ଭୁବନେଶ୍ୱରରେ କାର୍ଯ୍ୟରତ ସାମ୍ବାଦିକ ଜ୍ୟୋତିରଞ୍ଜନ ମହାପାତ୍ରଙ୍କୁ ଖଣ୍ଡାରେ ହାଣି ଲହୁଲୁହାଣ କରିବା ଘଟଣା ଅତ୍ୟନ୍ତ ଦୁଃଖଦାୟକ ଏବଂ ସମସ୍ତଙ୍କୁ ମର୍ମାହତ କରିଛି
ତୁରନ୍ତ ଦୋଷୀଙ୍କୁ ଚିହ୍ନଟ କରି ଗିରଫ କରିବା ସହିତ ଘଟଣାର ମୁଖ୍ୟ କାର୍ପଟଦାରଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତମୁଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ
ଯେଉଁଠି କାର୍ଯ୍ୟରତ ସାମ୍ବାଦିକମାନେ ସୁରକ୍ଷିତ ନୁହନ୍ତି, ସେଠି ସାଧାରଣ ନାଗରିକଙ୍କୁ ପୁଲିସ କଣ ସୁରକ୍ଷା ଦେବ ?
ସାମ୍ବାଦିକ, ଗଣମାଧ୍ୟମକୁ ଭୟଭୀତ ଓ ପ୍ରଭାବିତ କରିବାରେ ଲିପ୍ତ ରାଜ୍ୟ ସରକାର
ଭାରତୀୟ ଜନତା ପାର୍ଟି ଶାସନକୁ ଆସିଲା ମାତ୍ରେ “ସାମ୍ବାଦିକ ସୁରକ୍ଷା ଆଇନ”କୁ ତୁରନ୍ତ କାର୍ଯ୍ୟକ୍ଷମ କରାଯିବ
ଭୁବନେଶ୍ୱର, : ଓଡ଼ିଶାରେ ଚତୁର୍ଥସ୍ତମ୍ଭ ଉପରେ ବାରମ୍ବାର ଆକ୍ରମଣ ହୋଇଚାଲିଛି । ପ୍ରତିଦିନ କେଉଁଠି ନା କେଉଁଠି ସାମ୍ବାଦିକମାନଙ୍କୁ ଆକ୍ରମଣ ଘଟଣା ଖବରକାଗଜ ଶିରୋନାମାରେ ରହୁଛି । ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ସାମ୍ବାଦିକମାନଙ୍କୁ ଆକ୍ରମଣ କରାଯାଉଛି । ଏହା ପରେ ବି ଗୃହ ବିଭାଗ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ନେବା ତ ଦୂରର କଥା ମୁଖ୍ୟମନ୍ତ୍ରୀ ଘଟଣାକୁ ନିନ୍ଦା ଟିକିଏ ବି କରୁନାହାଁନ୍ତି । ଓଡିଶାର ଗଣମାଧ୍ୟମ ଉପରେ ବାରମ୍ବାର ଆକ୍ରମଣ ହେବା ପୂର୍ବରୁ କେବେ ଦେଖାଯାଉନଥିଲା । ରାଜ୍ୟ ସରକାରଙ୍କ ଜନବିରୋଧୀ ନୀତି ଉପରେ ପ୍ରଶ୍ନ ପଚାରିଲେ କାର୍ଯ୍ୟରତ ସାମ୍ବାଦିକମାନଙ୍କୁ ମରଣାନ୍ତକ ଆକ୍ରମଣ କରାଯାଉଛି । ଯେଉଁଠି କାର୍ଯ୍ୟରତ ସାମ୍ବାଦିକମାନେ ସୁରକ୍ଷିତ ନୁହନ୍ତି, ସେଠି ସାଧାରଣ ନାଗରିକ କେତେ ସୁରକ୍ଷିତ ତାହା ବଡ ପ୍ରଶ୍ନବାଚୀ ? ଗତ କାଲି ରାଜଧାନୀ ଭୁବନେଶ୍ୱରରେ ଜଣେ କାର୍ଯ୍ୟରତ ସାମ୍ବାଦିକ ଶ୍ରୀ ଜ୍ୟୋତିରଞ୍ଜନ ମହାପାତ୍ର କାମ ଶେଷ କରି ଘରକୁ ଫେରୁଥିବା ସମୟରେ ୪ଜଣ ଦୁର୍ବୁତ ଖଣ୍ଡାରେ ହାଣି ଲହୁଲୁହାଣ କରିଛନ୍ତି । ଏହା ଅତ୍ୟନ୍ତ ଦୁଃଖଦାୟକ ଏବଂ ଆମ ସମସ୍ତଙ୍କୁ ମର୍ମାହତ କରିବା ସହ ସାମ୍ବାଦିକମାନଙ୍କ ସୁରକ୍ଷାକୁ ନେଇ ବିରାଟ ପ୍ରଶ୍ନ ଛିଡା ହୋଇଛି । ତୁରନ୍ତ ଦୋଷୀଙ୍କୁ ଚିହ୍ନଟ କରି ଗିରଫ କରିବା ସହିତ ଘଟଣାର ମୁଖ୍ୟ କାର୍ପଟଦାରଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ରାଜ୍ୟ ଉପସଭାପତି ଶ୍ରୀ ବିରଂଚି ନାରାୟଣ ତ୍ରିପାଠୀ ଦାବୀ କରିଛନ୍ତି ।
