30.1 C
Bhubaneswar
Friday, September 20, 2024
Homeଖେଳଜୁନିୟର୍ ପୁରୁଷ ହକି ବିଶ୍ୱକପ୍ ପାଇଁ ଟିମ୍ ଘୋଷଣା

ଜୁନିୟର୍ ପୁରୁଷ ହକି ବିଶ୍ୱକପ୍ ପାଇଁ ଟିମ୍ ଘୋଷଣା

ନୂଆଦିଲ୍ଲୀ: ମାଲେସିଆ ରାଜଧାନୀ କୁଆଲାମ୍ପୁର୍‌ରେ ଡିସେମ୍ବର ୫ରୁ ୧୬ ପର୍ଯ୍ୟନ୍ତ ହେବାକୁ ଥିବା ଏଫ୍‌ଆଇଏଚ୍ ପୁରୁଷ କନିଷ୍ଠ ହକ ବିଶ୍ୱକପ୍ ପାଇଁ ହକି ଇଣ୍ଡିଆ ମଙ୍ଗଳବାର ଭାରତୀୟ ଟିମ୍ ଘୋଷଣା କରିଛି । ୨୦ ଜଣିଆ ଟିମ୍‌ର ନେତୃତ୍ୱ ଉତ୍ତମ ସିଂହଙ୍କୁ ପ୍ରଦାନ କରାଯାଇଥିବା ବେଳେ ଅରାଇଜିତ୍ ସିଂହଙ୍କୁ ତାଙ୍କ ଡେପୁଟି ନିଯୁକ୍ତ କରାଯାଇଛି । ସେହିପରି ଓଡ଼ିଶାର ତିନିଜଣ ଖେଳାଳି ଅମନଦୀପ୍ ଲାକ୍ରା, ସିରିଲ୍ ଲୁଗୁନ୍ ଓ ଲାବନ ଲୁଗୁନ୍‌ଙ୍କୁ ଟିମ୍‌ରେ ସ୍ଥାନ ମିଳିଛି । ଭାରତ ଟୁର୍ଣ୍ଣାମେଣ୍ଟ୍‌ର ପୁଲ୍‌-ସି’ରେ କାନାଡା, ଦକ୍ଷିଣ କୋରିଆ ଓ ସ୍ପେନ୍ ସହ ସ୍ଥାନ ପାଇଛି । ଟିମ୍ ଡିସେମ୍ବର ୫ରେ କୋରିଆ ବିପକ୍ଷ ମ୍ୟାଚ୍‌ରୁ ନିଜର ଅଭିଯାନ ଆରମ୍ଭ କରିବ ।

ଏହାପରେ ଡିସେମ୍ବର ୭ ଓ ୯ରେ ଯଥାକ୍ରମେ ସ୍ପେନ୍ ଓ କାନାଡାକୁ ଭେଟିବ । ଟୁର୍ଣ୍ଣାମେଣ୍ଟ୍‌ର ପୁଲ୍‌-ଏ’ରେ ଡିଫେଣ୍ଡିଂ ଚାମ୍ପିଅନ୍ ଆର୍ଜେଣ୍ଟିନା, ଅଷ୍ଟ୍ରେଲିଆ, ଚିଲି ଓ ଆୟୋଜକ ମାଲେସିଆ ସ୍ଥାନ ପାଇଥିବା ବେଳେ ପୁଲ୍‌-ବି’ରେ ଇଜିପ୍ଟ, ଫ୍ରାନ୍ସ, ଜର୍ମାନୀ ଓ ସାଉଥ୍ ଆଫ୍ରିକା ରହିଛନ୍ତି । ସେହିପରି ପୁଲ୍‌-ଡି’ରେ ବେଲ୍‌ଜିୟମ୍‌, ନେଦରଲାଣ୍ଡ୍‌ସ, ନ୍ୟୁଜିଲାଣ୍ଡ ଓ ପାକିସ୍ତାନ କ୍ୱାର୍ଟର୍ ଫାଇନାଲ୍ ସ୍ଥାନ ପାଇ ମୁକାବିଲା କରିବେ । କ୍ୱାର୍ଟର୍ ଫାଇନାଲ୍ ମ୍ୟାଚ୍ ଡିସେମ୍ବର ୧୨ରେ ଖେଳାଯିବ । ଏହାପରେ ଡିସେମ୍ବର ୧୪ରେ ସେମିଫାଇନାଲ୍ ଏବଂ ୧୬ରେ ଫାଇନାଲ୍ ମ୍ୟାଚ୍ ଅନୁଷ୍ଠିତ ହେବ । ଟୁର୍ଣ୍ଣାମେଣ୍ଟ୍‌ର ଗତ ସଂସ୍କରଣରେ ଭାରତ ଅଳ୍ପକେ ବ୍ରୋଞ୍ଜ୍ ପଦକରୁ ବଞ୍ଚିତ ହୋଇ ଚତୁର୍ଥ ସ୍ଥାନରେ ରହିଥିଲା । ତେବେ ଚଳିତ ଟୁର୍ଣ୍ଣାମେଣ୍ଟ୍‌ରେ ଟିମ୍ ଟାଇଟଲ୍ ବିଜୟ ପାଇଁ ସମସ୍ତ ପ୍ରୟାସ ଜାରି ରଖିଛି ।

