27.1 C
Bhubaneswar
Sunday, October 20, 2024
Homeଦେଶ ବିଦେଶମେକ୍ସିକୋରେ ଘୂର୍ଣ୍ଣିଝଡର ତାଣ୍ଡବଲୀଳା; ୪୮ ମୃତ, ବଢୁଛି ଦୁର୍ଦ୍ଦଶା

ମେକ୍ସିକୋରେ ଘୂର୍ଣ୍ଣିଝଡର ତାଣ୍ଡବଲୀଳା; ୪୮ ମୃତ, ବଢୁଛି ଦୁର୍ଦ୍ଦଶା

ମେକ୍ସିକୋ: ମେକ୍ସିକୋରେ ତାଣ୍ଡବ ରଚିଛି ପ୍ରଳୟଙ୍କାରୀ ଘୂର୍ଣ୍ଣିଝଡ । ଗତ ବୁଧବାର ଦିନ ଦକ୍ଷିଣ ମେକ୍ସିକୋର ଆକାପୁଲ୍କୋଠାରେ ଘୂର୍ଣ୍ଣିଝଡ ଓଟିସ ଲ୍ୟାଣ୍ଡଫଲ କରିଥିଲା । ପାଣିପାଗ ବିଭାଗର ସୂଚନା ଠାରୁ ବେଶ ଅଧିକ ଶକ୍ତିଶାଳୀ ଥିଲା ଏହି ଘୂର୍ଣ୍ଣଝଡ । ଏହାର ପ୍ରଭାବରେ ଦକ୍ଷିଣ ମେକ୍ସିକୋର ଅନେକ ଅଞ୍ଚଳ ଧ୍ୱଂସବିଧ୍ୱଂସ ହୋଇଯାଇଛି । ଏହି ପ୍ରାକୃୃତିକ ବିପର୍ଯ୍ୟୟ ପ୍ରଭାବରେ ମୃତ୍ୟୁସଂଖ୍ୟା ୪୩ ଛୁଇଁଥିବା ବେଳେ ସେମାନଙ୍କ ମଧ୍ୟରେ ୩୩ ଜଣ ପୁରୁଷ ଓ ୧୦ଜଣ ମହିଳା ରହିଛନ୍ତି । ତେବେ ୩୪୦ ଜଣ ମେକ୍ସିକୋ ଅଧିକାରୀଙ୍କ ଦ୍ୱାରା ସୁରକ୍ଷିତ ଉଦ୍ଧାର ହୋଇଥିବା ନେଇ ରବିବାର ଦିନ ସୂଚନା ଦେଇଛନ୍ତି ଗୁଏରେରୋ ଗଭର୍ଣ୍ଣର ଏଭେଲ୍ୟାନ ସାଲ୍ଗାଡୋ ପିନେଡା । ଗତ ରବିବାର ଦିନ ସୋସିଆଲ ମିଡିଆ ଫେସବୁକ ମାଧ୍ୟମରେ ଗୁଏରିଓ ସହରରେ ଘୂର୍ଣ୍ଣିଝଡ ଘଟାଇଥିବା ବିଧ୍ୱଂସୀଲୀଳା ବିଷୟରେ ସୂଚନା ଦେଇଛନ୍ତି ଗୁଏରେରୋ ଗଭର୍ଣ୍ଣର ଏଭେଲ୍ୟାନ ସାଲ୍ଗାଡୋ ପିନେଡା । ଘୂର୍ଣ୍ଣିଝଡ଼ ତାଣ୍ଡବରେ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇ ୪୮ ପହଞ୍ଚିଥିବା ନେଇ ସେ ସୂଚନା ଦେଇଛନ୍ତି ।

