27.1 C
Bhubaneswar
Saturday, October 19, 2024
Homeଦେଶ ବିଦେଶଧୂମପାନଜନିତ କ୍ୟାନ୍‌ସରରେ ବର୍ଷକୁ ୧୩ ଲକ୍ଷ ଜୀବନ ଯାଉଛି

ଧୂମପାନଜନିତ କ୍ୟାନ୍‌ସରରେ ବର୍ଷକୁ ୧୩ ଲକ୍ଷ ଜୀବନ ଯାଉଛି

ନୂଆଦିଲ୍ଲୀ: ଭାରତ ସମେତ ୭ ଦେଶରେ ଧୂମପାନଜନିତ କ୍ୟାନ୍‌ସରରେ ବର୍ଷକୁ ୧୩ ଲକ୍ଷରୁ ଅଧିକ ଲୋକଙ୍କ ଜୀବନ ଯାଉଛି । ଲାନ୍‌ସେଟ୍‌ର ଇ-କ୍ଲିନିକାଲ ମେଡିସିନ୍ ପତ୍ରିକାରେ ଏହି ଅଧ୍ୟୟନ ପ୍ରକାଶ ପାଇଛି । ଅନ୍ୟ ଦେଶଗୁଡ଼ିକ ହେଲେ ଚାଇନା, ବ୍ରିଟେନ୍‌, ବ୍ରାଜିଲ, ରୁଷିଆ, ଆମେରିକା ଏବଂ ଦକ୍ଷିଣ ଆଫ୍ରିକା । ବିଶ୍ୱରେ ପ୍ରତିବର୍ଷ କ୍ୟାନ୍‌ସରରେ ଯେତିକି ମୃତ୍ୟୁ ଘଟୁଛି, ତାହାର ଅଧାରୁ ଅଧିକ ଉପରୋକ୍ତ ୭ ଦେଶରେ ହେଉଛି । ଧୂମପାନ ସହିତ ମଦ୍ୟପାନ, ମେଦବହୁଳତା, ହ୍ୟୁମାନ୍ ପାପିଲୋମା ଭାଇରସ୍‌(ଏଚ୍‌ପିଭି) ସଂକ୍ରମଣ ଯୋଗୁ ମୋଟ ୨୦ ଲକ୍ଷ ଲୋକ ପ୍ରତିବର୍ଷ ପ୍ରାଣ ହରାଉଛନ୍ତି । ଅନ୍ତର୍ଜାତୀୟ କ୍ୟାନ୍‌ସର ଗବେଷଣା ସଂସ୍ଥା (ଆଇଏଆର୍‌ସି), ଲଣ୍ଡନର କୁଇନ୍ ମେରି ବିଶ୍ୱବିଦ୍ୟାଳୟ ଏବଂ କିଙ୍ଗସ୍ କଲେଜ ଲଣ୍ଡନର ଗବେଷକମାନେ ଏହି ଅଧ୍ୟୟନ କରିଛନ୍ତି । କର୍କଟ ରୋଗ ଯୋଗୁ ଆୟୁଷ କମୁଥିବା ଉପରେ ମଧ୍ୟ ସେମାନେ ଅଧ୍ୟୟନ କରିଥିଲେ । ଉପରୋକ୍ତ ୪ଟି ପ୍ରତିକାରାତ୍ମକ ରିସ୍କ ଫ୍ୟାକ୍ଟର ଯୋଗୁ ପ୍ରତିବର୍ଷ ୩୦ ନିୟୁତରୁ ଊର୍ଦ୍ଧ୍ୱ ବର୍ଷ ବୟସ କ୍ଷୟ ହେଉଛି । ଆୟୁଷ ହ୍ରାସ ପାଇବାରେ ସବୁଠୁ ବଡ଼ ପ୍ରଭାବ ଧୂମପାନର ରହିଛି । ଏଥିପାଇଁ ଜୀବନର ୨୦.୮ ନିୟୁତ ବର୍ଷ ହ୍ରାସ ପାଉଥିବା ଗବେଷଣାରେ କୁହାଯାଇଛି ।

ସାରା ବିଶ୍ୱରେ ପ୍ରତି ୨ ମିନିଟ୍‌ରେ ସର୍ଭିକାଲ କ୍ୟାନ୍‌ସରରେ ଜଣେ ବ୍ୟକ୍ତି ପ୍ରାଣ ହରାଉଛନ୍ତି । ଏହି ମୃତ୍ୟୁର ପ୍ରାୟ ୯୦ ପ୍ରତିଶତ ନିମ୍ନ ଏବଂ ମଧ୍ୟମ ଆୟକାରୀ ଦେଶରେ ଘଟୁଛି । ବିସ୍ତୃତ ଯାଞ୍ଚ ଏବଂ ଏଚ୍‌ପିଭି ଟିକାକରଣ କାର୍ଯ୍ୟକ୍ରମ ଦ୍ୱାରା ଏହାକୁ ଯଥେଷ୍ଟ କମାଇ ଦିଆଯାଇପାରିବ ବୋଲି କୁଇନ୍ ମେରି ୟୁନିଭର୍ସିଟିର ବରିଷ୍ଠ ଅଧ୍ୟାପକ ଜୁଡ଼ିଥ୍ ଅଫ୍‌ମାନ କହିଛନ୍ତି । ଭାରତରେ ମସ୍ତିଷ୍କ ଓ ଗଳା କର୍କଟ ଯୋଗୁ ସମୟ ପୂର୍ବରୁ ଅଧିକ ପୁରୁଷଙ୍କ ମୃତ୍ୟୁ ହେଉଥିଲାବେଳେ ଜିନାକୋଲୋଜିକାଲ କ୍ୟାନ୍‌ସରରେ ଅଧିକ ମହିଳା କମ୍ ବୟସରେ ପ୍ରାଣ ହରାଉଛନ୍ତି । ଧୂମପାନ ଯୋଗୁ ଫୁସ୍‌ଫୁସ୍ କ୍ୟାନ୍‌ସରରେ ଜୀବନର ଅଧିକାଂଶ ବୟସ ହରାଇବାକୁ ପଡ଼ୁଛି । ସାଧାରଣତଃ ଧୂମପାନ ଓ ମଦ୍ୟପାନ ଜନିତ କ୍ୟାନ୍‌ସରରେ ଅଧିକ ସଂଖ୍ୟାରେ ପୁରୁଷଙ୍କର ଆୟୁଷ ପୂର୍ବରୁ ମୃତ୍ୟୁ ଘଟୁଛି । ଭାରତ, ଚାଇନା, ରୁଷିଆରେ ଏଭଳି ସମୟ ପୂର୍ବରୁ ମୃତ୍ୟୁ ମହିଳାଙ୍କ ତୁଳନାରେ ପୁରୁଷମାନଙ୍କ କ୍ଷେତ୍ରରେ ୯ ଗୁଣ ଅଧିକ । ଅନ୍ୟପକ୍ଷରେ ମେଦବହୁଳତା ଓ ଏଚ୍‌ପିଭି ସଂକ୍ରମଣଜନିତ କ୍ୟାନ୍‌ସରରେ ପୁରୁଷଙ୍କ ତୁଳନାରେ ଅଧିକ ମହିଳାଙ୍କ ମୃତ୍ୟୁ ହେଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking