ନୂଆଦିଲ୍ଲୀ: ଅର୍ନ୍ତରାଷ୍ଟ୍ରୀୟ ମୁଦ୍ରା ପାଣ୍ଠି (ଆଇଏମ୍ଏଫ୍) ପ୍ରମୁଖ କ୍ରିଷ୍ଟଲିନା ଜର୍ଜିଭା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ସମ୍ପର୍କରେ ଏକ ବଡ଼ ବୟାନ୍ ଦେଇଛନ୍ତି । ସୋମବାର ଦିନ ଜର୍ଜିଭା କହିଛନ୍ତି, ଆଗାମୀ ଦିନରେ କେବଳ ଏଆଇ ପାଇଁ ବିଶ୍ୱସ୍ତରରେ ୪୦% ନିଯୁକ୍ତି ହ୍ରାସ ପାଇବ । ଅର୍ଥାତ୍ ଏଆଇର ବହୁଳ ବ୍ୟବହାର ଦ୍ୱାରା ଆଗାମୀ ଦିନରେ ଏକ ବଡ଼ ସଂଖ୍ୟାରେ ଲୋକେ କର୍ମ ନିଯୁକ୍ତି ହରାଇ ବେରୋଜଗାର ହୋଇଯିବାର ଆଶଙ୍କା ସୃଷ୍ଟି ହୋଇଛି । ଜର୍ଜିଭାଙ୍କ ଅନୁସାରେ ଆର୍ଟିଫସିଆଲ୍ ଇଣ୍ଟେଲିଜେନ୍ସ ବିଶ୍ୱସ୍ତରରେ ଜବ୍ ସିକ୍ୟୁରିଟି ପାଇଁ ବିପଦଜନକ ସାବ୍ୟସ୍ତ ହେବ ।
ସ୍ୱିଜରଲାଣ୍ଡର ଡାଭୋସ ସହରରେ ଆଜି ଠାରୁ ଆରମ୍ଭ ହୋଇଥିବା ବିଶ୍ୱ ଅର୍ଥନୈତିକ ଫୋରମ୍ର ବାର୍ଷିକ ବୈଠକରେ ସାମିଲ ହେବା ପରିପ୍ରେକ୍ଷୀରେ ଆଇଏମ୍ଏଫ୍ ମୁଖ୍ୟ ଜର୍ଜିଭା ଏପରି ଆଶଙ୍କା ବ୍ୟକ୍ତ କରିଛନ୍ତି । ଜର୍ଜିଭାଙ୍କ ଅନୁସାରେ ଯଦିଓ ଏଆଇ ଟେକ୍ନୋଲୋଜି ଗୁଣାତ୍ମକ ମାନ ଦୃଷ୍ଟିକୋଣରୁ ପ୍ରଡକ୍ଟିଭିଟି ବୃଦ୍ଧି କରିବା ଦିଗରେ ସୁଯୋଗ ସୃଷ୍ଟି କରିବ, କିନ୍ତୁ ଏହାଦ୍ୱାରା ବିଶ୍ୱର ବିକଶିତ ଦେଶଗୁଡ଼ିକରେ ୪୦% ନିଯୁକ୍ତି ହ୍ରାସ ପାଇବା ସହ ବାକି ୬୦% ନିଯୁକ୍ତି ବିପଦମୁହଁକୁ ଠେଲି ହୋଇଯିବ । ସୁତରାଂ ଜବ୍ ସିକ୍ୟୁରିଟି ଦୃଷ୍ଟିକୋଣରୁ ଏଆଇ ଅତ୍ୟନ୍ତ ମାରାତ୍ମକ ସାବ୍ୟସ୍ତ ହୋଇପାରେ । ଏହି ଅବସରରେ ସେ ଆଇଏମ୍ଏଫ୍ ଦ୍ୱାରା ପ୍ରସ୍ତୁତ ଏକ ରିପୋର୍ଟକୁ ମଧ୍ୟ ସାର୍ବଜନୀନ କରିଛନ୍ତି । ଏଥିରେ ଆଗାମୀ ଦିନରେ ବିକାଶଶୀଳ ଦେଶଗୁଡ଼ିକରେ ଏଆଇର ପ୍ରଭାବ କମ୍ ରହିବା