ମେକ୍ସିକୋ : ଉତ୍ତର ମେକ୍ସିକୋର ସୀମାନ୍ତ ପ୍ରଦେଶ ସୋନର ଅନ୍ତର୍ଗତ ସିଦାଦ୍ ଓବ୍ରେଗନ୍ ନଗରୀରେ ବନ୍ଧୁକକାରୀ କିଛି ଦୁର୍ବୃତ୍ତଙ୍କ ଉନ୍ମତ୍ତ କାଣ୍ଡ ଯୋଗୁ ଏଠାରେ ୬ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଚି । ମେକ୍ସିକୋ ପୁଲିସ୍ ପକ୍ଷରୁ ମିଳିଥିବା ସୂଚନାନୁସାରେ ଏଠାରେ ଏକ ପାର୍ଟି ଚାଲିଥିବା ବେଳେ ୩ଜଣ ଦୁର୍ବୃତ୍ତ ଆଖିବୁଜା ଗୁଳିମାଡ଼ କରିଥିଲେ । ବାସ୍ତବରେ ସେମାନେ ଜଣେ ଡ୍ରଗ୍ସ କ୍ୟାଟେଲରକୁ ଖୋଜି ଖୋଜି ଏଠାକୁ ଆସିଥିଲେ ।
ଡ୍ରଗ୍ସ କ୍ୟାଟେଲର ଏହି ପାର୍ଟିରେ କେଉଁଠି ଲୁଚିଥିବା ସନ୍ଦେହରେ ସେମାନେ ଗୁଳି ଚଳାଇଥିଲେ । କିନ୍ତୁ ଘଟଣାସ୍ଥଳରେ ଉପସ୍ଥିତ ସାଧାରଣ ଲୋକ ଏହି ଗୁଳିମାଡରେ ମୃତାହତ ହୋଇଥିଲେ । ଘଟଣାସ୍ଥଳରେ ଅନ୍ୟୂନ ୬ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୭ଜଣ ଆହତ ହୋଇଥିବା ଜଣାପଡିଛି । ମୃତ ବ୍ୟକ୍ତିଙ୍କ ମଧ୍ୟରେ ୨ଜଣଙ୍କ ବୟସ ୧୮ବର୍ଷରୁ କମ୍ ବୋଲି ଜଣାପଡିଛି । ତେବେ ସେହି ଡ୍ରଗ୍ସ କ୍ୟାଟେଲର ମଧ୍ୟ ଏହି ଗୁଳିକାଣ୍ଡରେ ପ୍ରାଣ ହରାଇଥିବା ସ୍ଥାନୀୟ ପୁଲିସ୍ କହିଛି । ଗୁଳିକାଣ୍ଡ ପରେ ଦୁର୍ବୃତ୍ତମାନେ ଫେରାର ହୋଇଯାଇଛନ୍ତି । ପ୍ରକାଶ, ସମ୍ପ୍ରତି ସୋନର ଅନେକ ଡ୍ରଗ୍ ମାଫିଆଙ୍କ ପାଇଁ ଗୋଚର ଭୂମି ପାଲଟିଛି ।