ବ୍ୟାପକ ନିଶା କାରବାର, ପୋଲିସର ନିଷ୍କ୍ରିୟତା ଏବଂ ଶାସକ ବିଜେଡିର ଆଇନକୁ ହାତରେ ନେବା ଓ ଆଇନର ବାଟ ଓଗାଳିବା କାରଣରୁ ଶାନ୍ତ, ନିରାପଦ ଓଡ଼ିଶା ରାଜ୍ୟ ଦିନକୁ ଦିନ ହିଂସାପ୍ରବଣ ହୋଇଚାଲିଛି । ଜଣେ କାର୍ଯ୍ୟରତ ସାମ୍ବାଦିକଙ୍କ ଉପରେ ଏଭଳି ଆକ୍ରମଣ ଅତ୍ୟନ୍ତ ନିନ୍ଦନୀୟ ଏବଂ ଦୁର୍ଭାଗ୍ୟଜନକ । ଗତ କିଛିଦିନ ତଳେ ଜଣେ ମହିଳା ସାମ୍ବାଦିକାଙ୍କୁ ଦୁର୍ବ୍ୟବହାର କରାଯାଇଥିଲା । ସେହିପରି ପୂର୍ବରୁ ଭୁବନେଶ୍ୱରରେ ଜମି ହଡପ ଘଟଣାରେ ସାମ୍ବାଦିକଙ୍କୁ ଆକ୍ରମଣ, ବାଲେଶ୍ୱରର ନୀଳଗିରିଠାରେ ବେଆଇନ କାଠ କାରବାର ଘଟଣାରେ ସାମ୍ବାଦିକଙ୍କୁ ଆକ୍ରମଣ, ପଟ୍ଟାମୁଣ୍ଡାଇ, ଅସ୍ତରଙ୍ଗ, ପୁରୀ , ଖୋର୍ଦ୍ଧା ଆଦି ରାଜ୍ୟର ବିଭିନ୍ନ ସ୍ଥାନରେ ସାମ୍ବାଦିକମାନଙ୍କୁ ଆକ୍ରମଣ ହେବା ସତ୍ୱେ ବି ଶାସକ ଦଳର ଇଙ୍ଗିତରେ ପୋଲିସ ପ୍ରଶାସନ ଚୁପ୍ ବସିଛନ୍ତି । ବିଶେଷଭାବେ ରାଜ୍ୟ ସରକାରଙ୍କ ବିଭିନ୍ନ ଜନବିରୋଧୀ କାର୍ଯ୍ୟକଳାପକୁ ପର୍ଦ୍ଦାଫାଶ କରୁଥିବା କାରଣରୁ ରାଜ୍ୟ ସରକାରଙ୍କ ଆକ୍ରୋଶର ଶିକାର ହେଉଛନ୍ତି ସମ୍ବାଦିକ । ସାମାଜିକ ସୁରକ୍ଷା ତ ବହୁ ଦୂରର କଥା ସମାନ୍ୟ ସୁରକ୍ଷା ଦେବାରେ ବି ରାଜ୍ୟ ସରକାରଙ୍କ ଆନ୍ତରିକତା ନାହିଁ । ସାମ୍ବାଦିକ, ଗଣମାଧ୍ୟମକୁ ଭୟଭୀତ ଓ ପ୍ରଭାବିତ କରିବାର ଲିପ୍ତ ରାଜ୍ୟ ସରକାର । ଲୋକସେବା ଭବନଠାରୁ ମୁଖ୍ୟମନ୍ତ୍ରୀଙ୍କ ସଭାସମିତିରେ ବି ଗଣମାଧ୍ୟମ ଉପରେ ରୋକ ଲଗାଯାଇଛି । ଗଣମାଧ୍ୟମର କଣ୍ଠରୋଧ କରିବା ମୁଖ୍ୟମନ୍ତ୍ରୀଙ୍କ ଧାରାବାହିକ ଅଭ୍ୟାସରେ ପରିଣତ ହୋଇଛି ବୋଲି ଶ୍ରୀ ତ୍ରିପାଠୀ କହିଛନ୍ତି ।
ସମ୍ବିଧାନ ଗଣମାଧ୍ୟମକୁ ସ୍ୱତନ୍ତ୍ର ସ୍ଥାନ ଦେଇଛି । ଗଣମାଧ୍ୟମ ଓ ଏହାର ପ୍ରତିନିଧିମାନଙ୍କ ସୁରକ୍ଷାକୁ ବିଜେପି ସବୁ ସମୟରେ ଗୁରୁତ୍ୱ ଦେଇ ଆସିଛି । ଭାରତୀୟ ଜନତା ପାର୍ଟି ଶାସନକୁ ଆସିଲେ “ସାମ୍ବାଦିକ ସୁରକ୍ଷା ଆଇନ”କୁ ତୁରନ୍ତ କାର୍ଯ୍ୟକ୍ଷମ କରାଯିବ ବୋଲି ଶ୍ରୀ ତ୍ରିପାଠୀ କହିଛନ୍ତି । ଏହି ଅବସରରେ ରାଜ୍ୟ ଗଣମାଧ୍ୟମ ସଂଯୋଜକ ସୁଜିତ୍ କୁମାର ଦାସ ଉପସ୍ଥିତ ଥିଲେ ।