ଅନୁମାନ କରାଯାଉଛି । କିନ୍ତୁ ଏଥିରେ ବିଶ୍ୱସ୍ତରରେ ପ୍ରାୟ ୪୦% ନିଯୁକ୍ତି ଉପରେ ସିଧାସଳଖ ପ୍ରଭାବିତ ହେଉଥିବା ନେଇ ସ୍ପଷ୍ଟ ପ୍ରମାଣ ରହିଥିବା ଦେଖିବାକୁ ମିଳିଛି । ଜର୍ଜିଭା ଏହି ଅବସରରେ ୨୦୨୪ ବର୍ଷ ପାଇଁ ଏଆଇ’କୁ ନେଇ ସମଗ୍ର ବିଶ୍ୱକୁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ।
ଜର୍ଜିଭା ଏହି ଅବସରରେ ୨୦୨୪ରେ ବିଶ୍ୱସ୍ତରରେ ହେବାକୁ ଥିବା ନିର୍ବାଚନକୁ ନେଇ ମଧ୍ୟ ଆଶଙ୍କା ବ୍ୟକ୍ତ କରିଛନ୍ତି । ସେ କହିଛନ୍ତି ୨୦୨୪ ବର୍ଷ ବିଶ୍ୱ ଅର୍ଥବ୍ୟବସ୍ଥା ପାଇଁ ଏକ କଷ୍ଟସାଧ୍ୟ ବର୍ଷ ହୋଇପାରେ ବୋଲି ସେ ଅନୁମାନ କରୁଛନ୍ତି । କାରଣ କରୋନା ସମୟରେ ବିଶ୍ୱର ଅନେକ ଦେଶ ଆଇଏମ୍ଏଫ୍, ୱାର୍ଲ୍ଡ ବ୍ୟାଙ୍କ୍ ଭଳି ଅର୍ଥନୈତିକ ପ୍ଲାଟଫର୍ମରୁ ମୋଟା ଅଙ୍କର ଋଣ ଗ୍ରହଣ କରିଛନ୍ତି, ଯେଉଁଥିରୁ ସେମାନେ ଏପଯର୍ଯ୍ୟନ୍ତ ବାହାରିପାରିନାହାନ୍ତି । ଏମିତି ସ୍ଥିତିରେ ଆଗକୁ ପ୍ରାୟ ୬୩ଟି ଦେଶରେ ନିର୍ବାଚନ ରହିଥିବାରୁ ସ୍ଥାନୀୟ ସରକାରଗୁଡ଼ିକ ଭୋଟରଙ୍କୁ ପ୍ରଲୋଭିତ କରିବା ପାଇଁ ଅସୀମିତ ଅର୍ଥ ଖର୍ଚ୍ଚ କରିବା ନିଶ୍ଚିତ । ସୁତରାଂ ଏସବୁ ଦେଶଗୁଡ଼ିକ ଉପରେ ଋଣଜନିତ ବୋଝ ଅଧିକ ମାତ୍ରାରେ ପଡ଼ିବ ।
ସମ୍ପ୍ରତି ଭାରତ ସମେତ ବିଶ୍ୱର ଅନେକ ଦେଶରେ ଏଆଇର ବହୁଳ ବ୍ୟବହାର ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଏବେ ସବୁକାମ ଏଆଇ ଟେକ୍ନୋଲେଜି ଦ୍ୱାରା କରାଇବାକୁ ଅନ୍ତର୍ଜାତୀୟସ୍ତରର କମ୍ପାନୀଗୁଡ଼ିକ ଚାହୁଁଛନ୍ତି । ଆଗାମୀ ଦିନରେ ଏହା ଜାତୀୟସ୍ତରକୁ ଚାଲିଆସିବ । ଯାହାଦ୍ୱାରା କର୍ମନିଯୁକ୍ତି ହ୍ରାସ ପାଇବା ଆଶଙ୍କା ରହିଛି ।