19.1 C
Bhubaneswar
Friday, January 10, 2025
Homeଅପରାଧଡକାୟତଙ୍କ ଆତଙ୍କ, ଲୁଟିଲେ ସ୍ୱର୍ଣ୍ଣ ଅଳଙ୍କାର

ଡକାୟତଙ୍କ ଆତଙ୍କ, ଲୁଟିଲେ ସ୍ୱର୍ଣ୍ଣ ଅଳଙ୍କାର

ନିଶ୍ଚିନ୍ତକୋଇଲି : ନିଶ୍ଚିନ୍ତକୋଇଲି ବ୍ଲକ ଉତ୍ତରକୂଳ ପଞ୍ଚାୟତ ପିଇଁପୁର ଗ୍ରାମରେ ଏକ ବଡ଼ ଧରଣର ଡକାୟତି ହୋଇଯାଇଛି । ଡକାୟତମାନେ ଘରେ ପଶି ନଗଦ ଦେଢ଼ ଲକ୍ଷ ଟଙ୍କା ଓ ପ୍ରାୟ ୫ ଲକ୍ଷ ଟଙ୍କା ମୂଲ୍ୟର ସ୍ୱର୍ଣ୍ଣ ଅଳଙ୍କାର ଲୁଟି ନେଇଥିବାର ଅଭିଯୋଗ ହୋଇଛି । ଏହି ଘଟଣାଟି ଏଠାରେ ଆତଙ୍କ ଖେଳାଇ ଦେଇଛି । ଗତକାଲି ରାତ୍ରରେ ପିଇଁପୁର ଗ୍ରାମର ସୁଶୀଲକାନ୍ତ ବେଉରା ଯାତ୍ରା ଦେଖିବା ନିମନ୍ତେ ଯାଇଥିଲେ । ସୁଶୀଲ ରାତ୍ର ପ୍ରାୟ ୩ଟା ବେଳେ ଫେରିଲା ବେଳକୁ ତାଙ୍କ ଘରର ବାହାର ପଟ କବାଟ ତଡ଼ା ହୋଇଥିବାର ଦେଖିବାକୁ ପାଇଥିଲେ । ଘର ଭିତରେ ପଶିଲାବେଳକୁ ତାଙ୍କ ବାପା ଓ ବଡ଼ବାପା ଶୋଇଥିବା ଘରର କବାଟ ବାହାରପଟୁ ବନ୍ଦ ହୋଇଥିଲା । ତାଙ୍କର ଭାଇ ଶୋଇଥିବା ଘର ମଧ୍ୟ ବନ୍ଦ ରହିଥିଲା । ସୁଶୀଲ ତାଙ୍କ ଶୋଇବାଘରକୁ ଯାଇ ଦେଖିଲା ବେଳକୁ ତାଙ୍କର ଗଡ୍‌ରେଜ୍ ଖୋଲା ହୋଇଛି । ଗଡ୍ରେଜ୍‌ରେ ଥିବା ଦୁଇଟି ସୁନାଚେନ, ମଙ୍ଗଳସୂତ୍ର ୩ଟି, ସୁନାମୁଦି ୯ଟା, ଶଙ୍ଖା ୫ ହଳ, ସୁନା ଲକେଟ ୪ଟା, ତାଙ୍କ ପୁଅର ୨ଟି ଛୋଟ ସୁନାମୁଦି, କାନଫୁଲ ଦୁଇହଳ, ରୁପା ପାଉଁଜି ହଳେ ଓ ନଗଦ ଦେଢ଼ ଲକ୍ଷ ଟଙ୍କା ସମେତ ଗୋଟିଏ ଦାମୀ ମୋବାଇଲ ଚୋରି ହୋଇଥିବାର ଦେଖିବାକୁ ପାଇଥିଲେ । ଆଉ ଏକ ଟ୍ରଙ୍କ୍‌ରେ ଥିବା ୫ ହଜାର ଟଙ୍କା ସମେତ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଚୋରିହୋଇଥିଲା ବେଳେ ତାଙ୍କ ଖୁଡିଙ୍କର ଗଡ୍ରେଜ୍ ମଧ୍ୟ ଭଙ୍ଗାଯାଇଥିବାର ଦେଖିବାକୁ ମିଳିଥିଲା । ଏ ସମ୍ପର୍କରେ ସୁଶୀଲକାନ୍ତ ବେଉରା କିଶନନଗର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତିକରି କିଶନନଗର ଥାନା ପୁଲିସ ଅନୁସନ୍ଧାନୀକାରୀ କୁକୁର ଓ ସାଇଣ୍ଟିଫିକ୍ ଟିମ୍ ସହାୟତାରେ ଘଟଣାର ତଦନ୍ତ କରିଥିଲେ । ଏହି ଅଭିଯୋଗକୁ ଭିତ୍ତିକରି କିଶନନଗର ଥାନାରେ ଏକ ମାମଲା ରୁଜୁ ହୋଇଛି । ପୁଲିସ ତଦନ୍ତ ଅବ୍ୟାହତ ରହିଛି । ରିପୋର୍ଟ ଲେଖାହେଲା ବେଳକୁ ପୁଲିସ ଏହି ଘଟଣାରେ କାହାରିକୁ ଧରିବାରେ ସକ୍ଷମ ହୋଇନଥିଲା । ଦିନକୁ ଦିନ ଏହି ଅଞ୍ଚଳରେ ପୁଲିସର ନିଷ୍କ୍ରିୟତା କାରଣରୁ ଚୋରି ଡକାୟତି ରାହାଜାନି ଚରମସୀମାରେ ପହଞ୍ଚିଥିବା କାରଣରୁ ଲୋକେ ନିଜର ଧନଜୀବନକୁ ସୁରକ୍ଷିତ ମଣୁନାହାନ୍ତି । ପୁଲିସ ପ୍ରଶାସନ ତରଫରୁ ତୁରନ୍ତ ସ୍ଥାନୀୟ ଅଞ୍ଚଳରେ ରାତ୍ରକାଳୀନ ପାଟ୍ରୋଲିଂ ବ୍ୟବସ୍ଥା କରାଯିବା ନିମନ୍ତେ ସାଧାରଣରେ ଦାବି ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking