ମୁମ୍ବାଇ: ସାରା ବିଶ୍ୱରେ ୧୦ ଓଭର ବିଶିଷ୍ଟ କ୍ରିକେଟ୍ ମ୍ୟାଚ୍କୁ ମିଳୁଥିବା ସକାରାତ୍ମକ ପ୍ରତିକ୍ରିୟାକୁ ଦୃଷ୍ଟିରେ ରଖି ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ (ବିସିସିଆଇ) ଦେଶରେ ଏହି ଛୋଟ ଏବଂ ନୂଆ ଫର୍ମାଟ୍ର ଏକ ଲିଗ୍ ଆରମ୍ଭ ପାଇଁ ବିଚାର କରୁଛି । ଏଥିପାଇଁ ବ୍ଲୁ ପ୍ରିଣ୍ଟ୍ ମଧ୍ୟ ପ୍ରସ୍ତୁତ ସରିଛି । ସବୁକିଛି ଠିକ୍ ରହିଲେ ସମ୍ଭବତଃ ଆସନ୍ତା ବର୍ଷ ସେପ୍ଟେମ୍ବର-ଅକ୍ଟୋବାରରେ ଏହି ଲିଗ୍ ଖେଳାଯାଇପାରେ । ମନିକଣ୍ଟ୍ରୋଲ୍ର ଏକ ରିପୋର୍ଟ ଅନୁସାରେ ଆଇପିଏଲ୍ ଶୈଳୀ ବିସିସିଆଇର ଏହି ଟାୟର୍-୨ ଲିଗ୍ ଯୋଜନାକୁ ଅଂଶୀଦାରମାନେ ପସନ୍ଦ ମଧ୍ୟ କରିଛନ୍ତି ।
ତେବେ ଏହି ଲିଗ୍ ୨୦-୨୦ ଫର୍ମାଟ୍ରେ ମଧ୍ୟ ଖେଳାଯିବାର ସମ୍ଭାବନା ରହିଛି । ଏହା ଉପରେ ଏବେ ବିଚାର ଆଲୋଚନା ଜାରି ରହିଛି । ଏହି ଲିଗ୍ ଯେପରି ଆଇପିଏଲ୍ ଓ ଅନ୍ତର୍ଜାତୀୟ କ୍ରିକେଟ୍ ଉପରେ ପ୍ରଭାବ ନପକାଏ ସେଥିପାଇଁ ଏଥିରେ ଭାଗ ନେବାକୁ ଥିବା ଖେଳାଳିଙ୍କ ବୟସ ସୀମା ନିର୍ଦ୍ଧାରିତ କରିବା ନେଇ ବିଚାର ବିମର୍ଶ ମଧ୍ୟ ଚାଲିଛି ।
ତେବେ ବିସିସିଆଇର ଏହି ଯୋଜନା ଆଇପିଏଲ୍ ଫ୍ରାଞ୍ଚାଇଜିଙ୍କ ସ୍ୱୀକୃତି ଉପରେ ନିର୍ଭର କରୁଛି । ଅସଲରେ ଏହି ମାମଲାରେ ଆଇପିଏଲ୍ ଫ୍ରାଞ୍ଚାଇଜିଙ୍କ ସହିତ ବିସିସିଆର ଚୁକ୍ତି ହୋଇଛି । ଅର୍ଥାତ୍ ଆଇପିଏଲ୍ ପରି ଅନ୍ୟ କୌଣସି ଲିଗ୍ ଆରମ୍ଭ କରିବା ମାମଲାରେ ବିସିସିଆଇକୁ ଆଇପିଏଲ୍ ଫ୍ରାଞ୍ଚାଇଜିଙ୍କ ଅନୁମତି ନେବାକୁ ପଡ଼ିବ । ଏହା ଏଥିପାଇଁ ଯେ ନୂଆ ଲିଗ୍ ଦ୍ୱାରା ପୁରୁଣା ଫ୍ରାଞ୍ଚାଇଜିଙ୍କୁ ଯେପରି କୌଣସି ଆର୍ଥିକ କ୍ଷତି ସହିବାକୁ ନପଡ଼େ ।
ଏହି ଯୋଜନାକୁ ଆହୁରି ଉନ୍ନତ ରୂପ ଦେବାପାଇଁ ଏବେ ଆଲୋଚନା ଜାରି ରହିଛି । ଏହା ପ୍ରତ୍ୟେକ ବର୍ଷ ଭାରତରେ ଖେଳାଯିବ କିମ୍ବା ଭିନ୍ନ ଭିନ୍ନ ଭେନ୍ୟୁରେ ଆୟୋଜିତ ହେବ । ସେହିପରି ଏହାକୁ ଟି-୧୦ କିମ୍ବା ଟି-୨୦ ଫର୍ମାଟ୍ରେ ଖେଳାଯିବ? ବୟସ ସୀମା ରଖାଯିବ କି ନାହିଁ? ସେହିପରି ନୂଆ ଲିଗ୍ରେ ନୂଆ ଫ୍ରାଞ୍ଚାଇଜି ରହିବେ କିମ୍ବା ଆଇପିଏଲ୍ ଫ୍ରାଞ୍ଚାଇଜିଙ୍କ ସହ ନୂଆ ଚୁକ୍ତି ସହିତ ଆୟୋଜନ କରାଯିବ? ଏହି ସବୁ ପ୍ରଶ୍ନର ଉତ୍ତର ଆଗାମୀ ଦିନରେ ମିଳିବ ।