ନୂଆଦିଲ୍ଲୀ : ଆପଣଙ୍କର ଦୁଇଟି ହ୍ବାଟ୍ସଆପ୍ ଆକାଉଣ୍ଟ ରହିଛି। ଆଉ ଆପଣ ଏହାକୁ ଗୋଟିଏ ଫୋନ୍ରେ ବ୍ୟବହାର କରିବାକୁ ଚାହୁଛନ୍ତି। ତେବେ ଆପଣଙ୍କ ପାଇଁ ଭଲ ଖବର ରହିଚି। କାରଣ ଖୁବ୍ଶୀଘ୍ର ହ୍ବାଟ୍ସଆପ୍ ଏଭଳି ଏକ ଫିଚର ଆଣିବାକୁ ଯାଉଛି, ଯାହାଦ୍ବାରା ଆପଣ ଗୋଟିଏ ମୋବାଇଲରେ ହ୍ବାଟ୍ସଆପ୍ ବ୍ୟବହାର କରିପାରିବେ।
ବର୍ତ୍ତମାନ ସମୟରେ ୟୁଜର୍ସ ମୋବାଇଲରେ ଗୋଟିଏ ସମୟରେ କେବଳ ଗୋଟିଏ ହ୍ବାଟ୍ସଆପ୍ ଆକାଉଣ୍ଟର ବ୍ୟବହାର କରିପାରୁଛନ୍ତି। କିନ୍ତୁ ଯଦି ଅନ୍ୟ ହ୍ବାଟ୍ସଆପ୍ ଆକାଉଣ୍ଟ ଚଲାଇବାକୁ ହୁଏ, ତାହେଲେ ପ୍ରଥମେ ଗୋଟିଏ ଆକାଉଣ୍ଟକୁ ଲଗଆଉଟ୍ କରିବାକୁ ପଡ଼ିଥାଏ ତା’ପରେ ଯାଇ ଆଉ ଏକ ଆକାଉଣ୍ଟ ଖୋଲିବାକୁ ପଡ଼େ। କିମ୍ବା ଡୁଆଲ ଆପ୍ ସାହାଯ୍ୟରେ ହ୍ବାଟ୍ସଆପ୍ ବ୍ୟବହାର କରିବାକୁ ପଡ଼ିଥାଏ। କିମ୍ବା ପୁଣି ଅନ୍ୟ ଏକ ଡିଭାଇସର ବ୍ୟବହାର କରିବାକୁ ପଡ଼ିଥାଏ। କିନ୍ତୁ ଏବେ ଖୁବ୍ ଶୀଘ୍ର ହ୍ବାଟ୍ସଆପ୍ ଏଭଳି ଏକ ଫିଚର ଆଣିବାକୁ ଯାଉଛି। ଯାହାଦ୍ବାରା ଆପଣଙ୍କୁ ଏସବୁ କିଛି ବି କରିବାକୁ ପଡ଼ିବନି। ଆପଣ ଗୋଟିଏ ଡିଭାଇସରେ, ଗୋଟିଏ ହ୍ବାଟ୍ସଆପ୍ରେ ଦୁଇଟି ଆକାଉଣ୍ଟ ଚଲାଇପାରିବେ।
ଏହି ଫିଚରର ନାଁ ହେଉଛି ‘ଡୁଆଲ ହ୍ବାଟ୍ସଆପ୍ ଆକାଉଣ୍ଟ। ଏହାଦ୍ବାରା ୟୁଜର୍ସ ସହଜରେ ଆପ୍ରେ ହିଁ ଦୁଇଟି ଆକାଉଣ୍ଟକୁ ସ୍ବିଚ୍ କରିପାରିବେ। ଅର୍ଥାତ୍ ଆପ୍ରେ ହିଁ ଆପଣ ଗୋଟିଏ ଆକାଉଣ୍ଟରୁ ଆଉ ଗୋଟିଏ ଆକାଉଣ୍ଟକୁ ଯାଇପାରିବେ। ଏହାଦ୍ବାରା ଲଗ୍ ଆଉଟ୍ କରିବାକୁ ପଡ଼ିବନି କିମ୍ବା ପୁଣି ଆଉ ଏକ ଫୋନ୍ ଧରିବାକୁ ପଡ଼ିବନି। ଏହି ଫିଚର୍ସ ଆସିବାକୁ ଯାଉଥିବା ନେଇ ମେଟା ସିଇଓ ମାର୍କ ଜକରବର୍ଗ ଏହି ସୂଚନା ଦେଇଛନ୍ତି।