ଟିମ୍ ଚୟନ ସମ୍ପର୍କରେ ଭାରତୀୟ ଜୁନିୟର୍ ପୁରୁଷ ଟିମ୍‌ର କୋଚ୍ ସିଆର୍ କୁମାର କହିଛନ୍ତି, ଏସୀୟ ଚାମ୍ପିଅନ୍ ଭାବେ ବିଶ୍ୱ ମଞ୍ଚରେ ନିଜ ଦକ୍ଷତା ପ୍ରଦର୍ଶନର ସୁଯୋଗ ଆମକୁ ଉତ୍ସାହିତ କରିଛି । ପୂର୍ବ ଜୁନିୟର୍ ଟୁର୍ଣ୍ଣାମେଣ୍ଟ୍‌ଗୁଡ଼ିକରେ ଆମର ଟ୍ରାକ୍ ରେକର୍ଡ ସକାରାତ୍ମକ ରହିଛି, ଯାହା ଉଚ୍ଚ ସ୍ତରରେ ପ୍ରତିଦ୍ୱନ୍ଦ୍ୱିତା ପାଇଁ ଆମର ସାମର୍ଥ୍ୟ ଉପରେ ବିଶ୍ୱାସ ସୃଷ୍ଟି କରିଛି । ଏଥର ଆମେ ଏକ ଶକ୍ତିଶାଳୀ ଟିମ୍ ପ୍ରସ୍ତୁତ କରିଛୁ ଯାହା ଜୁନିୟର୍ ବିଶ୍ୱକପ୍‌ରେ ଆମ ଆଭିମୁଖ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଆଣିବ । ଏହା ବ୍ୟତୀତ ୨୦୧୬ ଜୁନିୟର୍ ବିଶ୍ୱକପ୍ ବିଜେତା ଟିମ୍ ଦ୍ୱାରା ସୃଷ୍ଟି ହୋଇଥିବା ଐତିହ୍ୟରୁ ଆମେ ପ୍ରେରଣା ପାଇଛି ଏବଂ ଏହା ଯେଉଁ ଆଶା ସୃଷ୍ଟି କରିଛି, ତାହା ପୂରଣ କରିବାକୁ ଆମେ ଆଗ୍ରହୀ । ଏହି ପ୍ରୟାସରେ ଆମକୁ ସହାୟତା କରିବା ପାଇଁ ଭୁବନେଶ୍ୱରରେ ଅନୁଷ୍ଠିତ ଗତ ବିଶ୍ୱକପ୍‌ର କେତେକ ଅଭିଜ୍ଞ ଖେଳାଳି ଟିମ୍‌ରେ ଅଛନ୍ତି । ସେମାନେ ନେତୃତ୍ୱ ଭୂମିକା ନିର୍ବାହ କରିବେ ଏବଂ ସାଥୀ ଖେଳାଳିଙ୍କୁ ମାର୍ଗଦର୍ଶନ କରିବେ । ଜୁନିୟର ବିଶ୍ୱକପ୍‌ରେ ବିଜୟ ହାସଲ କରିବା ଆମର ପ୍ରାଥମିକତା ଏବଂ ଏହି ଲକ୍ଷ୍ୟ ହାସଲ ଦିଗରେ ଆମେ ଦୃଢ଼ ପ୍ରତିଶ୍ରୁତିବଦ୍ଧ ବୋଲି ସେ କହିଛନ୍ତି ।

ଭାରତୀୟ ଜୁନିୟର୍ ପୁରୁଷ ଟିମ୍‌: ଗୋଲ୍‌କିପର୍‌- ମୋହିତ ଏଚ୍‌ଏସ୍‌, ରଣବିଜୟ ସିଂହ ଯାଦବ; ଡିଫେଣ୍ଡର୍‌: ଶାରଦାନନ୍ଦ ତିୱାରୀ, ଅମନଦୀପ୍ ଲାକ୍ରା, ରୋହିତ, ସୁନୀଲ୍ ଜୋଜୋ, ଅମୀର ଅଲୀ; ମିଡ୍‌ଫିଲ୍ଡର୍‌: ବିଷ୍ଣୁକାନ୍ତ ସିଂହ, ପୂଭାନ୍ନା ସିବି, ରାଜିନ୍ଦର ସିଂହ, ଅମନଦୀପ୍‌, ଆଦିତ୍ୟା ସିଂହ; ଫରଓର୍ଲ୍ଡ- ଉତ୍ତମ ସିଂହ (କ୍ୟାପ୍‌ଟେନ୍‌), ଆଦିତ୍ୟ ଲାଲାଗେ, ଅରାଇଜିତ୍ ସିଂହ ହୁଣ୍ଡାଲ (ଭାଇସ୍ କ୍ୟାପ୍‌ଟେନ୍‌), ସୌରଭ ଆନନ୍ଦ ଖୁସ୍‌ୱା, ସୁଦୀପ ଚିର୍‌ମାକୋ, ବବି ସିଂହ ଧାମି ।
ବଦଳ ଖେଳାଳି: ସୁଖବିନ୍ଦର, ସୁନୀତ୍ ଲାକ୍ରା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking