୁଥିବା ଅନୁସୂଚୀତ ଜାତି ବର୍ଗର ମହିଳାଙ୍କୁ ଜଘନ୍ୟ ପାଶବିକ ତଥା ଶାରୀରିକ ନିର୍ଯାତନା ଦେବା ଘଟଣା ସାମ୍ନାକୁ ଆସିବା ପରେ ଏହାକୁ ନେଇ ଦେଶବ୍ୟାପୀ ଆଲୋଡନ ସୃଷ୍ଟି ହୋଇଛି । ଏମାନେ ଏହି ଅଞ୍ଚଳରେ ବେଆଇନ୍ ଭାବେ ଜମି ଅକ୍ତିଆର କରିବାକୁ ଚେଷ୍ଟା କରୁଥିବା ବେଳେ ସ୍ଥାନୀୟ ଅଧିବାସୀ କିନ୍ତୁ ଏହାକୁ ବିରୋଧ କରିଆସୁଛନ୍ତି । ଏହି କାରଣରୁ ସେମାନଙ୍କ ଉପରେ ଅତ୍ୟାଚାର କରାଯାଉଛି । ପୁରୁଷଙ୍କୁ ମାଡ ମାରି ଲହୁ ଲୁହାଣ କରାଯାଉଥିବା ବେଳେ ମହିଳା ଓ ସୁନ୍ଦର ଯୁବତୀଙ୍କୁ ଯୌନ ଶୋଷଣ ସାଙ୍ଗକୁ ଶାରୀରିକ ନିର୍ଯାତନା ଦିଆଯାଉଛି । ପୁଲିସ୍ ତଥା ସାଧାରଣ ପ୍ରଶାସନ ଏହି ଘଟଣାରେ ନିରବଦ୍ରଷ୍ଟା ସାଜିଛି । ତଥାପି ବର୍ତ୍ତମାନ ସମୟରେ ସନ୍ଦେଶଖାଲିରେ ମହିଳା ଏବଂ ପୁରୁଷମାନେ ମିଳିତ ଭାବେ ରାଜ୍ୟ ସରକାର ଏବଂ ପୁଲିସ୍ ବିରୋଧରେ ପ୍ରତିବାଦ, ବିକ୍ଷୋଭ ତଥା ଶୋଭାଯାତ୍ରା ଜାରି ରଖିଛନ୍ତି ।
ଅନ୍ୟପକ୍ଷେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ତଥା ଅପରାଧୀଙ୍କୁ ରାଜନୈତିକ ସୁରକ୍ଷା ଦେଉଥିବା ବିରୋଧୀ ପକ୍ଷରୁ ଅଭିଯୋଗ ହୋଇଆସୁଛି । ଏସବୁ ଅଭିଯୋଗ ସାମ୍ନାକୁ ଆସିବା ପରେ ଏନ୍ସିଏସ୍ସିର ଏକ ପ୍ରତିନିଧି ଦଳ ଗତକାଲି ସନ୍ଦେଶଖାଲି ଅଞ୍ଚଳ ପରିଦର୍ଶନ କରିଥିଲେ ଏବଂ ଏକ ରିପୋର୍ଟ ପ୍ରସ୍ତୁତ କରିଥିଲେ । ତେବେ ଏହି ରିପୋର୍ଟକୁ ଆଜି ଏନ୍ସିଏସ୍ସି, ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁଙ୍କ ନିକଟକୁ ପଠାଇଦେଇଛି । ରିପୋର୍ଟରେ ସନ୍ଦେଶଖାଲି ଅଞ୍ଚଳରେ ଘଟୁଥିବା ଘଟଣା ପ୍ରତି ପଶ୍ଚିମବଙ୍ଗ ପୁଲିସ ପ୍ରଶାସନର ଅସହଯୋଗ, ଉଦାସୀନତା ମନୋଭାବ ଠାରୁ ଆରମ୍ଭ କରି ତଦନ୍ତ ପ୍ରକ୍ରିୟାରେ ଅବହେଳା ପର୍ଯ୍ୟନ୍ତ ଅନେକ ଅଭିଯୋଗ ଏନ୍ସିଏସ୍ସି ପକ୍ଷରୁ କରାଯାଇଛି । ଯଦିଓ ଏହି ରିପୋର୍ଟକୁ ସାର୍ବଜନୀନ କରାଯାଇନାହିଁ, ତଥାପି ଏନ୍ସିଏସ୍ସି ଆୟୋଗର ଅଧ୍ୟକ୍ଷ ଅରୁଣ ହାଲଦାର କିନ୍ତୁ କହିଛନ୍ତି ଯେ, ସେମାନେ ରାଜ୍ୟରେ ରାଷ୍ଟ୍ରପତି ଶାସନ ପାଇଁ ସୁପାରିଶ୍ କରିଛନ୍ତି ।
ସୂଚନାଯୋଗ୍ୟ ଏହି ମାମଲାରେ ଏକ ପିଟିସନ୍ ସୁପ୍ରିମକୋର୍ଟରେ ମଧ୍ୟ ଦାଖଲ କରାଯାଇଛି । ପିଟିସନ୍ରେ ସନ୍ଦେଶଖାଲି ଅଞ୍ଚଳରେ ଘଟିଥିବା ବା ଘଟୁଥିବା ଘଟଣାର ତଦନ୍ତ ପାଇଁ ସୁପ୍ରିମକୋର୍ଟଙ୍କ ତତ୍ତ୍ୱାବଧାନରେ ଏକ ସ୍ୱତନ୍ତ୍ର ଅନୁସନ୍ଧାନକାରୀ ଦଳ (ଏସ୍ଆଇଟି) ଗଠନ କରାଯିବାକୁ ନଚେତ୍ ସିବିଆଇ ତଦନ୍ତ କରାଯିବାକୁ ଦାବି କରାଯାଇଛି । ସେହିପରି କିଛି ଦିନ ପୂର୍ବେ ଜାତୀୟ ମହିଳା ଆୟୋଗ (ଏନ୍ସିଡବ୍ଲ୍ୟୁ) ପଶ୍ଚିମବଙ୍ଗର ସନ୍ଦେଶଖାଲି ଘଟଣାରେ ନିଜ ରିପୋର୍ଟ ଦେଇସାରିଛି । ଏଥିରେ ସନ୍ଦେଶଖାଲି ଅଞ୍ଚଳର ମହିଳାଙ୍କ ରେକର୍ଡ କରାଯାଇଥିବା ବୟାନ୍ ଅତ୍ୟନ୍ତ ଚିନ୍ତାଜନକ ବୋଲି ଏନ୍ସିଡବ୍ଲ୍ୟୁ ଦର୍ଶାଇଛି । ନିକଟରେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ମଧ୍ୟ, ଟିଏମ୍ସିର ଭଡାଟିଆ ଗୁଣ୍ଡାଙ୍କ ଏପ୍ରକାର ଅରାଜକତାକୁ ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ତୀବ୍ର ସମାଲୋଚନା କରିସାରିଛନ୍ତି । ପ.ବଙ୍ଗ ପ୍ରଦେଶ ବିଜେପି ପକ୍ଷରୁ ଏହି ଘଟଣାରେ ରାଜ୍ୟ ସରକାରଙ୍କ ବିରୋଧରେ ପ୍ରତିବାଦ ପ୍ରଦର୍ଶନ ଜାରି ରହିଛି ।