ଔଗାଦୌଗାଉ: ଆଫ୍ରିକୀୟ ରାଷ୍ଟ୍ର ବୁର୍କିନା ଫାସୋରେ ଦୁର୍ବୃତ୍ତମାନେ ରବିବାର ଏକ ଗ୍ରାମରେ ପ୍ରବେଶ କରି ୭୦ ଜଣ ନୀରିହ ଲୋକଙ୍କୁ ହତ୍ୟା କରିଥିବା ଜଣାପଡିଛି । ବୌସଲା ସହରଠାରୁ ୬୦ କିମି ଦୂର ଜାଓଙ୍ଗୋ ଗ୍ରାମରେ ଏହି ନରସଂହାର ଘଟିଛି । ବୁର୍କିନା ଫାସୋରେ ଅଲ୍ କାଏଦା ଓ ଆଇଏସ୍ ଆତଙ୍କବାଦୀମାନେ ଦୀର୍ଘ ବର୍ଷ ଧରି ଆତଙ୍କରାଜ ଚଳାଇଥିବାବେଳେ ସହସ୍ରାଧିକ ଲୋକଙ୍କର ମୃତ୍ୟୁ ଘଟିସାରିଛି ଏବଂ ୨୦ ଲକ୍ଷ ଲୋକ ବାସଚ୍ୟୁତ ହୋଇସାରିଲେଣି ।
ତେବେ ମୃତକଙ୍କ ସଂଖ୍ୟା ୧୦୦ ଅତିକ୍ରମ କରିଛି ବୋଲି ୟୁରୋପୀୟ ସଂଘ ପକ୍ଷରୁ ଦାବି କରାଯାଇଛି । ୨୦୨୨ ସେପ୍ଟେମ୍ବରରେ କ୍ୟାପଟେନ୍ ଇବ୍ରାହିମ ଟ୍ରାଓରେ କ୍ଷମତା ଅକ୍ତିଆର କରିବାପରେ ବୁର୍କିନା ଫାସୋରେ ନିୟମିତ ବ୍ୟବଧାନରେ ଏଭଳି ନରସଂହାର ଘଟୁଥିବା ସରକାରୀଭାବେ କୁହାଯାଇଛି ।