28.1 C
Bhubaneswar
Friday, July 19, 2024
Homeଦେଶ ବିଦେଶବର ଘରେ କଳାକନା ବୁଲାଇଲେ ନବବଧୂ

ବର ଘରେ କଳାକନା ବୁଲାଇଲେ ନବବଧୂ

ଲକ୍ଷ୍ନୌ: ନବବଧୂ ହୋଇ ଆସିଲେ ଲୁଟିଲେ । ଦୁଇ ଭଉଣୀ ଗୋଟିଏ ପରିବାର ଦୁଇ ଭାଇଙ୍କୁ ବିବାହ କରି ଘରେ କଳାକନା ବୁଲାଇଛନ୍ତି । ବାହାଘର ରାତିରେ ଶାଶୁଘର ଲୋକଙ୍କୁ କ୍ଷୀରିରେ ନିଶା ଦେଇ ଟଙ୍କା, ସୁନା ଓ ଉପହାର ଧରି ଚମ୍ପଟ ମାରିଛନ୍ତି । ଯାହାକୁ ନେଇ ଏବେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି । ଏଭଳି ଘଟଣା ଘଟିଛି ଉତ୍ତରପ୍ରଦେଶର ହରଦୋଇ ଜିଲ୍ଲା ତଣ୍ଡିଯୱା ଥାନା ଅନ୍ତର୍ଗତ ଭଦୟନ ଗାଁରେ । ପୋଲିସ ଲୁଟର ଶିକାର ହୋଇଥିବା ଲୋକଙ୍କ ଏତଲା ଆଧାରରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

ତଣ୍ଡିଯୱା ଥାନା ଅଧିକାରୀ ଅଶୋକ କୁମାର ସିଂହଙ୍କ ସୂଚନା ଅନୁଯାୟୀ, ଉଦୟନ ଗାଁର ପ୍ରଦୀପ ସିଂହ ଓ ତାଙ୍କ ସାନଭାଇ କୁଲଦୀପ ସିଂହଙ୍କ ବିବାହ ସୀତାପୁର ଜିଲ୍ଲା ଜାଲିମପୁର ଗାଁର ଦୁଇ ଭଉଣୀ ପୂଜା କୁମାରୀ ଓ  ଆରତୀ କୁମାରୀଙ୍କ ସହ ସ୍ଥିର ହୋଇଥିଲା । ଗତ ୨୨ ତାରିଖରେ ଉଦୟନ ଗାଁ ନିକଟସ୍ଥ ମନ୍ଦିରରେ ବିବାହ ହୋଇଥିଲା । ରାଜକୁମାର ନାମକ ଜଣେ ଯୁବକ ଏହି ବାହାଘରରେ ମଧ୍ୟସ୍ଥି ସାଜିଥିଲେ । ମଧ୍ୟସ୍ଥତା ବାବଦରେ ରାଜକୁମାର ୮୦ ହଜାର ଟଙ୍କା ମଧ୍ୟ ନେଇଥିଲେ । ବିବାହ ଶେଷ ହେବା ପରେ ରାତିରେ ଶାଶୁଘର ଲୋକେ ଦୁଇ ନବବଧୂଙ୍କୁ କ୍ଷୀରି କରିବାକୁ କହିଥିଲେ । ସେମାନ କ୍ଷୀରି ପ୍ରସ୍ତୁତ କରିବା ସହ ସେଥିରେ ନିଶା ମିଶାଇ ବର ସମତେ ସମସ୍ତଙ୍କୁ ଖାଇବାକୁ ଦେଇଥିଲେ । କ୍ଷୀରି ଖାଇ ସମସ୍ତେ ଅଚେତ ହୋଇଯାଇଥିଲେ । ଏହାର ସୁଯୋଗ ନେଇ ମଧ୍ୟସ୍ଥି ରାଜକୁମାର ସହ ଦୁଇ ନବବଧୂ ସମସ୍ତ ଟଙ୍କା, ସୁନା ଗହଣା ଓ ବିବାହରେ ମିଳିଥିବା ସମସ୍ତ ଉପହାର ଧରି ଚମ୍ପଟ ମାରିଥିଲେ ।

ତେବେ ରାତିଅଧରେ ଶାଶୁଘର ଲୋକଙ୍କ ହୋସ୍‌ ଆସିବା ପରେ ନବବଧୂ ଫେରାର ହୋଇଯାଇଥିବା ଜାଣିବାକୁ ପାଇଥିଲେ । ଏଥିସହ ମଧ୍ୟସ୍ଥିର ମଧ୍ୟ ଦେଖା ନଥିଲା । ତେଣୁ ବର ପରିବାର ଲୋକ ଶିବକନ୍ୟା ନିକଟସ୍ଥ ତଣ୍ଡିଯୱା ଥାନାରେ ଏତଲା ଦେଇଥିଲେ । ସେଥିରେ ସେ ଉଲ୍ଲେଖ କରିଛନ୍ତି ଯେ, ମଧ୍ୟସ୍ଥି ରାଜକୁମାର କହିଥିଲା କି ଦୁଇ ଭଉଣୀଙ୍କର ବାପା-ମା’ ନାହାନ୍ତି । ସେମାନେ ଅତ୍ୟନ୍ତ ଗରିବ ଏବଂ ସମ୍ପର୍କୀୟଙ୍କ ଘରେ ରହୁଛନ୍ତି । ସେଥିପାଇଁ ଦୁଇପୁଅଙ୍କ ବିବାହ କରିବାକୁ ସେ ରାଜି ହୋଇଥିଲେ । କିନ୍ତୁ ରାଜକୁମାର ଓ ଦୁଇଭଉଣୀ ସେମାନଙ୍କୁ ଧୋକା ଦେଇଛନ୍ତି । ପୋଲିସ ଆଇପିସିର ଦଫା ୪୨୦ ଓ ୪୧୯ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଅଭିଯୁକ୍ତମାନଙ୍କୁ ଧରିବା ଲାଗି ୪ଟି ସତନ୍ତ୍ର ଟିମ୍‌ ଗଠନ କରାଯାଇଛି । ପୋଲିସ ଜାଣିବାକୁ ପାଇଛି ଯେ ଜାଲିମପୁର ଗାଁରେ ରାଜକୁମାର ନାଁରେ କେହି ବ୍ୟକ୍ତି ନାହାନ୍ତି । ତା’ଛଡା ରାଜକୁମାର ଯେଉଁ ଆଧାର କାର୍ଡ ଦେଇଥିଲା ତାହା ମଧ୍ୟ ନକଲି ବୋଲି ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking