ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ପକ୍ଷରୁ ଶୁକ୍ରବାର ବରିଷ୍ଠ ଆଇପିଏସ୍ ଅଫିସର ଆଲୋକ ଶର୍ମାଙ୍କୁ ଏସ୍ପିଜି (ସ୍ପେଶାଲ ପ୍ରୋଟେକ୍ସନ ଗ୍ରୁପ୍) ମହାନିର୍ଦ୍ଦେଶକ ପଦରେ ନିଯୁକ୍ତି ଦିଆଯାଇଛି । ସୂଚନାଯୋଗ୍ୟ ପ୍ରଧାନମନ୍ତ୍ରୀ ଓ ତାଙ୍କ ପରିବାରବର୍ଗଙ୍କ ସୁରକ୍ଷା ଦାୟିତ୍ୱ ଏସ୍ପିଜି ବହନ କରିଥାଏ । ୧୯୯୧ ବ୍ୟାଚ୍ ଉତ୍ତର ପ୍ରଦେଶ କ୍ୟାଡର ଆଇପିଏସ୍ ଆଲୋକ ଶର୍ମା ୨୦୨୧ରୁ ଏସ୍ପିଜିର ଅତିରିକ୍ତ ମହାନିର୍ଦ୍ଦେଶକ ପଦରେ କାର୍ଯ୍ୟରତ ଅଛନ୍ତି ।
ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗଠିତ କ୍ୟାବିନେଟ ନିଯୁକ୍ତି କମିଟି ଆଲୋକଙ୍କ ନୂତନ ନିଯୁକ୍ତିକୁ ଅନୁମୋଦନ କରିଥିବା କୁହାଯାଇଛି । ଆଲୋକ ଇତିପୂର୍ବରୁ ୨୦୧୮ରେ ଏସ୍ପିଜି ଆଇଜି ଭାବେ କାର୍ଯ୍ୟ କରିଥିବାରୁ ଭିଭିଆଇପିଙ୍କ ସୁରକ୍ଷା ପ୍ରସଙ୍ଗରେ ଯଥେଷ୍ଟ ଅଭିଜ୍ଞତା ରହିଛି । ପୂର୍ବରୁ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ଏସ୍ପିଜି ସୁରକ୍ଷା ପ୍ରଦାନ କରୁଥିବାବେଳେ ବର୍ତ୍ତମାନ ସେମାନଙ୍କୁ ଜେଡ୍ ପ୍ଲସ୍ ସୁରକ୍ଷା ଯୋଗାଇ ଦିଆଯାଉଛି ।