ରାମପୁର: ଜନ୍ମ ପ୍ରମାଣପତ୍ର ଜାଲିଆତି ମାମଲାରେ ଉତ୍ତର ପ୍ରଦେଶର ରାମପୁରସ୍ଥିତ ଏମ୍ପି/ଏମଏଲଏ କୋର୍ଟ ବୁଧବାର ସମାଜବାଦୀ ପାର୍ଟି ନେତା ଆଜମ ଖାନ୍, ତାଙ୍କ ପତ୍ନୀ ତାଜିନ୍ ଫାତିମା ଏବଂ ପୁତ୍ର ଅବଦୁଲ୍ଲା ଆଜମଙ୍କୁ ଦୋଷୀସାବ୍ୟସ୍ତ କରିବା ସହ ପ୍ରତ୍ୟେକଙ୍କୁ ୭ ବର୍ଷ ଜେଲ୍ ଦଣ୍ଡାଦେଶ ପ୍ରଦାନ କରିଛନ୍ତି । ଅଦାଲତଙ୍କ ରାୟ ପ୍ରକାଶ ପାଇବାପରେ ତିନି ଦୋଷୀଙ୍କୁ ଜେଲ୍ ପଠାଯାଇଛି । ଆଜମ୍ ଓ ଫାତିମା ୧୯୯୦ ଓ ୧୯୯୩ରେ ପୁତ୍ର ଅବଦୁଲ୍ଲାଙ୍କ ପାଇଁ ଲକ୍ଷ୍ନୌ ଓ ରାମପୁର ମ୍ୟୁନିସିପାଲିଟୀରୁ ଦୁଇଟି ପୃଥକ ଜାଲ୍ ଜନ୍ମ ପ୍ରମାଣପତ୍ର ଯୋଗାଡ କରିଥିଲେ ।
ଫଳରେ ବିଜେପି ବିଧାୟକ ଆକାଶ ସାକ୍ସେନା ୨୦୧୯ ଜାନୁଆରୀ ୩ରେ ରାମପୁରସ୍ଥିତ ଏକ ଥାନାରେ ଏମାନଙ୍କ ବିରୋଧରେ ଏତଲା ଦାଏର କରିଥିଲେ । ଅବଦୁଲ୍ଲା ୨୦୧୭ରେ ରାମପୁର ଜିଲ୍ଲାର ସୁଆର ଆସନରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ତେବେ ସତ୍ୟପାଠରେ ଭୁଲ ତଥ୍ୟ ଉଲ୍ଲେଖ କରିଥିବାରୁ ଆହ୍ଲାବାଦ ହାଇକୋର୍ଟ ୨୦୧୯ରେ ତାଙ୍କର ବିଧାୟକ ପଦ ରଦ୍ଦ କରିଥିଲେ ।