ନୂଆଦିଲ୍ଲୀ: ବିମାନ ଯାତ୍ରାକୁ ଅଧିକ ସୁରକ୍ଷିତ କରିବା ଲକ୍ଷ୍ୟରେ ପାଇଲଟ୍ମାନେ ଯେପରି ଅଧିକ ସମୟ ବିଶ୍ରାମ ସମୟ ପାଇବେ, ସେଥିପାଇଁ ସେମାନଙ୍କର ରାତ୍ରୀକାଳୀନ କାର୍ଯ୍ୟ ନିର୍ଘଣ୍ଟ ହ୍ରାସ କରିବାକୁ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ) କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି । ତଦନୁଯାୟୀ ରାତିରେ ବିମାନ ଉଡାଉଥିବା ପାଇଲଟ୍ ଏଣିକି ୧୩ ଘଣ୍ଟା ପରିବର୍ତ୍ତେ ୧୦ ଘଣ୍ଟା ଡ୍ୟୁଟି କରିବେ ବୋଲି ଜଣାପଡିଛି ।
ଫଳରେ ଗୋଟିଏ ସପ୍ତାହରେ ପାଇଲଟ୍ଙ୍କ ବିଶ୍ରାମ ସମୟ ୩୬ ଘଣ୍ଟାରୁ ୪୮ ଘଣ୍ଟାକୁ ବୃଦ୍ଧି ପାଇବ । ଆବଶ୍ୟକ ବିଶ୍ରାମ ଅଭାବ ଯୋଗୁଁ ପାଇଲଟ୍ଙ୍କ ଉପରେ ମାନସିକ ତଥା ଶାରିରୀକ ଚାପ ପଡୁଛି । ବିଶେଷ କରି ଦିନରେ ବିମାନ ଉଡାଇବାପରେ ସେମାନେ ଆବଶ୍ୟକ ସମୟ ବିଶ୍ରାମ ନେଇପାରୁନଥିବାବେଳେ ପୁଣି ସେମାନଙ୍କୁ ରାତିରେ ବିମାନ ଉଡାଇବାକୁ ପଡୁଛି । ଏଥିଯୋଗୁଁ ବିମାନ ଯାତ୍ରା ଅସୁରକ୍ଷିତ ହୋଇପଡିବାର ଆଶଙ୍କା ଉପୁଜିଛି । କେତେକ ପାଇଲଟ୍ ଏହି କାରଣରୁ କକ୍ପିଟରେ ଢୁଳାଉଥିବା ମଧ୍ୟ ନଜରକୁ ଆସିଛି ।
ଏୟାରଲାଇନ୍ସଗୁଡିକରେ ପାଇଲଟ୍ଙ୍କ ଅଭାବ ରହିଥିବାରୁ ପ୍ରତ୍ୟେକ ପାଇଲଟ୍ଙ୍କ ଉପରେ ଅତିରିକ୍ତ କାର୍ଯ୍ୟ ଚାପ ପଡୁଛି । ଗତ ଅଗଷ୍ଟରେ ଇଣ୍ଡିଗୋ ଏୟାରଲାଇନ୍ସର ଜଣେ ପାଇଲଟ୍ ବିମାନ ଉଡାଉଥିବାବେଳେ କକ୍ପିଟ୍ରେ ଅଚେତ ହୋଇ ପ୍ରାଣ ହରାଇଥିଲେ । ସେପ୍ଟେମ୍ବରରେ ଏଭଳି ଅବସ୍ଥା ଯୋଗୁଁ ଅନ୍ୟ ଏକ ଏୟାରଲାଇନ୍ସର ପାଇଲଟ୍ ଭୁଲ୍ ରନ୍ୱେରେ ବିମାନକୁ ଅବତରଣ କରିଥିଲେ । ସୌଭାଗ୍ୟବଶତଃ ସେହି ସମୟରେ ଉକ୍ତ ରନ୍ୱେରୁ କୌଣସି ବିମାନ ଉଡାଣ କିମ୍ବା ଅବତରଣ କରୁନଥିବାରୁ ଦୁର୍ଘଟଣା ଟଳିଯାଇଥିଲା ।
ଏପରିକି ଏହି ସମସ୍ୟାର ସମାଧାନ କରିବାକୁ ପାଇଲଟ୍ ଆସୋସିଏସନ ପକ୍ଷରୁ ଡିଜିସିଏ କର୍ତ୍ତୃପକ୍ଷଙ୍କୁ ସ୍ମାରକପତ୍ର ଦିଆଯାଇଥିଲା । ଏହି ପରିପ୍ରେକ୍ଷୀରେ ରାତିରେ ବିମାନ ଉଡାଉଥିବା ପାଇଲଟ୍ଙ୍କ କାର୍ଯ୍ୟ ନିର୍ଘଣ୍ଟ ହ୍ରାସ କରିବାକୁ ନିଷ୍ପତ୍ତି ନିଆଯାଇଛି । ପ୍ରସ୍ତାବ ସମ୍ପର୍କରେ ପାଇଲଟ୍ ସଂଘ ଓ ଏୟାରଲାଇନ୍ସ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିବାପରେ ଚୂଡାନ୍ତ ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି କୁହାଯାଇଛି ।