ଏଥିସହ ଏବେ ମଧ୍ୟ ୩୬ ଜଣ ନିଖୋଜ ଥିବାବେଳେ ୩୪୦ ଜଣଙ୍କୁ ଉଦ୍ଧାର କରାଯାଇଛି । ବୁଧବାର ଦିନ ମଧ୍ୟରାତ୍ରିରେ ଆକାପୁଲ୍କୋ ଠାରେ ଘୂର୍ଣ୍ଣିଝଡ ଓଟିସ ଲ୍ୟାଣ୍ଡଫଲ କରିଥିଲା । ଘଣ୍ଟାପ୍ରତି ପାଖାପାଖି ୧୬୫ କି.ମି ବେଗରେ ପବନ ବହିବା ସହ ମେକ୍ସିକୋର ପ୍ରମୁଖ ପର୍ଯ୍ୟଟନସ୍ଥଳୀକୁ ଧ୍ୱଂସବିଧ୍ୱଂସ କରିଦେଇଥିଲା । ଏହି ଝଡକୁ କାଟାଗୋରୀ ୫ରେ ଅନ୍ତର୍ଭୂକ୍ତ କରାଯାଇଛି । ଝଡରେ ପାଖାପାଖି ୨୨୦, ୦୩୫ ଘର ପ୍ରଭାବିତ ହୋଇଥିବା ବେଳେ ୮୦ ପ୍ରତିଶତ ହୋଟେଲ ଅର୍ଥାତ ୬୦୦ ହୋଟେଲ ଓ ୧୨୦ ହସ୍ପିଟାଲରେ ଏହି ଝଡ଼ ପ୍ରଭାବରେ କ୍ଷତିଗ୍ରସ୍ତ ହୋଇଛନ୍ତି । ଅନେକ ରେଷ୍ଟ୍ରୁରାଣ୍ଟ ଓ ବ୍ୟବସାୟ ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଛି । ଉଦ୍ଧାରକାର୍ଯ୍ୟ ପାଇଁ ୧୦ହଜାରରୁ ଉର୍ଦ୍ଧ୍ୱ ସୁରକ୍ଷାକର୍ମୀଙ୍କୁ ନିୟୋଜିତ କରାଯାଇଛି । ପୀଡ଼ିତମାନଙ୍କ ପାଖରେ ଅତ୍ୟାବଶକୀୟ ସାମଗ୍ରୀ ପହଞ୍ଚାଇବା ପାଇଁ ନିରନ୍ତର ପ୍ରୟାସ ଜାରି ରଖିଛନ୍ତି ମେକ୍ସିକୋ ସେନା ଓ ନୌସେନା । କିଛି ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ବର୍ତ୍ତମାନ ସୁଦ୍ଧା ମଧ୍ୟ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଘୂର୍ଣ୍ଣିଝଡ଼ ଏତେ ଶକ୍ତିଶାଳୀ ଥିଲା ଯେ ଏହାର ପ୍ରଭାବରେ ବିଜୁଳି, ପାଣି, ଟେଲିଫୋନ୍ ସେବା ଠପ ହୋଇଯାଇଥିଲା । ବଡ଼ ବଡ଼ ବୃକ୍ଷ ଭାଙ୍ଗି ରାସ୍ତାରେ ପଡ଼ିବାରୁ ରାସ୍ତାରେ ଯାତାୟାତ ବାଧାପ୍ରାପ୍ତ ହୋଇଛି । ଏଥିସହ ବିଭିନ୍ନ ସ୍ଥାନରେ ମାଟି ଅତଡ଼ା ଖସିବାରୁ ରାସ୍ତା ଘାଟ ବନ୍ଦ ହୋଇ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା । ଆକାପୁଲ୍କୋ ଅନ୍ତର୍ଜାତୀୟ ବିମାନ ବନ୍ଦର ମଧ୍ୟ ଏହି ଘୂର୍ଣ୍ଣିଝଡ଼ ପ୍ରଭାବରେ ପ୍ରଭାବିତ ହୋଇଥିଲା । ୧୦ହଜାରରୁ ଉର୍ଦ୍ଧ୍ୱ ସେନା ଆକାପୁଲକୋ ଅଞ୍ଚଳରେ ଉଦ୍ଧାର ଓ ସହାୟତା କାର୍ଯ୍ୟ ଜାରି ରଖିଛନ୍ତି । ଝଡ଼ ପ୍ରପୀଡ଼ିତ ଲୋକମାନଙ୍କ ନିକଟରେ ଅତ୍ୟବଶକୀୟ ସାମଗ୍ରୀ ଯୋଗାଇ ଦିଆଯାଉଛି । ରାସ୍ତାଘାଟରୁ ଗଛ ଗୁଡିକୁ ହଟାଯାଇ ଯାତାୟତ ସ୍ୱାଭାବିକ କରାଯାଉଛି । ଯୁଦ୍ଧକାଳୀନ ଭିତ୍ତିରେ ମରାମତି କାର୍ଯ୍ୟ ଓ ପୁନଃରୁଦ୍ଧାର କାର୍ଯ୍ୟ କରାଯିବା ସହ ବିଜୁଳି, ଫୋନ୍ ସେବା ଯୋଗାଇଦେବାକୁ ଚେଷ୍ଟା ଜାରି ରହିଛି । ଏହି ଘୂର୍ଣ୍ଣିିଝଡ଼ ପ୍ରଭାବରେ ପାଖାପାଖି ୧୫ ଆରବ ଡଲାରର କ୍ଷୟକ୍ଷତି ହୋଇଥିବା ପ୍ରାରମ୍ଭିକ ସ୍ତରରେ ଅନୁମାନ କରାଯାଉଛି । ତେବେ ଧୀରେଧୀରେ ସ୍ୱାଭାବିକ ଅବସ୍ଥାକୁ ଫେରୁଛି ଆକାପୁଲ୍କୋ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking