24.1 C
Bhubaneswar
Tuesday, October 22, 2024
Homeଖେଳକଲମ୍ବୋ ଟେଷ୍ଟ୍‌: ରହମତଙ୍କ ଅର୍ଦ୍ଧଶତକ, ଫର୍ଣ୍ଣାଣ୍ଡୋଙ୍କୁ ୪ ୱିକେଟ୍‌; ପ୍ରଥମ ଦିନରେ ଆଫଗାନିସ୍ତାନ ୧୯୮ ଅଲ୍‌ଆଉଟ୍‌

କଲମ୍ବୋ ଟେଷ୍ଟ୍‌: ରହମତଙ୍କ ଅର୍ଦ୍ଧଶତକ, ଫର୍ଣ୍ଣାଣ୍ଡୋଙ୍କୁ ୪ ୱିକେଟ୍‌; ପ୍ରଥମ ଦିନରେ ଆଫଗାନିସ୍ତାନ ୧୯୮ ଅଲ୍‌ଆଉଟ୍‌

କଲମ୍ବୋ: ଏଠାରେ ଶୁକ୍ରବାରଠାରୁ ଆରମ୍ଭ ହୋଇଥିବା ଏକମାତ୍ର ଟେଷ୍ଟ୍ ମ୍ୟାଚ୍‌ର ପ୍ରଥମ ଦିନରେ ଆଫଗାନିସ୍ତାନ ୧୯୮ ରନ୍‌ରେ ଅଲ୍‌ଆଉଟ୍ ହୋଇଯାଇଛି । ଟିମ୍ ପକ୍ଷରୁ ରହମନ୍ ଶାହ ସର୍ବାଧିକ ୯୧ ରନ୍ କରିଥିବା ବେଳେ ଶ୍ରୀଲଙ୍କାର ବିଶ୍ୱ ଫର୍ଣ୍ଣାଣ୍ଡୋ ୪ ୱିକେଟ୍ ଅକ୍ତିଆର କରିଛନ୍ତି । ପ୍ରଥମ ଦିନ ଷ୍ଟମ୍ପ୍ସ ବେଳକୁ ଶ୍ରୀଲଙ୍କା କୌଣସି ୱିକେଟ୍ ନହରାଇ ୮୦ ରନ୍ କରିଛି । ନିଶାନ୍ ମଦୁସଙ୍କା ୩୬ ଏବଂ ଦିମୁଥ୍ କରୁଣାରତ୍ନେ ୪୨ ରନ୍‌ରେ ଅପରାଜିତ ଅଛନ୍ତି । ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ଆଫଗାନିସ୍ତାନ ପ୍ରଥମ ଓଭର୍‌ରେ ହିଁ ଓପ୍ନର୍ ଇବ୍ରାହିମ୍ ଜାଦ୍‌ରାନ୍ (୦)ଙ୍କୁ ହରାଇଥିଲା । ଏହାପରେ ବ୍ୟାଟିଂ ପାଇଁ ଆସିଥିବା ରହମତ୍ ଶାହ ଇନିଂସ୍ ସମ୍ଭାଳି ନୁର ଅଲୀ (୩୧)ଙ୍କ ସହ ୫୭ ରନ୍‌, କ୍ୟାପ୍‌ଟେନ୍ ହଶମତୁଲ୍ଲାହ ଶାହିଦି (୧୭)ଙ୍କ ସହ ୫୨ ରନ୍‌ର ଭାଗୀଦାରି କରିଥିଲେ । ଏ ଦୁହିଁଙ୍କ ଆଉଟ୍ ପରେ ଇକ୍‌ରାମ୍ ଅଲିଖିଲଙ୍କ ସହ ୪୫ ରନ୍ ଯୋଡ଼ି ଟିମ୍‌କୁ ମଜଭୁତ କରିଥିଲେ ।

ରହମତ୍ ୯୧ ରନ୍‌ର ଚମତ୍କାର ଇନିଂସ୍ ଖେଳିଥିଲେ । ତେବେ ପ୍ରଭାତ ଜୟସୂର୍ଯ୍ୟା ତାଙ୍କ ଇନିଂସ୍‌ର ଅନ୍ତ ଘଟାଇଥିଲେ । ଇକ୍‌ରାମ ଅଲିଖିଲ ଓ କୈସ୍ ଅହମଦ ୨୧ ରନ୍ ଲେଖାଏଁ କରିଥିବା ବେଳେ ନିମ୍ନକ୍ରମ ଅଧିକ ସଂଘର୍ଷ କରିପାରି ନଥିଲେ । ଶ୍ରୀଲଙ୍କା ପକ୍ଷରୁ ବିଶ୍ୱ ଫର୍ଣ୍ଣାଣ୍ଡୋ ସର୍ବାଧିକ ୪ଟି ୱିକେଟ୍ ନେଇଥିବା ବେଳେ ଅସିଥା ଫର୍ଣ୍ଣାଣ୍ଡୋ ଓ ପ୍ରଭାତ ଜୟସୂର୍ଯ୍ୟାଙ୍କୁ ୩ଟି ଲେଖାଏଁ ସଫଳତା ମିଳିଥିଲା । ଜବାବରେ ଶ୍ରୀଲଙ୍କାର ପ୍ରଥମ ଇନିଂସ୍ ଆରମ୍ଭ କରି ଦୁଇ ଓପ୍ନର୍ ଦିମୁଥ୍ କରୁଣାରତ୍ନେ ଓ ନିଶାନ୍ ମଦୁଶଙ୍କା ୮୩ ରନ୍‌ର ଅବିଭାଜିତ ଭାଗୀଦାରି ସହିତ ଦିନର ଅନ୍ତ କରିଛନ୍ତି । ମଦୁଶଙ୍କା ୪୮ ବଲ୍‌ରେ ୬ ଚୌକା ସହାୟତାରେ ୩୬ ରନ୍ ଏବଂ କରୁଣାରତ୍ନେ ୩୭ ବଲ୍‌ରେ ୭ ଚୌକା ବଳରେ ୪୨ ରନ୍ କରି ଅପରାଜିତ ଅଛନ୍ତି ।

ରହମତ୍ ଆଫଗାନିସ୍ତାନର ସର୍ବକାଳୀନ ଟପ୍ ଟେଷ୍ଟ୍ ସ୍କୋରର୍‌
ଶ୍ରୀଲଙ୍କା ବିପକ୍ଷରେ ୯୧ ରନ୍‌ର ଇନିଂସ୍ ସହିତ ରହମତ୍ ଆଫଗାନିସ୍ତାନର ଟପ୍ ଟେଷ୍ଟ୍ ସ୍କୋରର୍ ହୋଇଛନ୍ତି । ସେ ଅସଗର ଆଫଗାନ୍‌ଙ୍କ ୪୪୦ ରନ୍‌ର ରେକର୍ଡକୁ ଅତିକ୍ରମ କରିଛନ୍ତି । ସେହିପରି ରହମତ୍ ଟେଷ୍ଟ୍‌ରେ ୫୦୦ରୁ ଅଧିକ ରନ୍ କରିବାରେ ଆଫଗାନିସ୍ତାନର ପ୍ରଥମ ଖେଳାଳି ହୋଇଛନ୍ତି । ରହମତ୍‌ଙ୍କ ନାମରେ ୩୪.୩୩ ହାରାହାରିରେ ମୋଟ୍ ୫୧୫ ରନ୍ ହୋଇଛି । ଏହା ମଧ୍ୟରେ ଚାରିଟି ଅର୍ଦ୍ଧଶତକ ଓ ଗୋଟିଏ ଶତକ ମଧ୍ୟ ସାମିଲ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking