ଆଇଜଲ: ଆତଙ୍କବାଦୀ ସଂଗଠନର ଆକ୍ରମଣ ଭୟରେ ଭାରତ ସୀମାରେ ପ୍ରବେଶ କରିଥିବା ୪୦ ଜଣ ମିଆଁମାର ସୈନ୍ୟଙ୍କୁ ମଙ୍ଗଳବାର ପୁଣି ସ୍ୱଦେଶ ପଠାଇ ଦିଆଯାଇଛି । ସୂଚନାଯୋଗ୍ୟ ମିଆଁମାରରେ ସକ୍ରିୟ ଥିବା ଆତଙ୍କବାଦୀ ସଂଗଠନ ପିଡିଏଫ୍ (ପିପୁଲ୍ସ ଡିଫେନ୍ସ ଫୋର୍ସ) ପକ୍ଷରୁ ନିକଟରେ ଚିନ୍ ପ୍ରଦେଶରେ ଥିବା ଦୁଇଟି ସେନା ଶିବିର ଉପରେ ୁଆକ୍ରମଣ କରାଯାଇଥିଲା ।
ଏଥିରେ ଭୟଭୀତ ହୋଇ ୪୩ ଜଣ ସୈନ୍ୟ ସୋମବାର ସୀମା ସଂଲଗ୍ନ ମିଜୋରାମର ଚମ୍ପାଇ ଜିଲ୍ଲାରେ ପ୍ରବେଶ କରି ମିଜୋରାମ ପୁଲିସର ଶରଣାପନ୍ନ ହୋଇଥିଲେ । ମିଜୋରାମ ପୁଲିସ ଆସାମ ରାଇଫଲ୍ସ ଜରିଆରେ ଏହି ୪୦ ସୈନ୍ୟଙ୍କୁ ମିଆଁମାର ଜୁନ୍ତା ସରକାରଙ୍କୁ ହସ୍ତାନ୍ତର କରିଥିବା ଜଣାପଡିଛି । ବୁଧବାର ଅନ୍ୟ ୩ ଜଣ ସୈନ୍ୟଙ୍କୁ ମଧ୍ୟ ସ୍ୱଦେଶ ପଠାଇ ଦିଆଯିବ ବୋଲି ଆସାମ ରାଇଫଲ୍ସ ପକ୍ଷରୁ କୁହାଯାଇଛି । ମିଆଁମାର ବାୟୁସେନା ଆକ୍ରମଣରେ ୭ ଜଣ ପିଡିଏଫ୍ ସଦସ୍ୟ ପ୍ରାଣ ହରାଇବାପରେ ସେମାନେ ପ୍ରତିଶୋଧ ପରାୟଣ ହୋଇ ସେନା ଶିବିର ଉପରେ ପ୍ରଚଣ୍ଡ ଆକ୍ରମଣ କରିଥିଲେ ।