ତେଲ୍ ଆଭିଭ: ଗାଜା ଷ୍ଟ୍ରିପ୍ରେ ଇସ୍ରାଏଲ୍ ଓ ହାମାସ୍ ମଧ୍ୟରେ ଯୁଦ୍ଧ ଜାରି ରହିଥିବା ବେଳେ ଦକ୍ଷିଣ ଗାଜା ସମେତ ସାଧାରଣ ନାଗରିକ ଆଶ୍ରୟ ନେଇଥିବା ଯେଉଁସ୍ଥାନରେ ହାମାସ୍ ଆତଙ୍କୀଙ୍କ ଉପସ୍ଥିତି ଜଣାପଡ଼ିବ ସେଠାରେ ଆକ୍ରମଣ କରାଯିବ ବୋଲି ଇସ୍ରାଏଲ୍ କହିଛି । ହାମାସ୍ର ଅନ୍ତ ଘଟାଇବା ଉଦ୍ଦେଶ୍ୟରେ ଇସ୍ରାଏଲୀ ସେନା ଗାଜାର ଆଭ୍ୟନ୍ତରୀଣ ଅଞ୍ଚଳରେ ପ୍ରବେଶ କରିଥିବା ବେଳେ ଅଲ୍ ଶିଫା ହସ୍ପିଟାଲ୍ ଏବେ ଯୁଦ୍ଧକ୍ଷେତ୍ର ପାଲଟିଛି । ଯୁଦ୍ଧ ଯୋଗୁଁ ଗାଜାର ସବୁଠୁ ବଡ଼ ଏହି ହସ୍ପିଟାଲ୍ରେ ଅମ୍ଳଜାନ, ଇନ୍ଧନ ଓ ଅନ୍ୟାନ୍ୟ ମୌଳିକ ସାମଗ୍ରୀ ଶେଷ ହୋଇଯାଇଛି ।
ଫଳରେ ତିନିଜଣ ନବଜାତ ଶିଶୁଙ୍କ ସମେତ ୨୪ ଜଣ ରୋଗୀଙ୍କ ମୃତ୍ୟୁ ଘଟିଥିବା ପାଲେଷ୍ଟାଇନ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି । ସେହିପରି ବିଦ୍ୟୁତ୍ ବିଭ୍ରାଟ ଯୋଗୁଁ ଗୁରୁତ୍ୱପୂର୍ଣ୍ଣ ଚିକିତ୍ସା ଉପକରଣ କାର୍ଯ୍ୟ କରିବା ବନ୍ଦ ହୋଇଯାଇଛ । ଇସ୍ରାଏଲ୍ ସୈନ୍ୟମାନେ ଶନିବାରି ତୃତୀୟ ଦିନରେ ହସ୍ପିଟାଲ୍ରେ ଚଢ଼ଉ କରିଛନ୍ତି, ଯାହାକୁ ହାମାସ କମାଣ୍ଡ ସେଣ୍ଟର ଭାବେ ବ୍ୟବହାର କରୁଛି ବୋଲି ସେମାନେ ଦାବି କରୁଛନ୍ତି । ଇସ୍ରାଏଲ ପ୍ରତିରକ୍ଷା ବାହିନୀ (ଆଇଡିଏଫ୍) ହାମାସର ସୁଡଙ୍ଗର ଭିଡିଓ ଜାରି କରିଛି, ଯେଉଁଥିରେ ସେମାନେ ଦାବି କରିଛନ୍ତି ଯେ ହସ୍ପିଟାଲ୍ ପରିସରରୁ ଏହି ସୁଡ଼ଙ୍ଗ ମିଳିଛି । ସେହିପରି ଅଲ୍ ଶିଫାଠାରେ ଜଣେ ବନ୍ଧକଙ୍କ ମୃତଦେହ ମିଳିଥିବା ଆଇଡିଏଫ୍ ଦାବି କରିଛି ।
ଇସ୍ରାଏଲ ଦୁଇ ଦିନ ଧରି ସହାୟତା ବାହନକୁ ବନ୍ଦ କରି ଦେଇଥିବା ବେଳେ ସୀମିତ ଯୋଗାଣକୁ ଅନୁମତି ଦେବା ପାଇଁ ଆମେରିକାର ଅନୁରୋଧରେ ରାଜି ହେବା ପରେ ଇଜିପ୍ଟରୁ ଇନ୍ଧନର ପ୍ରଥମ କନ୍ସାଇନମେଣ୍ଟ ଗାଜାରେ ପ୍ରବେଶ କରିଥିଲା । ଉତ୍ତର ଗାଜା ଉପରେ ଆକ୍ରମଣ କରିବା ପରେ ଇସ୍ରାଏଲ୍ ନୂଆ ଚେତାବନୀ ଜାରି କରି ଦକ୍ଷିଣରେ ରହୁଥିବା ସାଧାରଣ ନାଗରିକଙ୍କୁ ଅନ୍ୟତ୍ର ସ୍ଥାନାନ୍ତର ହେବା ପାଇଁ କହିଛି ।
ଇସ୍ରାଏଲ ପ୍ରତିରକ୍ଷା ବାହିନୀର ମୁଖପାତ୍ର ଡାନିଏଲ ହାଗରୀ କହିଛନ୍ତି ଯେ, ହାମାସ ଯେଉଁଠି ରହିବ ସେଠାରେ ସେନା ଆଗକୁ ବଢ଼ିବ । ଆମେ ଆମର ଅଭିଯାନକୁ ଆଗକୁ ନେବା ପାଇଁ ଦୃଢ଼ ସଙ୍କଳ୍ପବଦ୍ଧ । ଦକ୍ଷିଣ ଗାଜା ସମେତ ଯେଉଁଠାରେ ହାମାସ ରହିଛି ସେଠାରେ ଏହି ଅଭିଯାନ ଚଳାଯିବ ବୋଲି ସେ କହିଛନ୍ତି ।